ଭୁବନେଶ୍ୱର : କୃଷିର ବିକାଶ ସହିତ କୃଷକମାନେ ରୋଜଗାର ବୃଦ୍ଧି ଉପରେ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱାରୋପ କରୁଥିବା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରାୟ ୩୦୦ ପାଖାପାଖି ଶିକ୍ଷକ ପଦବୀ ଖାଲି ପଡିଛି । ଏଥିଯୋଗୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପାଠପଢ଼ା, ଗବେଷଣା ସହିତ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି ।
ସରକାରୀ ତଥ୍ୟ ମୁତାବକ ଏହି ବିଶ୍ୱବିଦ୍ୟାଳୟ ସହିତ ୧୦ଟି ମହାବିଦ୍ୟାଳୟ ଅନୁବନ୍ଧିତ ହୋଇ ରହିଛି । ଏଗୁଡ଼ିକ ଲାଗି ୭୩ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୬୦ରୁ ଅଧିକ ପଦବୀ ଖାଲି ପଡିଛି । ସେହିଭଳି ଏହି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଥିବା ୧୨୦ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀରୁ ପ୍ରାୟ ୮୦ଟି ଖାଲି ପଡିଥିବା ବେଳେ ୩୧୫ଟି ସହକାରୀ ପ୍ରଫେସର ପଦବୀରୁ ୧୩୦ରୁ ଅଧିକ ପଦବୀ ଖାଲି ।
ଓଡ଼ିଶା କୃଷି ମହାବିଦ୍ୟାଳୟରେ ୧୭ଟିରୁ ୧୭ଟି ଯାକ ପ୍ରଫେସର ପଦବୀ ଗତ ନଭେମ୍ବର ସୁଦ୍ଧା ଖାଲି ପଡିଥିବାବେଳେ ୨୬ଟି ସହଯୋଗୀ ପ୍ରଫେସର ମଧ୍ୟରୁ ୧୪ଟି ଓ ୫୩ଟି ସହକାରୀ ପ୍ରଫେସର ପଦବୀରୁ ୨୨ଟି ଖାଲି ପଡିଥିଲା । ସେହିଭଳି ବନମହାବିଦ୍ୟଳୟରେ ସମସ୍ତ ପ୍ରଫେସର ପଦବୀ ଖାଲି ପଡିଥିବା ବେଳେ ମାତ୍ର ଜଣେ ସହଯୋଗୀ ପ୍ରଫେସର ଓ ୧୦ଜଣ ସହକାରୀ ପ୍ରଫେସରଙ୍କୁ ନେଇ ଏହି ଅନୁଷ୍ଠାନ ଚାଲିଛି ।
ରାଜ୍ୟ ସରକାର ପଶୁ ସଂପଦର ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରୁଛନ୍ତି । ଗୋପାଳନ, ଛେଳି, ବତକ, କୁକୁଡ଼ା, ଘୁଷୁରୀ ଆଦି ପାଳନ, ମତ୍ସ୍ୟ ଚାଷ ଆଦି ଉପରେ ସରକାର ପ୍ରାଧାନ୍ୟ ଦେଉଥିବାବେଳେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୁବନେଶ୍ୱରର ପଶୁପାଳନ ମହାବିଦ୍ୟାଳୟରେ ଗତ ନଭେମ୍ବର ସୁଦ୍ଧା ୨୦ଟି ପ୍ରଫେସର ପଦବୀରୁ ୧୩ଟି, ୩୦ଟି ସହଯୋଗୀ ପ୍ରଫେସର ପଦବୀରୁ ୧୯ ଓ ୭୨ ସହକାରୀ ପ୍ରଫେସର ପଦବୀରୁ ୨୦ଟି ମଧ୍ୟ ଖାଲି ପଡିଥିଲା । ରଙ୍ଗେଇଲୁଣ୍ଡାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ୯ଟିଯାକ ପ୍ରଫେସର ପଦବୀ ଖାଲି ପଡିଥିବାବେଳେ ୧୪ଟି ସହଯୋଗୀ ପ୍ରଫେସର ପଦବୀରୁ ୧୧ଟି ୨୦ଟି ସହକାରୀ ପ୍ରଫେସର ପଦବୀରୁ ୧୩ଟି ଖାଲି ରହିଥିଲା । ଚିପିଲିମାର ଉଦ୍ୟାନ କୃଷି ମହାବିଦ୍ୟାଳୟ, ଭବାନୀପାଟଣା କୃଷି ମହାବିଦ୍ୟାଳୟରେ ସମସ୍ତ ପ୍ରଫେସର ପଦବୀ ମଧ୍ୟ ଖାଲି ପଡିଛି ।
ଖାଲି ପଡିଥିବା ଶିକ୍ଷକ ପଦବୀ ମଧ୍ୟରୁ ୬୩ଟି ପ୍ରଫେସର, ୮୦ଟି ସହଯୋଗୀ ପ୍ରଫେସର ଓ ୧୨୮ଟି ସହକାରୀ ପ୍ରଫେସର ପଦବୀ ପୂରଣ ପାଇଁ ଅନୁମତି ମିଳିଥିଲେ ବି ପ୍ରକ୍ରିୟା ଜାରି ରହିଥିବାରୁ ଏହା ପୂରଣ ହେବାରେ ବିଳମ୍ବ ଘଟୁଛି । ଆଗାମୀ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ଏ ସମସ୍ତ ଶିକ୍ଷକ ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ଲାଗି ଦାବି ହେଉଛି ।
କୃଷି ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପାହ୍ୟାର ୩ଟି, ଦ୍ୱିତୀୟ ଶ୍ରେଣୀ ପାହ୍ୟାର ୩୧ଟି ଓ ତୃତୀୟ ଶ୍ରେଣୀ ପାହ୍ୟାର ୩୨ଟି ପଦବୀ ଖାଲି ରହିଛି । ବିଶ୍ୱବିଦ୍ୟାଳୟ ସହିତ ଏହାର ଅନୁବନ୍ଧିତ ୧୦ଟିଯାକ ସରକାରୀ କଲେଜରେ ମୋଟ ୫ଟି ପ୍ରଥମ ଶ୍ରେଣୀପାହ୍ୟାର, ୧୪୨ଟି ଦ୍ୱିତୀୟ ଶ୍ରେଣୀପାହ୍ୟାର ଓ ୨୧୮ଟି ତୃତୀୟ ଶ୍ରେଣୀ ପାହ୍ୟାର ପଦବୀମଧ୍ୟ ଖାଲି ପଡିଛି । ବିଶ୍ୱବିଦ୍ୟାଳୟଗୁଡ଼ିକର କାର୍ଯ୍ୟ ପରିସରରେ ସରକାରୀ କଳ ହସ୍ତକ୍ଷେପ କରିବାକୁ ନେଇ ଏହାର ସ୍ୱାୟତ୍ତତା ନଷ୍ଟ ହେଉଛି ଏବଂ ଏଥିଯୋଗୁ ପଦବୀ ଖାଲି ହେବା ପୂର୍ବରୁ ତାହା ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇପାରୁ ନାହିଁ ବୋଲି ଶିକ୍ଷାବିତ୍ ଓ ଗବେଷକମାନେ ମତ ଦେବା ସହିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଏହାର ଅନୁବନ୍ଧିତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖାଲି ପଡିଥିବା ପଦବୀ ସବୁକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବାକୁ ଛାତ୍ରଛାତ୍ରୀମାନେ ବି କହୁଛନ୍ତି । (ତଥ୍ୟ)