Home General ଶ୍ରୀମନ୍ଦିର ପ୍ରଶାସନରେ ୪ଶହରୁ ଅଧିକ ପଦବୀ ଖାଲି

ଶ୍ରୀମନ୍ଦିର ପ୍ରଶାସନରେ ୪ଶହରୁ ଅଧିକ ପଦବୀ ଖାଲି

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ୪ଶହରୁ ଅଧିକ ପଦବୀ ଖାଲି ପଡିଛି । ଶ୍ରୀମନ୍ଦିର ପ୍ରଶାସନ ପାଇଁ ମୋଟ୍‍ ୬୫୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରେ ମାତ୍ର ୨୦୮ ଜଣ କାର୍ଯ୍ୟରତ ଅଛନ୍ତି । ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

କେବଳ ଶ୍ରୀମନ୍ଦିର ପ୍ରଶାସନ ନୁହେଁ, ଖୋଦ୍‍ ଆଇନ୍‍ ବିଭାଗରେ ମଧ୍ୟ ଗୁରୁତର କର୍ମଚାରୀ ସଙ୍କଟ । ବିଭାଗ ପାଇଁ ଥିବା ମଂଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିଛି । ପ୍ରଥମଶ୍ରେଣୀ ପାହ୍ୟାରେ ୩୦ଟି ମଂଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରେ ସବୁଠାରୁ କମ୍‍ ମାତ୍ର ୬ଟି ଖାଲି ଅଛି । ତେବେ ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୭୦ଟି ପଦବୀ ମଧ୍ୟରୁ ୩୭ଟି ଖାଲି ପଡିଥିବାବେଳେ ତୃତୀୟଶ୍ରେଣୀ ପାହ୍ୟାରେ ୪୩ଟି ପଦବୀରୁ ୨୪ଟି ଖାଲି ପଡିଛି । ଚତୁର୍ଥଶ୍ରେଣୀ ପାହ୍ୟାରେ କର୍ମଚାରୀ ନାହାନ୍ତି କହିଲେ ଚଳେ । ଏହି ପାହ୍ୟାରେ ୨୨ଟି ମଂଜୁରୀପ୍ରାପ୍ତ ପଦବୀ ଥିବାବେଳେ କାର୍ଯ୍ୟକରୁଛନ୍ତି ମାତ୍ର ୩ଜଣ ।
ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ଯେ ବିଭାଗ ଅଧିନରେ ଥିବା ବିଭନ୍ନ ଦପ୍ତର ଓ ସଂସ୍ଥାରେ ଏକାଧିକ ପଦବୀ ଖାଲି ପଡିଛି । ଓଡିଶା ମାନ ଅଧିକାର ଅ।।ୟୋଗରେ ୨୯ଟି ପଦବୀ ଖାଲି । ଏହି ସଂସ୍ଥାପାଇଁ ୬୯ଟି ମଂଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଠାରେ ୪୦ଜଣ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ଆଇନ୍‍ ବିଭାଗ ଅଧିନରେ ଥିବା ହିନ୍ଦୁ ଦେବତ୍ତୋର ବିଭାଗରେ ୧୮୯ ପଦବୀ ମଧ୍ୟରୁ ୧୨୭ଟି ଖାଲି ପଡିଛି । ଚଳିତ ମାସ ୧୫ ତାରିଖରେ ୩୫ଜଣ କର୍ମଚାରୀଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ବର୍ତ୍ତମାନ ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି ।

ଓଡିଶା ରାଜ୍ୟ ଆଇନ୍‍ ସେବା ଆୟୋଗ ପ୍ରାଧିକରଣଙ୍କ ଦପ୍ତରରେ ମଧ୍ୟ ପଦବୀ ଖାଲି । ଏଠାରେ ୩୩ଟି ମଂଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୧୪ଟି ଖାଲି ପଡିଛି । ମହିଧିବକ୍ତାଙ୍କ କାର୍ଯ୍ୟାଳୟରେ ଶହେରୁ ଅଧିକ ପଦବୀରେ କର୍ମଚାରୀ ନାହାନ୍ତି । ଏହି କାର୍ଯ୍ୟାଳୟ ପାଇଁ ୨୮୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଠାରେ ୧୦୫ ପଦବୀ ଖାଲି ପଡିଛି । ତେବେ ଖାଲି ପଡିଥିବା ପଦବୀଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବାଲାଗି ସରକାରଙ୍କ ଦ୍ୱାରା ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । (ତଥ୍ୟ)