Home General ଷ୍ଟାର୍ଟପ୍‍ ପ୍ରତିଷ୍ଠାରେ ପଛରେ ପଛୁଆ ଜିଲ୍ଲା

ଷ୍ଟାର୍ଟପ୍‍ ପ୍ରତିଷ୍ଠାରେ ପଛରେ ପଛୁଆ ଜିଲ୍ଲା

ଭୁବନେଶ୍ୱର : ଉଦ୍ୟମିତାକୁ ପ୍ରୋତ୍ସାହନ ଦେଇ ରାଜ୍ୟରେ ଯୁବ ଉଦ୍ୟୋଗୀ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍‍ ନୀତି ପ୍ରତି ପଛୁଆ ଜିଲ୍ଲାରେ ସେଭଳି ଆଗ୍ରହ ନାହିଁ । ଯେତିକି ବି ଷ୍ଟାର୍ଟଅପ୍‍ ସୃଷ୍ଟି ହୋଇଛି ତାହାର ସିଂହଭାଗ ଉପକୂଳ ଜିଲ୍ଲାଗୁଡିକରେ ରହିଛି ।

ଷ୍ଟାର୍ଟଅପ୍‍କୁ ପ୍ରୋତ୍ସାହନ ଦେବାପାଇଁ ଓଡିଶା ଷ୍ଟାର୍ଟଅପ୍‍ ନୀତି-୨୦୧୬ ଆଣିଥିଲେ । ଏହାପରେ ୨୦୧୮ ମସିହାରେ ଏହାକୁ ସଂଶୋଧନ କରି ନୀତିରେ କିଛିଟା ସଂଶୋଧନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍‍ ନୀତିରେ ଉତ୍ସାହିତ ହୋଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୬୩ଟି ଷ୍ଟାର୍ଟଅପ୍‍ ପ୍ରତିଷ୍ଠା ହୋଇଛି । ଏଥିରୁ ଅଧାରୁ ଅଧିକ ଅର୍ଥାତ୍‍ ୧୪୨୯ଟି କେବଳ ଖୋରଧା ଜିଲ୍ଲାରେ ରହିଛି । ଏହା ପଛକୁ କଟକରେ ୧୯୪ ଓ ଗଞ୍ଜାମରେ ୧୦୪ଟି ଷ୍ଟାର୍ଟଅପ୍‍ ଥିବା ସରକାରୀଭାବେ ଦର୍ଶାଯାଇଛି ।

ତେବେ ଆଦିବାସୀ ତଥା ପଛୁଆ ଜିଲ୍ଲାଗୁଡିକରେ କିନ୍ତୁ ଏଥିପ୍ରତି ସେତେଟା ଆଗ୍ରହ ନଥିବା ଲକ୍ଷ୍ୟ କରାଯାଉଛି । କନ୍ଧମାଳ ଜିଲ୍ଲାରେ ମାତ୍ର ୪ଟି ଷ୍ଟାର୍ଟଅପ୍‍ ପ୍ରତିଷ୍ଠା ହୋଇଥିବାବେଳେ ଗଜପତିରେ ୭, ମାଲକାନଗିରିରେ ୨, ବୌଦ୍ଧରେ ୩ଟି, ସୋନପୁରରେ ୪, ନବରଙ୍ଗପୁରରେ ୬ଟି ପ୍ରତିଷ୍ଠା ହୋଇଛି ।

ଏହିସବୁ ଜିଲ୍ଲା ମଧ୍ୟରୁ ଅଧିକାଂଶ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ରହିଛନ୍ତି । ଏଠାରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି । ଏହାଛଡା ବିଭିନ୍ନ ପ୍ରକାର ଷ୍ଟାର୍ଟଅପ୍‍ ପ୍ରତିଷ୍ଠା ପାଇଁ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ କଞ୍ଚାମାଲର ବି ଅଭାବ ନାହିଁ । ଏସବୁ ସତ୍ୱେ ସେହିସବୁ ଜିଲ୍ଲାର ଯୁବକମାନେ ଆଗେଇ ନଆସିବା ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି ।

ଉଲ୍ଲେଖନୀୟ ଯେ ଯୁବ ସମାଜ ମଧ୍ୟରେ ଉଦ୍ଭାବନକୁ ପ୍ରୋତ୍ସାହନ, ଇନକ୍ୟୁବେସନ ସହାୟତା, ଅର୍ଥ ସହାୟତା, ଇଜ୍‍ ଅଫ୍‍ ଡୁଇଂ ବିଜିନେସକୁ ସହଜ କରିବା ଏବଂ ଶିଳ୍ପ, ଶିକ୍ଷା ଓ ସରକାରଙ୍କ ମଧ୍ୟରେ ସହଯୋଗିତାକୁ ପ୍ରୋତ୍ସାହନ ଦେବାପାଇଁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡିଶାକୁ ଏକଅଗ୍ରଗଣ୍ୟ ଷ୍ଟାର୍ଟଅପ୍‍ ହବ୍‍ ଭାବେ ଗଢି ତୋଳିବା ।

ତେବେ ଦୀର୍ଘ ଆଠ ବର୍ଷ ମଧ୍ୟରେ ରାଜ୍ୟରେ ଗଠିତ ହୋଇଥିବା ଷ୍ଟାର୍ଟଅପ୍‍ ମଧ୍ୟରେ ପଛୁଆ ଜିଲ୍ଲାଗୁଡିକ ଆଗକୁ ନଆସିବା ଏବେ ଷ୍ଟାର୍ଟଅପ୍‍ ନୀତି ଉପରେ ପ୍ରଶ୍ନଚିହ୍ନଟ ଲଗାଇଛି । ଏହିସବୁ ଜିଲ୍ଲାରେ ପ୍ରତିଭା ଓ କଞ୍ଚାମାଲର ଅଭାବ ନଥିବାବେଳେ ଯୁବବର୍ଗ କାହିଁକି ଆଗକୁ ଆସୁନାହାନ୍ତି ତାହା ସମୀକ୍ଷା କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସେମିକଣ୍ଡକ୍ଟର ଭଳି ଅନେକ ନାମୀ ଦାମୀ କମ୍ପାନୀ ଓଡିଶା ମୁହାଁ ହୋଇଥିବାବେଳେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଷ୍ଟାର୍ଟଅପ୍‍ ପ୍ରତିଷ୍ଠା କରିବାର ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଏଭଳି ସ୍ଥିତିରେ ଉପକୂଳ ସହିତ ତାଳଦେଇ ପଛୁଆ ଜିଲ୍ଲାଗୁଡିକରେ ଷ୍ଟାର୍ଟଅପ୍‍ ପ୍ରତିଷ୍ଠା ହୋଇପାରିଲେ ଏ କ୍ଷେତ୍ରରେ କେବଳ ଓଡିଶା ଆଗକୁ ଯିବନାହିଁ ସେହିସବୁ ଅଞ୍ଚଳରେ ନିଯୁକ୍ତି ପାଇଁ ନୂଆ ବାଟ ଖୋଲିପାରିବ । (ତଥ୍ୟ)