ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରକୁ ପଲିଥିନ୍ମୁକ୍ତ କରିବାପାଇଁ ବାରମ୍ବାର ଘୋଷଣା କରାଯାଉଥିବାବେଳେ ମନ୍ଦିର ଭିତରେ କିନ୍ତୁ ପଲିଥିନ୍ ହାଉଯାଉ । ଅବଢା ଠାରୁ ଆରମ୍ଭ କରି ଶୁଖିଲା ଭୋଗ ପର୍ଯ୍ୟନ୍ତ ସବୁକିଛି ପଲିଥିନ୍ରେ ପରିବହନ ହେଉଥିବାବେଳେ ଏଥିପ୍ରତି କିନ୍ତୁ କେହି ଦୃଷ୍ଟି ଦେଉନାହାନ୍ତି ।
ବଡ ଦେଉଳରେ ପଲିଥିନ୍ ବଦଳରେ ତାଳପତ୍ର ଭୋଗେଇ ଓ କୁଡୁଆ ବ୍ୟବହାର ପାଇଁ ବାରମ୍ବାର ତାଗିଦା କରାଯାଉଛି । ବିଶେଷକରି ମନ୍ଦିରରେ ପଲିଥିନ୍ ବ୍ୟବହାର ନକରିବାପାଇଁ କୁହାଯାଉଛି । ହେଲେ ଅବଢା ବିକ୍ରି କରୁଥିବା ବ୍ୟବସାୟୀମାନେ ଗଦା ଗଦା ପଲିଥିନ୍ ଧରି ବସିଛନ୍ତି । କୌଣସି ବ୍ୟକ୍ତି ଅବଢା ଓ ଅନ୍ୟାନ୍ୟ ସାମଗ୍ରୀ ଖରିଦ କଲେ ତାହାକୁ ପ୍ରଥମେ କୁଡୁଆ ଓ ପରେ ପଲିଥିନ୍ରେ ଭର୍ତ୍ତିକରି ଦେଉଛନ୍ତି । ତାଳପତ୍ର ଭୋଗେଇରେ ଭର୍ତ୍ତିକରି ଦେବାପାଇଁ କହିଲେ ଏଥିପାଇଁ ପଲିଥିନ୍ ତୁଳନାରେ ଅଧିକ ଅର୍ଥ ଦାବି କରୁଛନ୍ତି । ଫଳରେ ଲୋକମାନେ ପଲିଥିନ୍ରେ ନେବାକୁ ପସନ୍ଦ କରୁଛନ୍ତି ।
ସେହିଭଳି ଶୁଖିଲା ଭୋଗ ମଧ୍ୟ ପଲିଥିନ୍ରେ ପଶି ବିକ୍ରି ହେଉଛି । ଏହି ବ୍ୟବସାୟୀମାନେ ତାଳପତ୍ର ଭୋଗେଇରେ ଭୋଗ ରଖୁଥିବାବେଳେ ଗ୍ରାହକଙ୍କୁ କିନ୍ତୁ ପଲିଥିନ୍ ମୁଣାରେ ଭୋଗ ଦେଉଛନ୍ତି । ଏ ସଂକ୍ରାନ୍ତରେ କେହି ଅଭିଯୋଗ କରିବାର ନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନାହିଁ ।
ସରକାର କେବଳ ୨୦ମାଇକ୍ରନରୁ କମ୍ ମାନର ପଲିଥିନ୍ ଉପରେ କଟକଣା ଲଗାଇ ନାହାନ୍ତି, ପଲିଥିନ୍ ବ୍ୟବହାର ନିଷିଦ୍ଧ ପାଇଁ କେନ୍ଦ୍ର ସରକାର ମଧ୍ୟ ବହୁ ଆଡମ୍ବରରେ ପୁରୀ ବଡଦାଣ୍ଡରୁ ଅଭିଯାନ ଆରମ୍ଭ କରିଥିଲେ । ପଲିଥିନର ଅପକାରିତା ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇଥିଲେ ।
ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ମନ୍ଦିର ଭିତରେ ପଲିଥିନ୍ ବ୍ୟବହାର ହୋଇପାରିବ ନାହିଁ ବୋଲି ବାରମ୍ବାର ଘୋଷଣା କରିବା ସହିତ ଚଢଉ କରିଛି । ହେଲେ ଏହାକୁ ବ୍ୟବସାୟୀମାନେ ସାମାନ୍ୟତମ ଖାତିର କରୁନାହାନ୍ତି । ମନ୍ଦିର ଭିତରକୁ ପ୍ରବେଶ ସମୟରେ ହାତରେ ଜରିମୁଣା ଧରି ଯିବାକୁ ସୁରକ୍ଷାକର୍ମୀମାନେ ବାରଣ କରୁଥିବାବେଳେ ମନ୍ଦିର ଭିତରେ ଦୈନିକ କିଲୋ କିଲୋ ପଲିଥିନ୍ ବ୍ୟବହାର ହେଉଛି । ଯେହେତୁ ମନ୍ଦିର ଭିତରକୁ କ୍ୟାମେରା ପ୍ରବେଶ ଅନୁମତି ନାହିଁ ତେଣୁ ପଲିଥିନ୍ ବେପାର ସଂକ୍ରାନ୍ତରେ ସଚିତ୍ର ଖବର ବାହାରକୁ ସହଜରେ ଆସିପାରୁ ନାହିଁ ।
କେବଳ ପଲିଥିନ୍ ନୁହେଁ ଜରିଲଗା ଖଲିପତ୍ର ଓ କାଗଜଥାଳିର ମଧ୍ୟ ମନ୍ଦିର ଭିତରେ ବ୍ୟବହାର ହେଉଛି । ଯେଉଁ ଭକ୍ତମାନେ ମନ୍ଦିର ଭିତରେ ପ୍ରସାଦ ସେବନ କରୁଛନ୍ତି ଅବଢା ଦୋକାନୀମାନେ ସେମାନଙ୍କୁ ଏଭଳି ଖଲିରେ ଅବଡା ଓ ଅନ୍ୟାନ୍ୟ ଭୋଗସାମଗ୍ରୀ ଧରାଇ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାର ଅବଢାର ଦର ଧାର୍ଯ୍ୟ କରୁନଥିବାରୁ ଲୋକେ ଏ ନେଇ ଠକାମୀର ମଧ୍ୟ ଶିକାର ହେଉଛନ୍ତି ।
ରାଜ୍ୟ ସରକାର ମଧ୍ୟ ପଲିଥିନ୍ର ମହଜୁଦ, ବିକ୍ରି ଉପରେ କଟକଣା ଜାରି କରିଛନ୍ତି । ଏହା ସତ୍ୱେ ବି ପୁରୀ ଶ୍ରୀମନ୍ଦିର ଭିତରକୁ କିଭଳି ପଲିଥିନ୍ ଯାଉଛି ଓ ବ୍ୟବହାର ହେଉଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । (ତଥ୍ୟ)

