Home General ଶ୍ରୀମନ୍ଦିର ଜମି ଫେରିବ କେବେ ?

ଶ୍ରୀମନ୍ଦିର ଜମି ଫେରିବ କେବେ ?

ଭୁବନେଶ୍ୱର : ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁରୀ-କୋଣାର୍କ ମଝିରେ ଯେଉଁ ଜମି ଦିଆଯାଇଥିଲା ତାହାକୁ ସୁପ୍ରିମ୍‍କୋର୍ଟ ବେଆଇନ୍‍ ଦର୍ଶାଇବାର ପ୍ରାୟ ଦେଢବର୍ଷ ହେବାକୁ ଯାଉଥିବାବେଳେ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ଏହି ଜମି ଏଯାବତ୍‍ ବିଧିବଦ୍ଧ ଭାବେ ଫେରସ୍ତ ଅଣାଯାଇ ନାହିଁ । ଏଥିରେ ଶ୍ରୀଜଗନ୍ନାଥ ମନ୍ଦିରର ସହସ୍ରାଧିକ ଏକର ଜମି ମଧ୍ୟ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ପାଇଁ ୬ହଜାର ଏକରରୁ ଅଧିକ ଜମି କାହିଁକି ଆବଶ୍ୟକ ପଡୁଛି ବୋଲି ସେତେବେଳେ ପ୍ରଶ୍ନ ଉଠାଯିବା ସହିତ ଏହାକୁ ବିରୋଧ କରାଯାଇଥିଲା ।

ସାଧାରଣ ଲୋକଙ୍କ ମାଲିକାନାରେ ଥିବା ୩୩୦୦ ଏକରରୁ ଅଧିକ ଜମିକୁ ସରକାର ଅଧିଗ୍ରହଣ କରି ଏହି ସଂସ୍ଥା ହାତରେ ଟେକି ଦେଇଥିଲେ । ଏହାଛଡା ଶ୍ରୀମନ୍ଦିର ପ୍ରଶାସନର ସହସ୍ରାଧିକ ଏକର ଜମି ମଧ୍ୟ ଏଥିପାଇଁ ଦିଆଯାଇଥିଲା । ଏମିତିକି ପ୍ରାୟ ୫୦୦ ଏକର ସରକାରୀ ଜମି ବି ଏହି ବିଶ୍ୱବିଦ୍ୟାଳୟ ପାଇଁ ପ୍ରଦାନ କରାଯାଇଥିଲା ଯାହା ଭିତରେ ଗୋଚର, ଅନାବାଦି ଆଦି କିସମର ଜମି ମଧ୍ୟ ଥିଲା । ତେବେ ଜମି ନେଇଥିବା ସଂସ୍ଥା ଏଠାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିପାରିନଥିଲା ।

ଓଡିଶା ହାଇକୋର୍ଟରେ ଏହି ମାମଲାର ପରିସମାପ୍ତି ପରେ ପୁଣି ସୁପ୍ରିମ୍‍କୋର୍ଟରେ ଏହା ଚାଲିଥିଲା । ୨୦୨୩ ଏପ୍ରିଲ୍‍ ୧୨ ତାରିଖରେ ସୁପ୍ରିମ୍‍କୋର୍ଟ ଏକ ଯୁଗାନ୍ତକାରୀ ରାୟ ଦେଇ ଜମି ଅଧିଗ୍ରହଣକୁ ବାତିଲ କରିବା ସହ ଯେଉଁମାନଙ୍କ ଠାରୁ ଜମି ନିଆଯାଇଥିଲା ସେମାନଙ୍କ ଖାତାକୁ ତାହା ଫେରାଇ ଦେବାପାଇଁ ନିର୍ଦ୍ଦେଶ ଦେବା ସଂଗେ ସଂଗେ ସମ୍ପୃକ୍ତ ସଂସ୍ଥା ଉପରେ ବି ମୋଟା ଅଙ୍କର ଜୋରିମାନା ଲଗାଇଥିଲେ ।

ସୁପ୍ରିମକୋର୍ଟଙ୍କ ଆଦେଶ ଠିକଣା ଭାବେ କାର୍ଯ୍ୟକାରୀ ହୋଇନଥିବାରୁ ଇତି ମଧ୍ୟରେ ଏ ପ୍ରସଙ୍ଗ ପୁଣିଥରେ ହାଇକୋର୍ଟରେ ଉଠିଛି । ଏବେ ଅଦାଲତଙ୍କ ନିର୍ଦ୍ଦେଶର ପ୍ରତିପାଳନ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି । କିନ୍ତୁ ଗତବର୍ଷ ଏପ୍ରିଲରୁ ଏଯାବତ୍‍ ଏହି ଜମି ଫେରସ୍ତ ସଂକ୍ରାନ୍ତରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେଥିଘେନି ସରକାରୀ ସ୍ତରରେ ଏବେ ଜୋରଦାର ଖୋଳତାଡ ଚାଲିଛି । ବିଶେଷକରି ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ବିଜେପି ସରକାର ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିବା ସହିତ ରତ୍ନଭଣ୍ଡାରର ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ଯେଉଁ ସହସ୍ରାଧିକ ଏକର ଜମି ଏହି ଫାଉଣ୍ଡେସନକୁ ଦିଆଯାଇଥିଲା ତାହା କେବେ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିବ ତାହା ଉପରେ ସମସ୍ତଙ୍କ ନଜର ।

ଆଇନ୍‍ ଓ ରାଜସ୍ୱ ବିଭାଗର ଅଧିକାରୀମାନେ କହୁଛନ୍ତି ଯେ ସୁପ୍ରିମ୍‍କୋର୍ଟଙ୍କ ରାୟକୁ ଅକ୍ଷରେ ଅକ୍ଷରେ ପାଳନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ।

ଏହି ପ୍ରକଳ୍ପ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନରେ ଦୀର୍ଘବର୍ଷ ଧରି ଜଡିତ ଥିବା ସାମାଜିକ କର୍ମୀ ଦେବୀ ପ୍ରସାଦ ପୃଷ୍ଟି କହିଛନ୍ତି ଯେ ଚାଷୀମାନଙ୍କ ଜମି ସହିତ ଶ୍ରୀମନ୍ଦିରର ଜମି ତୁରନ୍ତ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଫେରିବା କଥା । ଏହାଛଡା ଯେତେସବୁ ସରକାରୀ ଜମି ବିଶ୍ୱବିଦ୍ୟାଳୟ ପାଇଁ ଏହି ଫାଉଣ୍ଡେସନ ହାତରେ ଟେକି ଦିଆଯାଇଥିଲା ତାହାକୁ ତୁରନ୍ତ ସରକାରୀ ଖାତାକୁ ଫେରାଇ ଆଣି ତାହାର ସୁରକ୍ଷା ଦାୟିତ୍ୱ ବି ସରକାର କରିବାକଥା । (ତଥ୍ୟ)