ଭୁବନେଶ୍ୱର : ପଦୋନ୍ନତି ବିଭ୍ରାଟ ଯୋଗୁ ପୂର୍ତ୍ତ ବିଭାଗର ବିଭିନ୍ନ ଯନ୍ତ୍ରୀ କ୍ୟାଡର୍ରେ ମାନବ ସମ୍ବଳ ସଂକଟ ଦେଖାଦେଇଛି । ସରକାରୀକୃତ ଏହି ସମସ୍ୟାର ତ୍ୱରିତ ସମାଧାନ କରାନଗଲେ ଆଗକୁ ନିଯୁକ୍ତି, ପଦୋନ୍ନତି ସମେତ ନିର୍ମାଣ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେବ ବୋଲି ବହୁ ଯନ୍ତ୍ରୀ ଆଶଙ୍କା କରୁଛନ୍ତି ।
ସହକାରୀ ଯନ୍ତ୍ରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦକୁ ପଦୋନ୍ନତି ଦେବା କ୍ଷେତ୍ରରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅସଂଗତି ଯୋଗୁ ଏଭଳି ସମସ୍ୟା ଉପୁଜିଛି ବୋଲି କୁହାଯାଉଛି । ସଂରକ୍ଷିତ ବର୍ଗର ଯନ୍ତ୍ରୀଙ୍କୁ ସେହି ସଂରକ୍ଷିତ ଆସନରେ ଓ ଅଣ ସଂରକ୍ଷିତ ବର୍ଗର ଯନ୍ତ୍ରୀଙ୍କୁ କେବଳ ଅଣ ସଂରକ୍ଷିତ ଆସନରେ ପଦୋନ୍ନତି ଦେବା ଲାଗି ୨୦୨୪ରେ ବିଭାଗୀୟ ପଦୋନ୍ନତି କମିଟି ଯେଉଁ ସୁପାରିସ କରିଥିଲେ ସେଥିରେ ଯୋଗ ଦେଇଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧିକାରୀ କିନ୍ତୁ ଭିନ୍ନ ମତ ରଖି ଡିପିସ ପ୍ରୋସେଡିଂରେ ଦସ୍ତଖତ ନକରିବାରୁ ଏଭଳି ସମସ୍ୟା ଉପୁଜିଥିଲା ।
ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ବହୁ ମାମଲାର ନଜିର ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗ ନିର୍ଦ୍ଦେଶିକା ଆଧାରରେ ସଂରକ୍ଷିତ ଆସନରେ ଅଣ ସଂରକ୍ଷିିର ବର୍ଗର ପ୍ରାର୍ଥୀ ପଦୋନ୍ନତି ପାଇପାରିବେ ନାହିଁ ବୋଲି ଉଲ୍ଲେଖ ଥିବାବେଳେ ଅଣ ସଂରକ୍ଷିତ ଆସନ କିନ୍ତୁ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନଥିବାରୁ ଯୋଗ୍ୟତା, ବରିଷ୍ଠତା ଓ ଦକ୍ଷତା ଆଧାରରେ ଅଣ ସଂରକ୍ଷିତ ଆସନରେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ମଧ୍ୟ ପଦୋନ୍ନତି ପାଇପାରିବେ ବୋଲି ଉଲ୍ଲେଖ ରହିଛି । ଏହି ଆଧାରରେ ପୂର୍ବ ଡିପିସି ସୁପାରିସକୁ ବାତିଲ କରି ଚଳିତ ବର୍ଷ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ନୂଆ ଡିପିସି କରିବା ପରେ ବଞ୍ôଚତ ପ୍ରାର୍ଥୀମାନେ ଆଇନ୍ ଅଦାଲତଙ୍କ ଦ୍ୱାରସ୍ଥ ହେବାରୁ ସମସ୍ୟା ଲାଗି ରହିଛି ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏ ସଂକ୍ରାନ୍ତରେ ବର୍ଷବର୍ଷ ଧରି ଯେଉଁ ନୀତି ଅନୁସରଣ କରୁଥିଲା ତାହାକୁ ୨୦୨୪ ମସିହାରେ ପୁଣି ଜାରି କରିବା ପରେ ପରେ ପୁଣି ତାହା ପ୍ରତ୍ୟାହୃତ ହୋଇଥିଲା । ଏହାପରେ ଅନ୍ୟ ଏକ ମାର୍ଗ ନିର୍ଦ୍ଦେଶିକା ଜାରି କରାଯାଇ ପ୍ରତ୍ୟାହୃତ ହୋଇଥିବା ମାର୍ଗ ନିର୍ଦ୍ଦେଶିକା ଠିକ୍ ଥିଲା ବୋଲି କୁହାଯିବା ପରିପ୍ରେକ୍ଷୀରେ ଗଣ୍ଡଗୋଳିଆ ବାତାବରଣ ବିଭିନ୍ନ ବିଭାଗରେ ଉପୁଜିଛି । ଇତିମଧ୍ୟରେ ଆଇନ୍ ବିଭାଗ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଏ ସଂକ୍ରାନ୍ତୀୟ ବହୁ ରାୟର ତର୍ଜମା କରି ଅଣ ସଂରକ୍ଷିତ ଆସନ ସବୁ ବର୍ଗଙ୍କ ପାଇଁ ଖୋଲା ରହିଥିବାରୁ ଏହି ଆସନ ଲାଗି ଉଭୟ ସଂରକ୍ଷିତ ଓ ଅଣ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ପଦୋନ୍ନତି ଦିଆଯାଇପାରିବ ବୋଲି ମତ ଦେଇଛନ୍ତି ।
ପଦୋନ୍ନତି ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ଅଧିନିୟମରେ ବି ୨୦୨୨ ମସିହାରେ ସଂଶୋଧନ ଅଣାଯାଇ ଅଣ ସଂରକ୍ଷିତ ଆସନ ଲାଗି ଯୋଗ୍ୟତା ଆଧାରରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ କଥା ସମାନ ଭାବରେ ସଂରକ୍ଷିତ ପ୍ରାର୍ଥୀଙ୍କ ସହ ବିଚାର କରାଯିବ ବୋଲି ବ୍ୟବସ୍ଥା ରହିଛି । ଏସବୁ ସତ୍ତ୍ୱେ ଉଭୟ ସଂରକ୍ଷିତ ଓ ଅଣ ସଂରକ୍ଷିତ ବର୍ଗର କର୍ମଚାରୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଲାଗି କିଛି ନ୍ୱେସ୍ତସ୍ୱାର୍ଥ ଗୋଷ୍ଠୀ ବିଭାଜନ ରେଖା ଟାଣୁଛନ୍ତି ଏବଂ ଆଉ କିଛି ଅଧିକାରୀ ଏହି ଅସନ୍ତୋଷର ନିଆଁରେ ଘିଅ ଢାଳୁଥିବାରୁ ବିଭିନ୍ନ ବିଭାଗରେ ପଦୋନ୍ନତି କ୍ଷେତ୍ରରେ ସମସ୍ୟା ଉପୁଜିଛି ।
ଗତ ମଇ ୨୧ ତାରିଖରେ ପୂର୍ତ୍ତ ବିଭାଗ ୧୧୫ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଉଚ୍ଚ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏହାଫଳରେ ଏବେ ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ୟାଡର୍ରେ ଯନ୍ତ୍ରୀଙ୍କ ସଂଖ୍ୟା ୩୦୦ରୁ କମିଯାଇଛି । ଏହି କ୍ୟାଡର୍ରେ ୧୦୦୦ରୁ ଅଧିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରହିବାର ବ୍ୟବସ୍ଥା ଥିବାବେଳେ ୭୦ ପ୍ରତିଶତରୁ ଅଧିକ ପଦବୀ ଖାଲି ପଡିଛି । ଅନ୍ୟପକ୍ଷରେ ସଂରକ୍ଷିତ ଆଇନ୍ ସଂକ୍ରାନ୍ତରେ ସରକାରୀ କଳର ଗୋଳିଆ ଆଭିମୁଖ୍ୟରେ କ୍ଷୁବ୍ଧ ହୋଇ ଏବେ ବହୁ ଯନ୍ତ୍ରୀ ନ୍ୟାୟ ପାଇଁ ରାଜନେତା ଓ ଅମଲାତନ୍ତ୍ରୀଙ୍କ ନିକଟରେ ଗୁହାରି କରିବା ପରେ ଅଦାଲତରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛନ୍ତି । କେବଳ ପୂର୍ତ୍ତ ବିଭାଗ ନୁହେଁ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ବହୁ ବିଭାଗରେ ଏଭଳି ମଣିଷକୃତ ସମସ୍ୟା ବ୍ୟାପିବାରେ ଲାଗିଛି ।(ତଥ୍ୟ)