ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭାଗୀୟ ତଦନ୍ତ ଆୟୋଗ ନିକଟରେ ମୋଟ୍ ୧୭୨ଟି ମାମଲା ଥିବାବେଳେ କେବଳ ଗତବର୍ଷ ଏଥିରେ ୪୫ ମାମଲା ସାମିଲ ହୋଇଛି । ତେବେ ଏହି ମାମଲା ମଧ୍ୟରୁ ଅଧା ବି ଫଏସଲା ହୋଇପାରି ନାହିଁ ।
ରାଜ୍ୟ ସରକାରଙ୍କ ଦୋଷୀ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତଦନ୍ତ ନିମନ୍ତେ ୧୯୮୪ ମସିହାରୁ ବିଭାଗୀୟ ତଦନ୍ତ ଆୟୋଗ (ସିଡିଆଇ) କାର୍ଯ୍ୟ କରିଆସୁଛି । ଓଡିଶା ସରକାରଙ୍କ ଦୋଷୀ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ସମସ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗୁଡିକର ତଦନ୍ତ ଦାୟିତ୍ୱ ଆୟୋଗ ଉପରେ ନ୍ୟସ୍ତ ଥିବାବେଳେ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଆୟୋଗଙ୍କ ନିକଟରେ ୧୨୭ଟି ମାମଲା ବିଚାର ପାଇଁ ରହିଥିଲା । ଗତବର୍ଷ ମଧ୍ୟରେ ଆଉ ୪୫ଟି ମାମଲା ଯୋଡି ହେବାପରେ ମାମଲା ସଂଖ୍ୟା ୧୭୨ରେ ପହଞ୍ଚିଛି । ତେବେ ଏଥିରୁ ମାତ୍ର ୮୧ଟି ମାମଲାର ସମାଧାନ ହୋଇଥିବା ଜଣାଯାଇଛି ।
ବର୍ତ୍ତମାନ ୯୧ଟି ଶୃଙ୍ଖଳାଗତ ମାମଲା ଅନୁସନ୍ଧାନ ଚାଲିଥିବାବେଳେ ଏହା କେବେ ସରିବ ତାହାର କୌଣସି ନିଶ୍ଚିତତା ନାହିଁ । ତେବେ ମୁଖ୍ୟ ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସିଡିଆଇ ନିକଟରେ ଯେଉଁ ମାମଲା ପହଞ୍ଚିବ ତାହାର ସମାଧାନ ୯୦ ଦିନ ମଧ୍ୟରେ ସରିବା କଥା । ହେଲେ ଅଧିକାଂଶ କ୍ଷେତ୍ରରେ ତାହା ହୁଏ ନାହିଁ ।
ମାମଲାର ତଦନ୍ତକାରୀ ଅଧିକାରୀ ବିଭିନ୍ନ ଆଳ ଦେଖାଇ ସମୟ ଗଡାଉଥିବା ଲକ୍ଷ୍ୟ କରାଯାଏ । କେତେବେଳେ ମାମଲା ସହ ଜଡିତ କାଗଜପତ୍ର ମିଳନଥାଏ ତ ଆଉ କେତେବେଳେ ସାକ୍ଷୀ ଆସିନଥାନ୍ତି । ଫଳରେ ବର୍ଷ ବର୍ଷ ଧରି ଆୟୋଗଙ୍କ ନିକଟରେ ମାମଲା ଗଡି ଚାଲିଥାଏ ।
କେବେଳ ଆୟୋଗଙ୍କ ନିକଟରେ ଅନୁସନ୍ଧାନ ପାଇଁ ରହିଥିବା ମାମଲା ନୁହେଁ, ବିଭିନ୍ନ ବିଭାଗରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲମ୍ବା ସମୟ ଧରି ଗଡି ଚାଲିଥାଏ । ଏପରିକି ଚାକିରିରେ ଥିବା ସମୟରେ ଯେଉଁ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଏହା ଆରମ୍ଭ ହୋଇଥାଏ କେତେକ କ୍ଷେତ୍ରରେ ସେମାନଙ୍କ ଅବସର ପରେ ମଧ୍ୟ ଏହା ସରିନଥାଏ ।
ଦୋଷୀ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆରମ୍ଭ ହେଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଧାର୍ଯ୍ୟ ସମୟ ଭିତରେ ସାରିବାପାଇଁ ନିୟମ ରହିଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଉନଥିବାରୁ ଏ କ୍ଷେତ୍ରରେ ଦଣ୍ଡ ହାର ଢେର କମ୍ ରହୁଛି । ଏପରିକି ବିଭିନ୍ନ ଦୁର୍ନୀତି ମାମଲାରେ ଥିବା କର୍ମଚାରୀ ଓ ଅଧିକାରୀମାନେ ଖସିଯିବାରେ ସକ୍ଷମ ହେଉଛନ୍ତି । ତେଣୁ ମୁଖ୍ୟ ଶାସନ ସଚିବଙ୍କ ମାର୍ଗଦର୍ଶିକା ଆଧାରରେ ଧାର୍ଯ୍ୟ ସମୟ ମଧ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ତଦନ୍ତ ସରିବ ସେ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)