ଭୁବନେଶ୍ୱର : ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଆ ସଂଗୀତ ଜଗତର ସାଲବେଗ ଭାବେ କଥିତ ମହମ୍ମଦ ସିକନ୍ଦର ଆଲାମଙ୍କର ୮୩ତମ ଜୟନ୍ତୀ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଉତ୍ସବରେ ସ୍ୱନାମଧନ୍ୟ ସ୍ୱର ସାଧକ ଶେଖର ଘୋଷଙ୍କୁ ତୃତୀୟ ସିକନ୍ଦର ଆଲାମ ସ୍ମୃତି ସମ୍ମାନ-୨୦୨୨ ରେ ସମ୍ମାନିତ କରାଯାଇଛି । ଏଥି ସହିତ ବିଶିଷ୍ଟ ବାଦକ ଅବନୀକାନ୍ତ ଦାସଙ୍କୁ ମଧ୍ୟ ସିକନ୍ଦର ଆଲାମ ବାଦ୍ୟ ରତ୍ନ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି । ଏକ ସଂକ୍ଷିପ୍ତ ଆଭାସୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି ।
ସଭାର ପ୍ରାରମ୍ଭରେ ନୂତନ ଭାବେ ଶପଥ ନେଇଥିବା ଭାରତର ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ସିକନ୍ଦର ଆଲାମ ଫାଉଣ୍ଡେସନ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଦିବଙ୍ଗତ ସଂଗୀତ ସାଧକ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଓ ବିଶିଷ୍ଟ ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଏକ ମିନିଟ୍ ଲେଖାଏଁ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରକାଶ ଥାଉକି, କିମ୍ବଦନ୍ତୀ ସଂଗୀତଜ୍ଞ ସ୍ୱର୍ଗତ ମହମ୍ମଦ ସିକନ୍ଦର ଆଲାମଙ୍କ ସ୍ମୃତିରେ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଅବସରରେ ସିକନ୍ଦର ଆଲାମ ଫାଉଣ୍ଡେସନ ପକ୍ଷରୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି ।
ସଂଗୀତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ସଂଗୀତ ସାଧକମାନଙ୍କୁ ପ୍ରତିବର୍ଷ ସିକନ୍ଦର ଆଲାମ ସ୍ମୃତି ପୁରସ୍କାରରେ ସମ୍ମାନିତ କରାଯାଉଛି । ଆଭାସୀ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ସିକନ୍ଦର ଆଲାମଙ୍କ ସ୍ମୃତି ଓ କୃତି ପ୍ରତି ସଶ୍ରଦ୍ଧ ପ୍ରଣତି ଜଣାଇଥିଲେ । ପୂର୍ବରୁ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ ଓ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ଏହି କିମ୍ବଦନ୍ତୀ ସଂଗୀତଜ୍ଞ ସିକନ୍ଦର ଆଲାମଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ସିକନ୍ଦର ଆଲାମ ସ୍ମୃତି ସମ୍ମାନ ଓ ସିକନ୍ଦର ଆଲାମ ବାଦ୍ୟ ରତ୍ନ ସମ୍ମାନ ଲକ୍ଷ ଲକ୍ଷ ସଂଗୀତ ସାଧକ ଓ ସଂଗୀତପ୍ରେମୀଙ୍କୁ ଅନୁପ୍ରାଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଆଭାସୀ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ୟ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ । ମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ୱର୍ଗତ ସିକନ୍ଦର ଆଲାମଙ୍କର କାଳଜୟୀ ସଂଗୀତ ସାଧନାର ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ୍ ଆଲାମଙ୍କର ରେଡିଓରେ ପରିବେଷିତ ସୁଲଳିତ ଭଜନ ଏବେବି ଲକ୍ଷ ଲକ୍ଷ ଓଡିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ବାନ୍ଧି ରଖିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ।
କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ଅନନ୍ତନାରାୟଣ ଜେନା,ପୂର୍ବତନ ସାଂସଦ ତଥା କବି ଡଃ. ପ୍ରସନ୍ନ କୁମାର ପାଟଶାଣୀ,ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ,ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ, ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ,ପ୍ରମୁଖ ଆୟକର ଆୟୁକ୍ତ ତଥା ପୂର୍ବତନ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ସିକନ୍ଦର ଆଲାମ ଫାଉଣ୍ଡେସନର ଅଧ୍ୟକ୍ଷା ନଇମା ଆଲାମ, ସଂପାଦିକା ନାଜିଆ ଆଲାମ ,ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡକ୍ଟର ଲେନିନ୍ ମହାନ୍ତି ଏବଂ କଳିଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ଶୀତିକଣ୍ଠ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସିକନ୍ଦର ଆଲାମଙ୍କ ଅବଦାନ ପ୍ରତି ବକ୍ତବ୍ୟ ରଖିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।