Home Judiciary ସଂରକ୍ଷଣ ବିବାଦ ପାଇଁ ପଦୋନ୍ନତି ବାଧାପ୍ରାପ୍ତ

ସଂରକ୍ଷଣ ବିବାଦ ପାଇଁ ପଦୋନ୍ନତି ବାଧାପ୍ରାପ୍ତ

ଭୁବନେଶ୍ୱର : ବିଧି ବ୍ୟବସ୍ଥା ସଂକ୍ରାନ୍ତରେ ସରକାରୀ କଳର ତ୍ରୁଟି ଯୋଗୁ ସରକାରୀ ଚାକିରିରେ ପଦୋନ୍ନତି କ୍ଷେତ୍ରରେ ଏବେ ବହୁ ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର ଆଶାୟୀ ପ୍ରାର୍ଥୀମାନେ କିଏ କେଉଁ ରୋଷ୍ଟର ପଏଣ୍ଟରେ ପଦୋନ୍ନତି ଭିତ୍ତିକ ନିଯୁକ୍ତି ପାଇବ ସେଥିଘେନି ଚାଲିଥିବା ବିବାଦ ଯୋଗୁ ବହୁ କର୍ମଚାରୀ ଅବସର ଗ୍ରହଣ କରୁଥିଲେ ମଧ୍ୟ ପଦୋନ୍ନତି ପାଇପାରୁ ନାହାନ୍ତି । ତେବେ ଇତିମଧ୍ୟରେ ଏକ ନିର୍ଦ୍ଦିଷ୍ଟ ମାମଲାରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ଆଦେଶରେ ପରିବର୍ତ୍ତନ ଆଣିଥିବାରୁ ଉଭୟ ବର୍ଗର ବଞ୍ôଚତ ପ୍ରାର୍ଥୀମାନେ ପଦୋନ୍ନତି ପାଇପାରିବେ ବୋଲି ଆଶା ସଂଚାର ହୋଇଛି ।

ନିର୍ମାଣ ବିଭାଗ ୩୦୦ରୁ ଅଧିକ ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ପଦବୀ (ଏଇଇ) ପଦୋନ୍ନତି ଭିତ୍ତିରେ ପୂରଣ ହେବା କଥା । ଏଥିଲାଗି ଗତବର୍ଷ ସେପ୍ଟେମ୍ବର ମାସରେ ଡିପିସି ହୋଇଥିଲେ ମଧ୍ୟ ନିଷ୍ପତ୍ତିରେ ତ୍ରୁଟିଥିବା ଦର୍ଶାଇ ସରକାର ଗତ ମାର୍ଚ୍ଚ ୬ ତାରିଖରେ ପୁଣି ଏକ ଡିପିସି ବସାଇବାରୁ ଏଭଳି ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି । ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ଆଧାରରେ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଓ ପଦୋନ୍ନତି ଦିଆଯାଇପାରିବ ବୋଲି ପୂର୍ବରୁ ଗତବର୍ଷ ମଇ ୬ ତାରିଖରେ ଏସ୍‍ସି/ଏସ୍‍ଟି ଉନ୍ନୟନ ବିଭାଗ ଏକ ସ୍ପଷ୍ଟୀକରଣ ଜାରି କରିଥିଲା । ପରେ ଏହାକୁ ୧୩.୦୬.୨୦୨୪ରେ ପ୍ରତ୍ୟାହାର କରିନିଆଯିବା ପରେ ୨୭.୦୨.୨୦୨୫ରେ ଅନ୍ୟଏକ ସ୍ପଷ୍ଟୀକରଣରେ ପ୍ରତ୍ୟାହୃତ ହୋଇଥିବା ସ୍ପଷ୍ଟୀକରଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା । ଆଇନ୍‍ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ମତ ଦେଇଥିଲେ । ଏଭଳି ଗୋଳିଆଘଣ୍ଟା ଅବସ୍ଥାରେ ନିର୍ମାଣ ବିଭାଗ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ ପଦୋନ୍ନତି କ୍ଷେତ୍ରରେ ବିଭ୍ରାଟ ଉପୁଜିଛି ।

ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ଅଣ ସଂରକ୍ଷିତ ଆସନରେ ପଦୋନ୍ନତି ପାଇପାରିବେ ନାହିଁ ବୋଲି ଯୁକ୍ତି ବାଢ଼ି ହାଇକୋର୍ଟରେ ଅନେକଗୁଡ଼ିଏ ମାମଲା ରୁଜୁ ହୋଇଛି । ଏଥିରୁ ଅଧିକାଂଶରେ ହାଇକୋର୍ଟ ମଧ୍ୟ ରହିତାଦେଶ ଦେଇଛନ୍ତି । ତେବେ ନିକଟରେ ନିର୍ମାଣ ବିଭାଗର ଏଇଇ ପଦୋନ୍ନତି ମାମଲାର ଶୁଣାଣି କରି ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ପୂର୍ବ ରହିତାଦେଶରେ ପରିବର୍ତ୍ତନ ଆଣିଛନ୍ତି । ସଂଶୋଧିତ ଆଦେଶରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯେଉଁମାନେ ଆବେଦନକାରୀମାନଙ୍କ ଠାରୁ ନିଜ ଯୋଗ୍ୟତା ଭିତ୍ତିରେ ଚାକିରିରେ ବରିଷ୍ଠ ଓ ଆଉ ଯେଉଁମାନେ ଆସନ୍ତା ଜୁନ୍‍ ୩୦ ସୁଦ୍ଧା ଚାକିରିରୁ ଅବସର ଗ୍ରହଣ କରିବେ ସେମାନଙ୍କ ସପକ୍ଷରେ ପଦୋନ୍ନତି ଆଦେଶ ଦିଆଯାଇପାରିବ ।

ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ସୁବିର ପାଲିତ ଓ ବି.ବି. ମହାନ୍ତି ଲଢ଼ୁଥିବାବେଳେ ପ୍ରତିପକ୍ଷରେ ଥିବା ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର ପଦୋନ୍ନତିରୁ ବଞ୍ôଚତ ଯନ୍ତ୍ରୀମାନଙ୍କ ପକ୍ଷରୁ ପ୍ରହଲ୍ଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଛନ୍ତି । ଏଠାରେ ଉଲ୍ଳେଖନୀୟ ଯେ ରାଜ୍ୟ ସରକାର ଓ ବେସରକାରୀ ପ୍ରତିପକ୍ଷଙ୍କ ପକ୍ଷରୁ ପୂର୍ବର ରହିତାଦେଶ ବଦଳାଇବା ପାଇଁ ହାଇକୋର୍ଟଙ୍କ ନିକଟରେ ଯୁକ୍ତି ଦର୍ଶାଯାଇଥିଲା ।
ଏଭଳି ମାମଲା ବିଭିନ୍ନ ବିଭାଗରେ ବଢ଼ୁଥିବା ବେଳେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର ବହୁ ଯୋଗ୍ୟ ପ୍ରାର୍ଥୀ ଡିପିସି ଅନୁମୋଦନ ସତ୍ତ୍ୱେ ଉଚ୍ଚ ପାହ୍ୟାକୁ ପଦୋନ୍ନତି ପାଇବାରୁ ବଞ୍ôଚତ ହେଉଛନ୍ତି । ରାଜ୍ୟ ସରକାର ପଦୋନ୍ନତି ଓ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସ୍ପଷ୍ଟ ଆଇନ୍‍ ପ୍ରଣୟନ କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)