Home Administration ସଂଶୋଧନ ହେଉନି ସଂରକ୍ଷଣ ଆଇନ୍‍

ସଂଶୋଧନ ହେଉନି ସଂରକ୍ଷଣ ଆଇନ୍‍

ଭୁବନେଶ୍ୱର : ସରକାରୀ ଚାକିରିରେ ପ୍ରତ୍ୟକ୍ଷ ନିଯୁକ୍ତି, ପଦୋନ୍ନତି ଓ ବରିଷ୍ଠତା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ଆଧାରରେ ସରକାର ସଂରକ୍ଷଣ ଆଇନ୍‍ରେ ଆବଶ୍ୟକୀୟ ସଂଶୋଧନ ଆଣୁନଥିବାରୁ ବହୁ ପଦ ପଦବୀ ଖାଲି ରହୁଛି ଏବଂ ଏଥିଘେନି ଆଇନ୍‍ ଅଦାଲତରେ ମାମଲାର ଚାପ ବଢୁଥିବାବେଳେ ସଂରକ୍ଷିତବର୍ଗର ଅନେକ କର୍ମଚାରୀ ବର୍ଷ ବର୍ଷ ଧରି ପଦୋନ୍ନତି ନପାଇ ଚାକିରିରୁ ଅବସରଗ୍ରହଣ କରୁଛନ୍ତି ।

ଅଣସଂରକ୍ଷିତ ପଦବୀ କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ ଏବଂ ଏସସି, ଏସଟି, ଏସଇବିସି ସମେତ ଅନ୍ୟ ସଂରକ୍ଷିତବର୍ଗର ପ୍ରାର୍ଥୀମାନେ ଅଣସଂରକ୍ଷିତ ଆସନରେ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ପାଇପାରିବେ ବୋଲି ବାରମ୍ବାର ଅଦାଲତ ସ୍ପଷ୍ଟ କରୁଥିଲେ ମଧ୍ୟ ସଂରକ୍ଷଣର ଆଇନ୍‍ଗତ ବ୍ୟବସ୍ଥା ପ୍ରାୟ ୩୦ବର୍ଷ ଧରି ଅତି ଗୋଳମାଳିଆ ଅବସ୍ଥାରେ ରହିଥିବାରୁ ମାମଲା ପରେ ମାମଲା ବଢି ଚାଲୁଛି ।

ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ କ୍ଷେତ୍ର ଦପ୍ତରମାନଙ୍କୁ ସ୍ପଷ୍ଟିକରଣ ଓ ମାର୍ଗଦର୍ଶନ ଦେବା ସହିତ ନିଜ ନିଷ୍ପତ୍ତିକୁ ନିଜେ ବାରମ୍ବାର ବଦଳାଉଥିବାରୁ ପ୍ରାୟ ୩୦ବର୍ଷ ଧରି ଏଭଳି ଗୋଳମାଳିଆ ଅବସ୍ଥା ଲାଗି ରହିଥିବା କୁହାଯାଉଛି । ବିଶେଷକରି ସଂରକ୍ଷଣସୀମା ଚାକିରି କ୍ଷେତ୍ରରେ ୫୦ ପ୍ରତିଶତକୁ ଟପିବନାହିଁ ବୋଲି ଯେଉଁ ଆଇନ୍‍ଗତ ବ୍ୟବସ୍ଥା ରହିଛି ତାହାର ତ୍ରୁଟିପୂର୍ଣର୍ ତର୍ଜମା ଯୋଗୁଁ ଏଭଳି ସମସ୍ୟା ଲାଗି ରହୁଥିବା କୁହାଯାଉଛି ।

ପୂର୍ତ୍ତ ବିଭାଗରେ ଏହି ବିବାଦ ଯୋଗଁ ପ୍ରାୟ ୩ଶହ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରୁନାହିଁ । ଗତବର୍ଷ ସେପ୍ଟେମ୍ବର ୪ତାରିଖରେ ଏଥିପାଇଁ ବିଭାଗୀୟ ପଦୋନ୍ନତି କମିଟି ସୁପାରିଶ୍‍ କରିଥିବାବେଳେ ପରବର୍ତ୍ତୀ ସମୟରେ ତାହାକୁ ବାତିଲ କରାଯାଇ ଚଳିତ ମାସ ୬ତାରିଖରେ ଆଉ ଏକ ବିଭାଗୀୟ ପଦୋନ୍ନତି କମିଟି ବସିଥିଲା । ଡିପିସିର ସୁପାରିଶ କାର୍ଯ୍ୟକାରୀ ହେବା ପୂର୍ବରୁ ପଦୋନ୍ନତି ଉପରେ ଆଇନ୍‍ ଅଦାଲତ ରୋକ ଲଗାଇବାରୁ ସମସ୍ୟା ସୃଷ୍ଟି ହୋଇଛି ।

ଅନ୍ୟ କେତେକ ବିଭାଗରେ ବି ଏଭଳି ସସସ୍ୟା ଉପୁଜୁଛି । ତେବେ ମୂଳ ସମସ୍ୟାର ସମାଧାନ କରାନଯାଇ ସର୍କୁଲାର ପରେ ସର୍କୁଲାର ଜାରି କରାଯିବା ଫଳରେ ସମସ୍ୟା ବଢିବା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଗତବର୍ଷ ମଇ ୬ତାରିଖରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପଦୋନ୍ନତି ସଂକ୍ରାନ୍ତରେ ଜାରି କରିଥିବା ମାର୍ଗନିର୍ଦ୍ଦେଶିକାକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିନିଆଯାଇଥିଲା । ତେବେ ଗତ ଫେବୃୟାରୀ ମାସରେ ସମ୍ପୃକ୍ତ ବିଭାଗ ପୂର୍ବର ପ୍ରତ୍ୟାହୃତ ବିଜ୍ଞପ୍ତିକୁ ଆଉଥରେ ପ୍ରତ୍ୟାହାର କରିନେଇ ୨୦୨୪ ମଇ ୬ତାରିଖର ମାର୍ଗ ନିର୍ଦ୍ଦେଶିକା ବଜାୟ ରହିବ ବୋଲି ଉଲ୍ଲେଖ କରିବାରେ ବିଭିନ୍ନ ବିଭାଗରେ ପଦୋନ୍ନତି ଘେନି ବିବାଦ ଲାଗି ରହିବାରୁ ଅନିଶ୍ଚିତତା ଉପୁଜିଛି ।

ଆଇନ୍‍ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଥିବା ଉପଦେଶରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ଅଣସଂରକ୍ଷିତ ପଦବୀଗୁଡିକ ସବୁ ବର୍ଗଙ୍କ ପାଇଁ ଖୋଲା ରହିଛି । କେବଳ ସେତିକି ନୁହେଁ, ସଂରକ୍ଷିତବର୍ଗର ବରିଷ୍ଠ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଓ ଦକ୍ଷତା ଆଧାରରେ ଅଣସଂରକ୍ଷିତ ଆସନକୁ ପଦୋନ୍ନତି ପାଇବାରେ ପ୍ରତିବନ୍ଧକ ନାହିଁ । ଲଳିତ ମୋହନ ନାୟକ ମାମଲାରେ ଓଡିଶା ହାଇକୋର୍ଟ ମଧ୍ୟ ଏହା ସ୍ପଷ୍ଟକରିଦେଇଛନ୍ତି । ଏହା ସତ୍ୱେ ୧୯୯୨ରୁ ଏପର୍ଯ୍ୟନ୍ତ ଇନ୍ଦ୍ରା ସାୱାନୀ, ଆର.କେ.ସଭରୱାଲ, ବୀରପାଲ୍‍ସିଂ ଚୌହାନ, ଏମ.ନାଗରାଜ, ଅଜିତ୍‍ ସିଂହ, ଅମର ଛାଟୋଇ, ଜର୍ଣ୍ଣେଲ ସିଂହ, ପ୍ରଭାକର ମଲ୍ଲିକ,ଅଖିଳ ଭାରତୀୟ ଶୋଷିତ କର୍ମଚାରୀ ସଂଘ ଆଦି ମାମଲାରେ ଥିବା ରାୟ ଗୁଡିକ ଆଧାରରେ ସଂରକ୍ଷଣ ଆଇନ୍‍ରେ ସଂଶେଧନ ଅଣାଯାଉନଥିବାରୁ ଏଭଳି ସମସ୍ୟା ଲାଗି ରହୁଛି । (ତଥ୍ୟ)