Home General ସଂଗ୍ରହାଳୟରେ ଖୋଲିବ ୧୦ ନୂଆ ଗ୍ୟାଲେରୀ

ସଂଗ୍ରହାଳୟରେ ଖୋଲିବ ୧୦ ନୂଆ ଗ୍ୟାଲେରୀ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଚଳିତବର୍ଷ ପ୍ରାୟ ୧୦ଟି ନୂଆ ଗ୍ୟାଲେରି ଦର୍ଶକ ଓ ଗବେଷକମାନଙ୍କ ପାଇଁ ଖୋଲିବ । ଏଥିମଧ୍ୟରେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀ ଗ୍ୟାଲେରି ଉପରେ ସମସ୍ତଙ୍କର ନଜର ଅଛି ।

ଏହି ନୂଆ ଗ୍ୟାଲେରି ଦୁଇଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଇନ୍‍ଟାକ୍‍ ସଂସ୍ଥା ପ୍ରସ୍ତୁତ କରୁଛନ୍ତି । ଏହି ଗ୍ୟାଲେରି ନିର୍ମାଣ ପାଇଁ ଢେର ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗ୍ରହ ପ୍ରକାଶ କରିଥିଲେ । ତଦନୁଯାୟୀ ରାଜ୍ୟ ସଂଗ୍ରହାଳୟ ଏହାର ନିର୍ମାଣ କାମ ଇନ୍‍ଟାକ୍‍ ଉପରେ ନ୍ୟସ୍ତ କରିବା ସହିତ ଏଥିଲାଗି ଆବଶ୍ୟକ ଅର୍ଥ ଯୋଗାଇ ଦେଉଛି ।

ଏହି ଗ୍ୟାଲେରି ନିର୍ମାଣ ପାଇଁ ଇନ୍‍ଟାକ୍‍ ସ୍ଥପତି ଚୟନ କରିବା ସହ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଜୋର୍‍ଦାର କାମ ଚଳାଇଛି । ତେବେ ଏହି ଦୁଇଟି ଗ୍ୟାଲେରିରେ କେତେକ ତ୍ରୁଟି ବିଚ୍ୟୁତି ରହିଥିବା ଘେନି ବିଷୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିବା ପରେ ତ୍ରୁଟି ସଂଶୋଧନ ଲାଗି ଉଦ୍ୟମ ଚାଲିଥିଲା ।

ଇତିମଧ୍ୟରେ ବିଭାଗୀୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ୟାଲେରି ପରିଦର୍ଶନ କରି ତ୍ରୁଟିବିଚ୍ୟୁତି ପରଖିଥିଲେ । ଏ ସଂକ୍ରାନ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନେକ ଗୁଡିଏ ବୈଠକ ଅନୁଷ୍ଠିତ ହେବାପରେ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ଗୁଡିକୁ ହଟାଇ ପୁଣି ନୂଆ ପ୍ରତିମୂର୍ତ୍ତି ଓ ଅନ୍ୟାନ୍ୟ ଚିତ୍ର ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏଠାରେ ଉଲ୍ଲେଖନୀୟ ଯେ, କେତେକ ଅଣଓଡ଼ିଆ ସ୍ଥପତିଙ୍କୁ ଏହି ଗ୍ୟାଲେରି ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ବିଶେଷ କରି ଏହି ଦୁଇଟି ଗ୍ୟାଲେରିରେ ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ । ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମା’ ରମାଦେବୀ, ହରେକୃଷ୍ଣ ମହତାବ, ଶହୀଦ ଲକ୍ଷ୍ମଣ ନାୟକ ପ୍ରମୁଖଙ୍କ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ଥିବାରୁ ସେଗୁଡିକ ସ୍ଥାନରେ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଇନ୍‍ଟାକ୍‍କୁ କୁହାଯାଇଥିଲା ।

ଇତିମଧ୍ୟରେ କଟକର ଏକ ପ୍ରତିଷ୍ଠିତ ସଂସ୍ଥା ଏହି ଗ୍ୟାଲେରି ପାଇଁ ନୂଆ ମୂର୍ତ୍ତି ନିର୍ମାଣ କରି ସାରିଛନ୍ତି ଏବଂ ସେଗୁଡିକ କେବଳ ରଙ୍ଗ ଦିଆଯିବା ପାଇଁ ବାକି ରହିଛି । ଏହାଛଡ଼ା ଏହି ଗ୍ୟାଲେରିରେ ଥିବା ରଣପୁର ପ୍ରଜା ଆନ୍ଦୋଳନ, ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ବାଜି ରାଉତଙ୍କ ବଳିଦାନ, ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ କାଠଯୋଡ଼ି ନଦୀ ବାଲିରେ ସଭା, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ, ଆମ୍‍କୋ-ସିମ୍‍କୋ ଗୁଳିକାଣ୍ଡ । ଲକ୍ଷ୍ମଣ ନାୟକଙ୍କ ଫାଶୀ, ଇରମ୍‍ ଗୁଳିକାଣ୍ଡ ଆଦି ଚିତ୍ରରେ ଅନେକ ତଥ୍ୟଗତ ଓ ସ୍ଥାପତ୍ୟଜନିତ ତ୍ରୁଟି ଥିବା ଜଣାପଡିବା ପରେ ସେଗୁଡିକର ମଧ୍ୟ ସଂଶୋଧନ କରାଯାଉଛି ।

ରାଜ୍ୟ ସଂଗ୍ରହାଳୟ ଓ ଇନ୍‍ଟାକ୍‍ କର୍ତ୍ତୃପକ୍ଷ ବିଷୟ ବିଶେଷଜ୍ଞ ଦଳ ଓ ଜଣେ ଖ୍ୟାତନାମା ସ୍ଥପତିଙ୍କୁ ନେଇ ବାରମ୍ବାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରୁଛନ୍ତି । ଏହି ଦୁଇଟି ଗ୍ୟାଲେରି ଆସନ୍ତା ଅଗଷ୍ଟ ମାସରେ ସାଧାରଣ ଲୋକଙ୍କ ପାଇଁ ଖୋଲିପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହାଛଡା ରାଜ୍ୟ ସଂଗ୍ରହାଳୟର ଆଉ ୮ଟି ନୂଆ ଗ୍ୟାଲେରିର ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ଏବଂ ଏସବୁ ଆସନ୍ତା ଡିସେମ୍ବର ପୂର୍ବରୁ ଲୋକାର୍ପିତ ହୋଇପାରେ । (ତଥ୍ୟ)