ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀମାନେ ଶ୍ରୀ ଭକ୍ତ ଦାସଙ୍କୁ ସ୍ୱାଗତ କରିଥିଲେ ।
ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ ଶିଶୁ ଭବନ ଛକ ଦେଇ ରାଜମହଲ ଛକ, କଳ୍ପନା ଛକ, ବିଜେବି କଲେଜ ଛକ, ସାମନ୍ତାପୁର ଛକ, ଉତରାଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶିଶୁ ଭବନ ଛକ ଠାରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସି.ଏସ୍. ରାଜନ ଏକ୍କା, ସୋଫିଆ ଫିର୍ଦୋଷ, ମଙ୍ଗୁ ଖିଲ, ଦାଶରଥି ଗମାଙ୍ଗ, ଅଶୋକ ଦାସ, ଅପାଲ୍ଲା ସ୍ୱାମୀ କାଡ୍ରାକା ପ୍ରମୁଖ ବିଧାୟକ ମାନେ ଶ୍ରୀ ଦାସଙ୍କୁ ସ୍ୱାଗତ ଜଣାଇବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ ।
ଭୁବନେଶ୍ୱର କୋର୍ଟ ସାମ୍ମୁଖରେ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନଜୀବିମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ । ସାମନ୍ତାପୁର ଛକରେ ଏକାମ୍ରର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନବନିଯୁକ୍ତି ପିସିସି ସଭାପତି ଶ୍ରୀଦାସଙ୍କୁ ସ୍ୱାଗତ କରିଥିଲେ । ସେହିପରି ଲିଙ୍ଗିପୁର ଛକ ପୂର୍ବରୁ ଶତାଧିକ ସାଧାରଣ ଜନତା ସଂକଳ୍ପ ଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଅପରାହ୍ନ ୩ ଘଟିକାରେ ସଂକଳ୍ପ ପଦଯାତ୍ରା ଲିଙ୍ଗିପୁର ଠାରେ ପହଂଚିଥିଲା ।
ମଧ୍ୟାହ୍ନ ଭୋଜନ ପରେ ଚିତ୍ରକୁଣ୍ଡାର ମାନନୀୟ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ନେତୃତ୍ୱରେ ନବରଙ୍ଗପୁରର ପ୍ରାକ୍ତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଅଖିଳ ଭତ୍ରା ବିଜେଡ଼ି ଦଳ ଛାଡ଼ି ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ବିଧିବଧ ଭାବରେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନ ସାରି ପୁନଃର୍ବାର ଅପରାହ୍ନ ୫ ଘଟିକା ସମୟରେ ପିପିଲି ଅଭିମୁଖେ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ ।
ପିସିସି ସଭାପତିଙ୍କ ସହ ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନିପତି ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ଉତରାଛକ ଠାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ନବନିଯୁକ୍ତ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ପିପିଲି ନିର୍ବାଚନ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିରୁପମା ପାତ୍ର, ପିପିଲ ପଂଚାୟତ ସମିତିର ପୂର୍ବତନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଶ୍ରୀଯୁକ୍ତ ଦାସଙ୍କ ଭବ୍ୟ ସମ୍ମର୍ଦ୍ଧନ କରିଥିଲେ ।
ଏହି ସଂକଳ୍ପ ପଦଯାତ୍ରା ୩ ଦିନ ଧରି ଚାଲିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇ ପିପିଲିରେ ରାତ୍ର ୮.୩୦ ମିନିଟ୍ ଘଟିକାରେ ପହଂଚିଥିଲା । ପିପିଲି ବଜାରରେ ସାଧାରଣ ଜନତା ଓ ବ୍ୟବସାୟ ସଂଘର ବହୁ କର୍ମକର୍ତା ରୁଣ୍ଡ ହୋଇ ବିରାଟ ପଟୁଆରକୁ ହାତ ହଲେଇ ସ୍ୱାଗତ କରିଥିଲେ । ସଂକଳ୍ପ ପଦଯାତ୍ରୀମାନେ ପିପିଲ ହାଟ ବଜାର କଲ୍ୟାଣ ମଣ୍ଡପ ଠାରେ ରାତ୍ରୀ ଯାପନ କରିବେ । ଶ୍ରୀଯୁକ୍ତ ଦାସ ଉତରାଛକ ଠାରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଫଳ ବଂଟନ କରିଥିଲେ । ଆସନ୍ତାକାଲି ସକାଳ ୮.୩୦ ମିନିଟ୍ରେ ପୁନଶ୍ଚ ପିପିଲିରୁ ଦ୍ୱିତୀୟ ଦିବସ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ । ଏହି ବିଶାଳ ସଂକଳ୍ପ ଯାତ୍ରା ପାଇଁ କଂଗ୍ରେସ ପ୍ରେମୀ, କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଗଣମାଧ୍ୟମକୁ ସମ୍ବୋଧିତ କରି ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ପାଇଁ ନୂଆ ଏକ ଅଧ୍ୟାୟ ଆରମ୍ଭ ହୋଇଛି । ସଂପୂର୍ଣ୍ଣ ଶକ୍ତିର ସହ କଂଗ୍ରେସ ଆଗକୁ ବଢ଼ିବ । ଓଡ଼ିଶାକୁ କଂଗ୍ରେସ ସରକାର ଫେରାଇ ଆଣିବା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀ ପ୍ରୟାସ କରିବେ ଓ ନିୟମିତ ଭାବେ ଜନସାଧାରଣଙ୍କ ସୁଖ ଦୁଃଖରେ ଦଳ ପହଂଚିବ ।