ଭୁବନେଶ୍ୱର : ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ସ୍ମୃତିରେ ରାଜ୍ୟରେ ଆରମ୍ଭ ହୋଇଛି ‘ଶୂନ୍ୟ ମୃତାହତ ପକ୍ଷ’। ଏହି ଅଭିଯାନ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେବ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଶ୍ରୀ ଅମିତାଭ ଠାକୁର ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନର ଶ୍ରୀ ସୁରେଶ ଦେବଦତ୍ତ ସିଂ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ସଂଖ୍ୟା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ସରକାର ଏହାକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି, କିନ୍ତୁ ଏହା କେବଳ ସରକାରୀ ଉଦ୍ୟମରେ ସମ୍ଭବ ନୁହେଁ। ଏଥିପାଇଁ ସାମୂହିକ ସହଭାଗିତା ଆବଶ୍ୟକ। ସମସ୍ତେ ଏହି ଅଭିଯାନରେ ଯୋଗ ଦେଇ ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ‘ଶୂନ୍ୟ ମୃତାହତ ପକ୍ଷ’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣା ହ୍ରାସ କରି ଏକ ଦୁର୍ଘଟଣାମୁକ୍ତ ସମାଜ ଗଠନ। ଗାଡ଼ି ଚାଳକ ଓ ଅନ୍ୟ ସଡ଼କ ବ୍ୟବହାରକାରୀମାନେ ନିୟମ ପାଳନ କଲେ ଅନେକ ଜୀବନ ରକ୍ଷା ହୋଇପାରିବ।
ପରିବହନ ଆୟୁକ୍ତ ଶ୍ରୀ ଠାକୁର କହିଛନ୍ତି ଯେ, କୋଭିଡ୍ ମହାମାରୀ ସମୟରେ ନିୟମ ପାଳନ କରି ଆମେ ନିଜକୁ ରକ୍ଷା କରିଥିଲେ। ସଡ଼କ ଦୁର୍ଘଟଣା ମଧ୍ୟ ଏକ ମହାମାରୀ ରୂପ ନେଇଛି ଏବଂ ଏଥିରୁ ରକ୍ଷା ପାଇବାକୁ ନିୟମ ପାଳନକୁ ଗୁରୁତ୍ୱ ଦେବା ଆବଶ୍ୟକ। ପୋଲିସ କମିଶନର ଶ୍ରୀ ସିଂ କହିଛନ୍ତି ଯେ, ଅନେକ ଦୁର୍ଘଟଣାର ତଦନ୍ତରୁ ଦେଖାଯାଉଛି ଯେ ଚାଳକମାନଙ୍କର ଛୋଟ ତ୍ରୁଟି ବଡ଼ ଦୁର୍ଘଟଣା ଘଟାଉଛି। ସଡ଼କ ବ୍ୟବହାରକାରୀମାନେ ସୁରକ୍ଷା ନିୟମକୁ ଗମ୍ଭୀରତାର ସହ ପାଳନ କରିବା ଉଚିତ୍, ନହେଲେ ସେମାନେ ନିଜେ ଶିକାର ହେବେ।
ଏହି ୧୫ ଦିନର ଅଭିଯାନରେ ସାରା ରାଜ୍ୟରେ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଅନ୍ୟାନ୍ୟ ବିଭାଗର ସହଯୋଗରେ ଆଞ୍ଚଳିକ ପରିବହନ ଅଧିକାରୀମାନେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବେ। କାର୍ଯ୍ୟକ୍ରମରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଏବଂ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଗଲା। ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା, ଯାହା ପକ୍ଷ ସାରା ବୁଲି ଲୋକଙ୍କୁ ସଚେତନ କରିବ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା ପଦଯାତ୍ରାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ଟ୍ରାଫିକ୍ ଡିସିପି, ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଏବଂ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ଅଭିଯାନରେ ସମସ୍ତଙ୍କୁ ସକ୍ରିୟ ଭାବେ ଯୋଗ ଦେବାକୁ ଆହ୍ୱାନ କରାଯାଉଛି ଯାହାଦ୍ୱାରା ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ହୋଇପାରିବ।

