Home Health ସଂକ୍ରମଣକୁ ନିମନ୍ତ୍ରଣ

ସଂକ୍ରମଣକୁ ନିମନ୍ତ୍ରଣ

ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ଏବେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଉପୁଜିଲାଣି । ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଆଡେ ରାସ୍ତା ଉପରେ କୁଢ କୁଢ ଆବର୍ଜନା ଜମାହେବା ଯୋଗୁଁ ଏଭଳି ଆଶଙ୍କା ଉପୁଜିଲାଣି ।

ଅଳିଆ ପକାଇବାପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ଡଷ୍ଟବିନ୍‍ଗୁଡିକୁ ହଟାଇ ନିଆଯିବା ପରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବିଏମ୍‍ସି ପକ୍ଷରୁ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ ଗାଡି ଅଳିଆ ନେଉଥିବାବେଳେ ରାସ୍ତାଘାଟ ଓ ହାଟ ବଜାରରୁ ବାହାରୁଥିବା ବର୍ଜ୍ୟକୁ ସଂଗ୍ରହକାରୀମାନେ ନେଇ ଗୋଟିଏ ସ୍ଥାନରେ ଗଦାକରି ଦେଉଛନ୍ତି । ବିଶେଷକରି ପୂର୍ବରୁ ଯେଉଁସବୁ ସ୍ଥାନରେ ଡଷ୍ଟବିନ୍‍ ରଖାଯାଉଥିଲା ସେହି ସ୍ଥାନରେ ହିଁ ରାସ୍ତା ଉପରେ କୁଢ କୁଢ ଅଳିଆ ଗଦାହୋଇ ରହୁଛି ।

ରାତି ପାହିଲେ ଅଳିଆ ସଂଗ୍ରହକାରୀମାନେ ବୁଲି ବୁଲି ଅଳିଆ ଉଠାଉଛନ୍ତି । ଏହି ଅଳିଆ ମଧ୍ୟରେ ରାସ୍ତାଘାଟରେ ଝାଡୁ ମରାହୋଇ ଜମା ହୋଇଥିବା ପତ୍ର, ଜରି ଆଦି ସମେତ ହାଟ ବଜାରରୁ ବାହାରୁଥିବା ଖାଦ୍ୟ ବର୍ଜ୍ୟ ଆଦି ରହିଛି । ଏଗୁଡିକୁ ପୂର୍ବରୁ ନେଇ ରଖାଯାଇଥିବା ଡଷ୍ଟବିନ୍‍ରେ ପକାଯାଉଥିଲା ଓ ଅଳିଆ ସଂଗ୍ରହ କରୁଥିବା ଟ୍ରକଗୁଡିକ ଆସି ସିଧାସଳଖ ଅଳିଆ ବୋଝେଇ ଡଷ୍ଟବିନ୍‍କୁ ନେଉଥିଲା କିମ୍ବା ଡଷ୍ଟବିନ୍‍ରୁ ଅଳିଆ ନେଇଯାଉଥିଲା ।

ଯାନ୍ତ୍ରିକ ଉପାୟରେ ଏହା ହେଉଥିବାରୁ ରାସ୍ତାଘାଟରେ ଅଳିଆ ପ୍ରାୟତଃ ପଡୁନଥିଲା । ହେଲେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ରାସ୍ତା ଉପରେ ଦିନ ଦିନ ହୋଇ ପଡି ରହୁଥିବା ଅଳିଆ ସାମାନ୍ୟ ପବନରେ ଉଡି ଆଖପାଖ ଅଞ୍ଚଳକୁ ପ୍ରଦୂଷିତ କରୁଛି । ଖାଇବା ଦୋକାନରୁ ବାହାରୁଥିବା ଫାଇବର, ପ୍ଲାଷ୍ଟିକ, ସୋଲୋ ନିର୍ମିତ ଥଳିଆ ସମେତ ପଲିଥିନ୍‍ ମୁଣା ଗୁଡିକ ଏଣେ ତେଣେ ଉଡିବାରେ ଲାଗୁଛି । ଥରେ ଏହା ଆଖପାଖକୁ ଉଡିଯିବା ପରେ ତାହାକୁ ଆଉ କେହି ସଂଗ୍ରହ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ଫଳରେ ଅଳିଆ ସଂଗ୍ରହ କ୍ଷେତ୍ରରେ ଗୋଦରା ମାଟି କୋଡିବା ଅବସ୍ଥା ଉପୁଜିଲାଣି ।

ରାସ୍ତା ଉପରେ ଜରି, ଖାଦ୍ୟ ଥଳିଆ ଭଳି କୁଢ କୁଢ ଆବର୍ଜନା ଜମା ହେବାପରେ ତାହାକୁ ସଂଗ୍ରହ ପାଇଁ ଛୋଟ ପିଲାଙ୍କ ଠାରୁ ମହିଳାମାନେ ଖେଳାଇବାରେ ଲାଗୁଛନ୍ତି । ସେହିଭଳି ବୁଲା କୁକୁର ଓ ଗାଈ ଗୋରୁମାନେ ମଧ୍ୟ ଏହାକୁ ଘାଣ୍ଟୁଛନ୍ତି । ଫଳରେ ପୂର୍ବରୁ ଯେଉଁ ସ୍ଥାନରେ ସାମାନ୍ୟ ଅଳିଆ ଟିକେ ପଡୁନଥିଲା ଏବେ ସେହି ସ୍ଥାନରେ ଗଦା ଗଦା ଆବର୍ଜନା ।

ଏହିସବୁ ଆବର୍ଜନା ଅଧିକାଂଶ ସମୟରେ ଦିନ ଦିନ ଧରି ପଡୁରହୁଥିବାରୁ ପୂତ୍ତି ଗନ୍ଧମୟ ଅବସ୍ଥା ଉପୁଜୁଛି । ଯେତେବେଳେ ବି ଅଳିଆ ଉଠୁଛି, ରାସ୍ତାରେ ପଡିଥିବା ଆବର୍ଜନାକୁ ଜେସିବି ଦ୍ୱାରା ଟ୍ରକରେ ଲଦାଯିବା ଫଳରେ ଏହା ସମ୍ପୂର୍ଣ୍ଣ ଭାବେ ପରିସ୍କାର ହେଉନାହିଁ । ବହୁ ସ୍ଥାନରେ ଅଳିଆ ଉଠାଇବାବେଳେ ପିଚୁ ରାସ୍ତା ବି ଖୋଳିହୋଇ ଯାଉଥିବା ଲକ୍ଷ୍ୟ କରାଯାଉଛି ।

ମୋଟାମୋଟି ଭାବେ ବିଏମ୍‍ସିର ଡଷ୍ଟବିନ୍‍ ହଟାଅ ନିଷ୍ପତ୍ତି ଏବେ ରାଜଧାନୀକୁ ବଡ ଧରଣର ସଂକ୍ରମଣ ଆଡକୁ ନେଇଯିବା ଆଶଙ୍କା କରାଗଲାଣି । ତୁରନ୍ତ ପୂର୍ବଭଳି ଡଷ୍ଟବିନ୍‍ ରଖିବା ନଚେତ ଅଳିଆ ଗଦା ହେବା ପରେ ପରେ ତାହାକୁ ଉଠାଇ ନେବାକୁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)