ଭୁବନେଶ୍ୱର : ରାଜ୍ୟରୁ ଶ୍ରମିକ ଚାଲାଣ ହ୍ରାସ ପାଇବାରେ ଲାଗିଛି । ଶ୍ରମିକ ମାନଙ୍କୁ କାମ ପାଇଁ ବାହାରକୁ ନେଉଥିବା ଠିକାଦାରଙ୍କୁ ଦିଆଯାଉଥିବା ଲାଇସେନ୍ସ ସଂଖ୍ୟା କମୁଥିବାବେଳେ ସେମାନେ ବି ପୂର୍ବଭଳି ଶ୍ରମିକମାନଙ୍କୁ ଆଉ ଚାଲାଣ କରୁନାହାନ୍ତି ।
ସରକାରୀ ହିସାବରେ ୨୦୧୮ ମସିହାରେ ଏକ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ରାଜ୍ୟ ବାହାରକୁ କାମପାଇଁ ଯାଇଥିବାବେଳେ ସେମାନଙ୍କୁ ନେବାପାଇଁ ୨୬୮୧ ଜଣ ଠିକାଦାରଙ୍କୁ ସରକାରୀ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏହା ପରବର୍ଷ କିନ୍ତୁ ଦାଦନ ଯିବା ବା ଅନ୍ୟ ରାଜ୍ୟକୁ କାମ କରିବାକୁ ଯିବା ଲୋକଙ୍କ ସଂଖ୍ୟା ସରକାରୀ ହିସାବରେ ପାଖପାଖି ୫୨ହଜାର ରହିଥିଲା । ଲାଇସେନ୍ସପ୍ରାପ୍ତ ଶ୍ରମିକ ଠିକାଦାରଙ୍କ ସଂଖ୍ୟା ମଧ୍ୟ ହଜାରେ ତଳକୁ ଆସିଯାଇଥିଲା ।
ତେବେ ୨୦୨୦ ରେ କରୋନା ମହାମାରୀ ଆସିବା ପରେ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ ଘରମୁହାଁ ହୋଇଥିଲେ । ବିଶେଷକରି ଅନ୍ୟ ରାଜ୍ୟର କଳ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ କାରଖାନା ବନ୍ଦଯୋଗୁଁ ଭିଟାମାଟିକୁ ଫେରିଥିଲେ । କରୋନା ପ୍ରକୋପରେ ହ୍ରାସ ପରେ ଯଦିଓ କିଛି ସଂଖ୍ୟାରେ ଶ୍ରମିକ କାର୍ଯ୍ୟକ୍ଷେତ୍ରକୁ ଫେରିଥିଲେ ସେମାନଙ୍କ ସଂଖ୍ୟା ୨୦୨୧ରେ ଦୁଇ ହଜାରରୁ ସାମାନ୍ୟ ଅଧିକ ରହିଥିଲା ।
ଏହା ପରବର୍ତ୍ତୀ ବର୍ଷଗୁଡିକରେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସରକାରୀ ହିସାବରେ ତାହା ଏକ ଲକ୍ଷକୁ ଅତିକ୍ରମ କରିନାହିଁ । ୨୦୨୨ରେ ଏହା ୯୪ ହଜାର ଥିବାବେଳେ ୨୦୨୩ରେ ୮୧ ହଜାରକୁ ହ୍ରାସ ପାଇଛି । ଶ୍ରମିକ ଠିକାଦାରଙ୍କୁ ମିଳିଥିବା ଲାଇସେନ୍ସ ସଂଖ୍ୟା ମଧ୍ୟ ଏହି ସମୟରେ ୧୪୬୬ରୁ ୧୨୩୧କୁ ହ୍ରାସ ପାଇଛି ।
ତେବେ ୨୦୨୩ ମସିହାରେ ଯେତେ ସଂଖ୍ୟକ ଶ୍ରମିକ ରାଜ୍ୟ ବାହାରକୁ କାର୍ଯ୍ୟ କରିବାକୁ ଯାଇଛନ୍ତି ସେମାନଙ୍କ ମଧ୍ୟରେ ସର୍ବାଧିକ ୫୪ହଜାର ବଲାଙ୍ଗିର ଜିଲ୍ଲାରୁ ଯାଇଥିବାବେଳେ ନୂଆପଡା ଜିଲ୍ଲାରୁ ୧୫ହଜାରରୁ ଅଧିକ ଶ୍ରମିକ ଯାଇଥିଲେ । ଗଞ୍ଜାମରୁ ୩୨୨୫ଜଣ ଶ୍ରମିକ ରାଜ୍ୟ ବାହାରକୁ କାମପାଇଁ ଯାଇଥିବାବେଳେ ବରଗଡ ଜିଲ୍ଲାରୁ ଏହି ସଂଖ୍ୟା ୧୧୫୦ ବୋଲି ସରକାରୀ ଭାବେ ଉଲ୍ଲେଖ କରାଯାଇଛି ।
ତେବେ ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ଯାଉଥିବା ଶ୍ରମିକଙ୍କ ସରକାରୀ ତଥ୍ୟ ଠାରୁ ଢେର ଅଧିକ ବୋଲି ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ତେବେ ସରକାରୀ ସ୍ତରରେ ନିଆଯାଉଥିବା ବିଭିନ୍ନ କର୍ମଯୋଗାଣ କାର୍ଯ୍ୟକ୍ରମ ଶ୍ରମିକମାନଙ୍କ ବିଦେଶ ଗମନକୁ ହ୍ରାସ କରିପାରିଛି । ଏଥି ମଧ୍ୟରେ ରାଜ୍ୟ ସରକାରଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏମଜି ନରେଗା କାର୍ଯ୍ୟକ୍ରମ ରହିଛି । ଦାଦାନ ପ୍ରବଣ କୁହାଯାଉଥିବା ୯ଟି ଜିଲ୍ଲାରେ ରାଜ୍ୟ ବଜେଟ୍ରେ ଅତିରିକ୍ତ ୨୦୦ ଦିନ କାର୍ଯ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଉଛି । ସେହିଭଳି କରୋନା ପରବର୍ତ୍ତୀ ସମୟରେ ଏହିସବୁ ଜିଲ୍ଲାର ଯୁବ ଚାଷୀମାନେ ନୂଆ ନୂଆ ଚାଷଙ୍କୁ ଆପଣେଇ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । (ତଥ୍ୟ)