ଭୁବନେଶ୍ୱର : ‘ଷ୍ଟାର୍ଟ-ଅପ୍ ଓଡ଼ିଶା’ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ର ମିଳିତ ସହଯୋଗରେ ମଙ୍ଗଳବାର ଦିନ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଦିବସୀୟ ସମ୍ମିଳନୀ ‘ଇମ୍ପଲ୍ସ’ ଆୟୋଜିତ ହୋଇଯାଇଛି । ଏଥିରେ ଯୁବ ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍ ବିଶେଷଜ୍ଞ ଓ ସରକାରୀ ଅଧିକାରୀ ଯୋଗ ଦେଇ ଷ୍ଟାର୍ଟ-ଅପ୍ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗଦେଇ ନୂତନ ଉଦ୍ୟୋଗ ଆଡକୁ ଛାତ୍ରଛାତ୍ରୀମାନେ ଆଗେଇ ଆସିବାକୁ ନିଜ ଅଭିଭାଷଣରେ ପ୍ରେରିତ କରିଥିଲେ । ଷ୍ଟାର୍ଟ-ଅପ୍ରେ ମିଳୁଥିବା ସରକାରୀ ଆର୍ଥିକ ସୁଯୋଗ, ଛାତ୍ରଛାତ୍ରୀମାନଙ୍କ ଭାବନାକୁ ନେଇ ନୂତନ ଷ୍ଟାର୍ଟ-ଅପ୍, ତଥା ଏହାର ବ୍ୟବସାୟିକ ଦିଗକୁ ପ୍ରୋତ୍ସାହିତ କରିବା ସମ୍ପର୍କରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ ।
‘ବ୍ରିଜିଙ୍ଗ ଦ ଗ୍ୟାପ୍: ଷ୍ଟାର୍ଟ-ଅପ୍ସ, ଇନ୍କ୍ୟୁବେଟର୍ସ ଆଣ୍ଡ ଫଣ୍ଡିଙ୍ଗ୍- ଦ ଓଡ଼ିଶା ଇକୋ ସିଷ୍ଟମ୍ ଆଡ୍ଭାଣ୍ଟେଜ୍’ ଶୀର୍ଷକ ଆଲୋଚନାଚକ୍ରରେ ଶିକ୍ଷା, ସରକାରୀ ଓ ଶିଳ୍ପ କ୍ଷେତ୍ରର ନେତୃବର୍ଗ ସାମିଲ ହୋଇଥିଲେ । ଏହି ଆଲୋଚନାକୁ ସୋଆର ଉପ-ପରିଚାଳକ ଶ୍ରୀ ରାଜୀବ କୁମାର ସଂଚାଳନ କରିଥିବା ବେଳେ ଷ୍ଟାର୍ଟ -ଅପ୍ ଓଡ଼ିଶା ପକ୍ଷରୁ ଶ୍ରୀ ଶିବାଙ୍କିତ ଦାସ, ନ୍ୟାସ୍ନାଲ୍ ରିସର୍ଚ୍ଚ ଡେଭଲପ୍ମେଂଟ କର୍ପୋରେସନ୍ (ଏନ୍ଆର୍ଡିସି)ର ଶ୍ରୀମତି ଶ୍ରୀ ସୁଧା, ପ୍ଲାନ୍ଟେରୀରୁ ଶ୍ରୀ ଅଭିଷେକ ମହାପାତ୍ର, ଆଇଆଇଟି-ଭୁବନେଶ୍ୱରର ଶ୍ରୀ ଶକ୍ତିସ୍ୱରୂପ ପତି ଏବଂ ସୋଆର ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀ ଆଲୋଚନାରେ ସହଯୋଗ କରିଥିଲେ ।
ସୃଜନ ପ୍ରତିଭାର ବିକାଶ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ୧୧ଟି ଟିମ୍ ରେ ଭାଗ କରାଯାଇଥିଲା । ସେମାନଙ୍କ ଅଭିନବ ଜ୍ଞାନକୌଶଳକୁ ଏକ ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶନ କରାଯାଇ ବିଚାରକମାନଙ୍କ ଦ୍ୱାରା ଏହା ମୂଲ୍ୟାଙ୍କିତ ହୋଇଥିଲା ।
ଏହି ଅବସରରେ ଏଆଇସି – ସୋଆ ଫାଉଣ୍ଡେସନ୍ ଏବଂ ଆଇଆଇଟି-ଭୁବନେଶ୍ୱରର ରିସର୍ଚ୍ଚ ଆଣ୍ଡ ଏନ୍ଟ୍ରୋପ୍ରେନ୍ୟୁଅରସିପ୍ ପାର୍କ ମଧ୍ୟମରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।
ଏହି ଦିନିକିଆ ସମ୍ମିଳନୀରେ ପ୍ରଫେସର ମାନସ କୁମାର ମଲ୍ଲିକ, ପ୍ରଫେସର ଶୁଭଙ୍କର ପତି, ପ୍ରଫେସର ସନ୍ତୋଷ କୁମାର ରାଉତ, ପ୍ରଫେସର ମାନସ କୁମାର ମଲ୍ଲିକ, ଶ୍ରୀ ସୂର୍ଯ୍ୟକୁମାର ପଟ୍ଟନାୟକ, ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଫେସର ପି.କେ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।