Home General ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି ପୁରୀର ୧୫ଗୁଣ

ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି ପୁରୀର ୧୫ଗୁଣ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଯେତେ ଭୂସମ୍ପତ୍ତି ରହିଛି ତାହାର ପରିମାଣ ପୁରୀ ସହରର ଅନ୍ୟୁନ ୧୫ଗୁଣ ହେବ । ତେବେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏଯାବତ୍‍ ସମସ୍ତ ଭୂସମ୍ପତ୍ତିର ସତ୍ୱଲିପି ବା ରେକର୍ଡ ଅଫ୍‍ ରାଇଟ୍‍ସ ହାସଲ କରିବାରେ ଶ୍ରୀପରିଚାଳନା କମିଟି ସଫଳ ହୋଇନାହିଁ ।

ସୁପ୍ରିମ୍‍କୋର୍ଟରେ ପୂର୍ବରୁ ଦାଖଲ କରାଯାଇଥିବା ତଥ୍ୟ ମୁତାବକ ଶ୍ରୀମନ୍ଦିରର ରାଜ୍ୟ ଭିତରେ ଓ ବାହାରେ ୬୦,୪୧୮ ଏକର ଭୂସମ୍ପତ୍ତି ରହିଥିବାବେଳେ ଏଥିରୁ ୩୪,୨୦୧ ଏକରର ସତ୍ୱଲିପି ମନ୍ଦିର ପ୍ରଶାସନ ହାତରେ ଥିବା କଥା ୨୦୧୯ ନଭେମ୍ବର ମାସରେ ଅଦାଲତଙ୍କୁ ଅବଗତ କରାଯାଇଥିଲା । ସେ ସମୟରେ ସୁପ୍ରିମ୍‍କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଅବଶିଷ୍ଟ ଯେତେ ଭୂସମ୍ପତ୍ତିର ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ହାସଲ କରିନାହିଁ ସେସବୁକୁ ଯଥାଶୀଘ୍ର ହାସଲ କରି ଛଅମାସ ମଧ୍ୟରେ କୋର୍ଟଙ୍କ ନିକଟରେ ତଥ୍ୟ ରଖିବାକୁ । ଏହାଛଡା ଶ୍ରୀମନ୍ଦିରର ଯେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ସେସବୁର ମଧ୍ୟ ତାଲିକା ପ୍ରସ୍ତୁତ କରିବା ସଂଗେ ସଂଗେ ଏଗୁଡିକର ଉପଯୋଗିତା ସଂକ୍ରାନ୍ତରେ କୋର୍ଟଙ୍କୁ ଜଣାଇବାକୁ କୁହାଯାଇଥିଲା ।

ସୁପ୍ରିମ୍‍କୋର୍ଟ ଏଭଳି ନିର୍ଦ୍ଦେଶ ଦେବାର ଇତି ମଧ୍ୟରେ ଦୁଇ ବର୍ଷ ସମୟ ଅତିକ୍ରାନ୍ତ ହୋଇଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏଯାବତ୍‍ ସମସ୍ତ ଭୂସମ୍ପତ୍ତିର ସତ୍ୱଲିପି ହାସଲ କରିପାରି ନାହିଁ ଏବଂ ଭିତର ରତ୍ନଭଣ୍ଡାର ଖୋଲାଯାଉନଥିବା ପରିପ୍ରେକ୍ଷୀରେ ଅନ୍ୟାନ୍ୟ ଅସ୍ଥାବର ସମ୍ପତ୍ତିର ତାଲିକା ଓ ମୂଲ୍ୟାୟନ ମଧ୍ୟ ହୋଇପାରିନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିର ନାମରେ ରାଜ୍ୟ ଭିତରେ ଓ ବାହାରେ ୬୦,୪୧୮ ଏକର ସମ୍ପତ୍ତି ରହିଛି ଯାହାର କ୍ଷେତ୍ରଫଳ ୨୪୪.୫ ବର୍ଗକିଲୋମିଟର । ଅନ୍ୟ ପକ୍ଷରେ ପୁରୀ ସହରର କ୍ଷେତ୍ରଫଳ ୧୬.୩୩ ବର୍ଗକିଲୋମିଟର । ଅର୍ଥାତ୍‍ ଶ୍ରୀମନ୍ଦିର ଜମିର ପରିମାଣ ପୁରୀ ସହରର ପ୍ରାୟ ୧୫ଗୁଣ ହେବ । ଅନ୍ୟ ପକ୍ଷରେ ଏତେ ପରିମାଣର ଭୂସମ୍ପତ୍ତି ଥାଇ ମଧ୍ୟ ଏଥିରୁ ଶ୍ରୀମନ୍ଦିର ତହବିଲକୁ ଆସୁଥିବା ଆୟର ପରିମାଣ ଅତି ନଗଣ୍ୟ ।

ବିଭିନ୍ନ ସମୟରେ ଗଜପତିଙ୍କ ସମେତ ବିଭିନ୍ନ ରାଜା ମହାରାଜା, ଜମିଦାର ଓ ଭକ୍ତମାନେ ଶ୍ରୀମନ୍ଦିରକୁ ବିପୁଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଦାନକରି ଆସିଛନ୍ତି । ୧୯୭୮ ମସିହାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇ ସର୍ବଶେଷ ସୁମାରି କରାଯାଇଥିବା ତଥ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଦିଆଯାଇଛି । ଇତି ମଧ୍ୟରେ ୪୦ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପତ୍ତିର ପୂଣ୍ଣାଙ୍ଗ ଚିଠା ଓ ମୂଲ୍ୟାୟନ କରାଯାଇ ପାରିନାହିଁ ।

ଦୁର୍ବଳ ରକ୍ଷଣା ବେକ୍ଷଣ ଯୋଗୁଁ ଖୋରଧା ସମେତ ବିଭିନ୍ନ ଜିଲ୍ଲାରେ ଥିବା ଶ୍ରୀମନ୍ଦିର ଜମିରେ ବ୍ୟାପକ ପରିମାଣର ଲଘୁ ଖଣିଜ ପଦାର୍ଥ ବର୍ଷ ବର୍ଷ ଧରି ଚୋରି ହେଉଛି । ଯେତିକି ଜମି ଏହି ଉଦ୍ଦେଶ୍ୟରେ ନିଲାମ ଦିଆଯାଉଛି ତାହା ତୁଳନାରେ ଢେର ଅଧିକ ଅଞ୍ଚଳରୁ ଲଘୁ ଖଣିଜ ସାମଗ୍ରୀ ଉତ୍ତୋଳନ ହେଉଥିବା ଘେନି ବାରମ୍ବାର ଅଭିଯୋଗ ଆସୁଛି ।

ନିକଟ ଅତୀତରେ ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରି କ୍ଷତିପୂରଣ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ଖୋରଧା ଜିଲ୍ଲାପାଳଙ୍କ ନିକଟରେ ୧୨କୋଟି ଟଙ୍କା ଜମା ଦେବାପାଇଁ ଆଇନ୍‍ଗତ ନିର୍ଦ୍ଦେଶ ଦିଆଯାଇଛି । ଏବେ ଏହା ବିରୁଦ୍ଧରେ ଅପିଲ ପାଇଁ ବିଚାର ଆଲୋଚନା ଚାଲୁଛି । ଦିଅଁଙ୍କୁ ଖାଇ ଖଟୁଲି ଖାଇବା ନୀତିରେ ଶ୍ରୀମନ୍ଦିରର ବ୍ୟାପକ ସମ୍ପତ୍ତି ଏବେ ଜବରଦଖଲକାରୀଙ୍କ କବଳରେ ଏବଂ ଏଥିରୁ କେତେକ ସମ୍ପତ୍ତି ମଧ୍ୟ ଜବରଦଖଲକାରୀମାନେ ଅନ୍ୟକୁ ହସ୍ତାନ୍ତର କରିଥିବା ଘେନି ଅଭିଯୋଗ ଆସୁଛି । (ତଥ୍ୟ)