Home News in Odia ସଂତୃପ୍ତ ମିଶ୍ର ସବୁଠୁ ଧନୀ ପ୍ରାର୍ଥୀ

ସଂତୃପ୍ତ ମିଶ୍ର ସବୁଠୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେଡିର ସଂତୃପ୍ତ ମିଶ୍ର ହେଉଛନ୍ତି ସବୁଠୁ ଧନୀ । ତାଙ୍କ ପଛକୁ ରହିଛନ୍ତି ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ।

ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ସଂତୃପ୍ତ ମିଶ୍ରଙ୍କ ଅସ୍ଥାବର ସମ୍ପତ୍ତି ଅର୍ଥାତ ନଗଦ ଟଙ୍କା, ବ୍ୟାଙ୍କ ଜମା, ବିଭିନ୍ନ ସେୟାର ମାର୍କେଟରେ ନିବେଶ, ଜୀବନ ବୀମା ଆଦିର ମୂଲ୍ୟ ୫୧୨ କୋଟି ୯୦ ଲକ୍ଷରୁ ଅଧିକ। ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୨୦ କୋଟି ୪୮ ଲକ୍ଷରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି । ସେହିଭଳି ତାଙ୍କର ନିଜସ୍ୱ ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୩ କୋଟି ୦୬ ଲକ୍ଷ ଟଙ୍କା ହେବ। ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୮ କୋଟି ୬୮ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ତେବେ ସଂତୃପ୍ତ ମିଶ୍ରଙ୍କ ପାଖରେ ନଗଦ ୧୦ ହଜାର ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୧୫ ହଜାର ଟଙ୍କା ନଗଦ ଆକାରରେ ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୯୧ କୋଟି ୬୨ ଲକ୍ଷ ଟଙ୍କା। ତାଙ୍କ ପତ୍ନୀ ପୂଜା ରାୟଙ୍କ ନାମରେ ପ୍ରାୟ ୧୧ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କର ମୋଟ ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୪୫.୫୦ କୋଟି ଟଙ୍କା। ସେମଧ୍ୟରେ ତାଙ୍କର ନିଜସ୍ୱ ସମ୍ପତ୍ତି ପ୍ରାୟ ୨୫.୫୦ କୋଟି ଏବଂ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ପ୍ରାୟ ୨୦ କୋଟି ଟଙ୍କା ରହିଛି।

ମନମୋହନ ସାମଲଙ୍କ ଦ୍ୱାରା ପ୍ରଦତ୍ତ ସତ୍ୟପାଠ ଅନୁଯାୟୀ ତାଙ୍କର ୪୩ ଲକ୍ଷ ୯୦ ହଜାର ୯୭୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀ ପ୍ରଣତୀ ସାମଲଙ୍କ ନାମରେ ପ୍ରାୟ ୨ କୋଟି ୮୬ ଲକ୍ଷରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା। ଏଥିମଧ୍ୟରେ ତାଙ୍କର ନିଜସ୍ୱ ସମ୍ପତ୍ତି ପ୍ରାୟ ୮୦ ଲକ୍ଷ ଟଙ୍କା ଏବଂ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ପ୍ରାୟ ୭୦ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ କୌଣସି ସ୍ଥାବର ସମ୍ପତ୍ତି ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମନମୋହନଙ୍କ ନିଜ ନାମରେ କୌଣସି ବ୍ୟାଙ୍କ ଋଣ ନଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୭୫ଲକ୍ଷ ଟଙ୍କାର ଋଣ ରହିଛି।

ବିଜେପି ପ୍ରାର୍ଥୀ ସୁଜିତ କୁମାରଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୮୫ ଲକ୍ଷ ୨୩ ହଜାର ୨୦୦ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୩ ଲକ୍ଷ ୯୬ ହଜାର ୧୨୫ଟଙ୍କା। ବିଜେଡି ଓ କଂଗ୍ରେସର କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବେର ହୋତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୯୨ ଲକ୍ଷ ୯୬ ହଜାର ୭୭୭ ଟଙ୍କା ଏବଂ  ତାଙ୍କ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୭୧ ଲକ୍ଷ ୨୪ ହଜାର ୭୫ ଟଙ୍କା।