ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ୍ ବଳରେ ଘରୋଇ ବିଦ୍ୟାଳୟଗୁଡିକରେ ଆର୍ଥିକ ଅନଗ୍ରସର ପିଲାମାନଙ୍କ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇଥିବାବେଳେ ବିଦ୍ୟାଳୟଗୁଡିକ କିନ୍ତୁ ନାମଲେଖା ପାଇଁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ମାଗଣାରେ ପଢାଇବା ବଦଳରେ ଅଭିଭାବକମାନେ କିଭଳି ନାମ ନଲେଖାଇ ଫେରିବେ ସେଥିପାଇଁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରୁଥିବା ଅଭିଯୋଗମାନ ଆସିବାରେ ଲାଗିଛି ।
ରାଜ୍ୟର ଘରୋଇ ବିଦ୍ୟାଳୟଗୁଡିକ ୨୫ ପ୍ରତିଶତ ଆସନ ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ କରିବାର ନିୟମ ରହିଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ବିଜ୍ଞାପନ ବାହାରିଥାଏ ଓ ଏହି ବର୍ଗର ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିଥାନ୍ତି । ଏହି ଆସନରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ଫି ଦେବାକୁ ପଡିନଥାଏ ।
ବର୍ତ୍ତମାନ ଏହିସବୁ ସଂରକ୍ଷଣ ଆସନରେ ନାମଲେଖା ଆରମ୍ଭ ହୋଇଛି । ପ୍ରକାଶିତ ତାଲିକାରେ ନାମଥିବା ପିଲାଙ୍କ ଅଭିଭାବକଙ୍କ ନିକଟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଫୋନ୍ କରି ନାମ ଲେଖାଇବାକୁ ଡାକୁଛନ୍ତି । ହେଲେ ଅଭିଭାବକମାନେ ସେଠାରେ ପହଞ୍ଚିଲା ପରେ ବିଭିନ୍ନ ପ୍ରକାର ବାହାନା ଦେଖାଉଛନ୍ତି । ଏପରିକି ଏହି ଦାମୀ ବିଦ୍ୟାଳୟରେ କାହିଁକି ପିଲାଙ୍କ ନାମ ଲେଖାଉଛ ବୋଲି ପ୍ରଶ୍ନ କରୁଛନ୍ତି । ଏଠାରେ ଫି ଦେଇ ପଢୁଥିବା ପିଲାଙ୍କ ସହିତ ଏହି ମାଗଣା ପଢିବାକୁ ଥିବା ପିଲାମାନେ ସମାନ ହୋଇପାରିବେ ନାହିଁ ବୋଲି ବୁଝାଉଛନ୍ତି । ଏହା ଶୁଣିବାପରେ ଏବେ ଅନେକ ଅଭିଭାବକ ଚିନ୍ତାରେ ପଡିଛନ୍ତି । ନିଜ ନିଜ ପିଲାଙ୍କ ନାମ ସେଠାରେ ଲେଖାଇବେ କି ନାହିଁ ସେଥିପାଇଁ ବିଭିନ୍ନ ସ୍ତରରେ ଆଲୋଚନା କରୁଛନ୍ତି ।
ଆଉ କେତେକ ବିଦ୍ୟାଳୟ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଚୟନ ହୋଇଥିବା ପିଲାମାନଙ୍କର ବୟସ ଆଳ ଦେଖାଇ ଫେରାଉଛନ୍ତି । ଏ ସଂକ୍ରାନ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ଅଭିଭାବକଙ୍କୁ କହି ସମୟ ଗଡାଉଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ ପ୍ରକାଶିତ ବିଜ୍ଞାପନ ଅନୁଯାୟୀ ଅଭିଭାବକମାନେ ପିଲାଙ୍କର ସମସ୍ତ ସୂଚନା ଦେଲାପରେ ତାହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତନଖି କରିବାପରେ ଲଟେରୀ ମାଧ୍ୟମରେ ପିଲାଙ୍କୁ ଚୟନ କରାଯାଉଛି । ଏହା ପରେ କେଉଁ ଉଦ୍ଦେଶ୍ୟରେ ସରକାରଙ୍କ ଚୟନ ପ୍ରକ୍ରିୟା ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶ୍ନ କରୁଛନ୍ତି ଓ ଅଭିଭାବକମାନଙ୍କୁ ଫେରାଉଛନ୍ତି ତାହା ଏବେ ଅନେକ ଅଭିଭାବକଙ୍କୁ ସନ୍ଦେହରେ ପକାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଉ କେତେକ ବିଦ୍ୟାଳୟ ଏବେ ଅଭିଭାବକଙ୍କୁ ମାନସିକ ଚାପ ଦେବାପାଇଁ ଫି ଦେଇ ପଢୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷା ଅଧିକାର ଆଇନ୍ ବଳରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାତର ଅନ୍ତର ସୃଷ୍ଟି କରୁଛନ୍ତି । ବିଦ୍ୟାଳୟରେ ଖାଦ୍ୟ ଗ୍ରହଣ ଠାରୁ ଆରମ୍ଭ କରି ପୋଷାକ, ପାଠ୍ୟପୁସ୍ତକ ଓ ଅନ୍ୟ କେତେକ କ୍ଷେତ୍ରରେ ଏଭଳି ପାତର ଅନ୍ତର ସୂଚନା ପାଇବାପରେ କିଛି ଅଭିଭାବକ ମଧ୍ୟ ସେହିସବୁ ବିଦ୍ୟାଳୟରେ ନିଜ ପିଲାଙ୍କ ନାମ ଲେଖାଇବାକୁ ରାଜି ହେଉନଥିବା ଜଣାଯାଇଛି । ଶିକ୍ଷା ଅଧିକାର ଆଇନ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ସ୍ୱେଚ୍ଛାସେବୀମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)

