Home Administration ସଂରକ୍ଷଣ ଝାମେଲା ପାଇଁ ଯନ୍ତ୍ରୀ ପଦୋନ୍ନତି ବ୍ୟାହତ

ସଂରକ୍ଷଣ ଝାମେଲା ପାଇଁ ଯନ୍ତ୍ରୀ ପଦୋନ୍ନତି ବ୍ୟାହତ

ଭୁବନେଶ୍ୱର : ଚାକିରି କ୍ଷେତ୍ରରେ ଆସନ ସଂରକ୍ଷଣ ଘେନି ସରକାରୀ ସ୍ପଷ୍ଟୀକରଣରେ ବିଭ୍ରାନ୍ତି ଏବଂ ସଂରକ୍ଷିତ ବର୍ଗର ଯୋଗ୍ୟ ଓ ବରିଷ୍ଠ ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଓ ପଦୋନ୍ନତି ମିଳିପାରିବା ନେଇ ଉଠିଥିବା ବିବାଦ ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗରେ ହଜାରରୁ ଅଧିକ ଇଞ୍ଜିନିୟର ପଦବୀ ପୂରଣ ହୋଇପାରୁ ନାହିଁ । ଆଉ କେତେକ ବିଭାଗରେ ବି ଅନୁରୂପ ସମସ୍ୟା ଲାଗି ରହିଛି । ଗୋଟିଏ ପଟେ ସୀମିତ ସଂଖ୍ୟକ ସରକାରୀ ପଦପଦବୀ ସରକାର ପୂରଣ କରୁଥିବା ବେଳେ ଅନ୍ୟପଟେ ଚାକିରି ପ୍ରତ୍ୟାଶୀମାନେ ବର୍ଷବର୍ଷ ଧରି ଅପେକ୍ଷା କରୁଥିବା ସ୍ଥଳେ ବିବାଦ ଯୋଗୁ ପଦବୀ ପୂରଣ ନହେବା ଚିନ୍ତାର କାରଣ ହୋଇଛି ।

ସରକାରୀ ସୂଚନା ମୁତାବକ ପୂର୍ତ୍ତ ବିଭାଗରେ ଖାଲି ଥିବା ୩୦୦ରୁ ଅଧିକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ପଦବୀ ପୂରଣ ପାଇଁ ଗତବର୍ଷ ବିଭାଗୀୟ ପଦୋନ୍ନତି କମିଟି ବୈଠକ ବସିଥିଲା । ଏହି ବୈଠକରେ ସଂରକ୍ଷିତ ବର୍ଗର ବରିଷ୍ଠ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅଣସଂରକ୍ଷିତ ଆସନକୁ ପଦୋନ୍ନତି ନଦେବା ପାଇଁ ନିଷ୍ପତ୍ତି ନିଆଯିବାରୁ ବୈଠକରେ ଉପସ୍ଥିତ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରତିନିଧି ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଡିପିସି ପ୍ରୋସିଡିଂରେ ଦସ୍ତଖତ କରିନଥିଲେ । ପରେ ଏ ସଂକ୍ରାନ୍ତରେ ସରକାର ଆଇନ୍‍ ବିଭାଗର ମତ ଲୋଡ଼ିଥିଲେ ।

ବିଭିନ୍ନ ରାୟର ତର୍ଜମା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତୀୟ ନୀତିଗତ ନିଷ୍ପତ୍ତି ଆଧାରରେ ଆଇନ୍‍ ବିଭାଗ ସ୍ପଷ୍ଟ ମତବ୍ୟକ୍ତ କରିଥିଲେ ଯେ ଅଣସଂରକ୍ଷିତ ଆସନକୁ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନଥିବାରୁ ସଂରକ୍ଷିତ ବର୍ଗର ଯୋଗ୍ୟ ଓ ବରିଷ୍ଠ ପ୍ରାର୍ଥୀଙ୍କୁ ମଧ୍ୟ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ସହ ଏହି ଆସନ ଲାଗି ବଛାଯାଇପାରିବ । ଏହି ଆଧାରରେ ପୁଣିଥରେ ଡିପିସି କରାଯାଇ ଆଇନ୍‍ଗତ ବ୍ୟବସ୍ଥା ମୁତାବକ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯିବା ପରେ ୪ଜଣ ମହିଳା ଯନ୍ତ୍ରୀ ଏହା ବିରୋଧରେ ଆଇନ୍‍ ଅଦାଲତରେ ମାମଲା ରୁଜୁ କରିବା ପରେ ଡିପିସି ସୁପାରିସ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେବଳ ଯେଉଁମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅବସର ଗ୍ରହଣ କରୁଛନ୍ତି ସେହିମାନଙ୍କୁ ପଦୋନ୍ନତି ଦିଆଗଲା । ଫଳରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର ପ୍ରାୟ ୩୦୦ ଏଇଇ ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରୁ ନାହିଁ ।

ଅନ୍ୟପକ୍ଷରେ ଏହି ପଦୋନ୍ନତି ବିବାଦ ଘେରରେ ରହୁଥିବାରୁ କନିଷ୍ଠ ଯନ୍ତ୍ରୀ ପଦବୀରୁ ଆଉ ପ୍ରାୟ ୩୦୦ ଯନ୍ତ୍ରୀ ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇପାରୁ ନାହାନ୍ତି । ଏହି କନିଷ୍ଠ ଯନ୍ତ୍ରୀମାନେ ପଦୋନ୍ନତି ପାଇଥିଲେ ସେମାନଙ୍କ ପାଇଁ ଖାଲି ହେଉଥିବା ସ୍ଥାନରେ ନୂଆ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଥାନ୍ତା । ବିବାଦ ଯୋଗୁ ନୂଆ ନିଯୁକ୍ତି ହୋଇପାରୁ ନାହିଁ କିମ୍ବା ପଦୋନ୍ନତି ଦିଆଯାଇପାରୁ ନାହିଁ । ବିଭିନ୍ନ ପାହ୍ୟାରେ ପୂର୍ତ୍ତ ବିଭାଗରେ ଏଥିଯୋଗୁ ପ୍ରାୟ ହଜାରେ ଯନ୍ତ୍ରୀ ପଦବୀ ପୂରଣ ହୋଇପାରୁ ନଥିବାରୁ ନିର୍ମାଣ କାର୍ଯ୍ୟ ବ୍ୟାହତ ହେଉଛି ।

ସମାନ ଅଭିଯୋଗ ଆଣି ଗୃହ ଓ ନଗର ଉନ୍ନୟନ ବିଭାଗରେ ପଦୋନ୍ନତି ସଂକ୍ରାନ୍ତୀୟ ମାମଲା ଚାଲିଥିଲେ ବି ସେଠାରେ କିନ୍ତୁ ଡିପିସି ସୁପାରିସ ମୁତାବକ ସମସ୍ତଙ୍କୁ ପଦୋନ୍ନତି ଦିଆଯାଇଛି । ଅଥଚ ପୂର୍ତ୍ତ ବିଭାଗରେ ଅନୁରୂପ ଭାବେ ପଦୋନ୍ନତି ମିଳୁନାହିଁ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ଆଇନ୍‍ଗତ ବିବାଦ ସରିବା ପରେ ଏ ସଂକ୍ରାନ୍ତରେ ଯାହା ନିଷ୍ପତ୍ତି ନିଆଯିବ । ସମସ୍ୟାର ଗମ୍ଭୀରତାକୁ ଆଖିଆଗରେ ରଖି ଖୋଦ୍‍ ଆଡଭୋକେଟ୍‍ ଜେନେରାଲ ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିବାକୁ ଯାଉଛନ୍ତି । ମୋଟାମୋଟି ଭାବେ ଯନ୍ତ୍ରୀ ପଦୋନ୍ନତି ପ୍ରସଂଗକୁ କେନ୍ଦ୍ର କରି ପୂର୍ତ୍ତ ବିଭାଗରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁ କେବଳ ସଂରକ୍ଷିତ ବର୍ଗର ବରିଷ୍ଠ ଯନ୍ତ୍ରୀ ନୁହନ୍ତି, ଅଣସଂରକ୍ଷିତ ବର୍ଗର ବରିଷ୍ଠ ଯନ୍ତ୍ରୀମାନେ ମଧ୍ୟ ପଦୋନ୍ନତି ସୁବିଧାରୁ ବଞ୍ôଚତ ହେଉଛନ୍ତି ଯାହାର ପ୍ରତ୍ୟକ୍ଷ ପ୍ରଭାବ ସିଧାସଳଖ ନିଯୁକ୍ତି ଉପରେ ବି ପଡୁଛି । (ତଥ୍ୟ)