ଭୁବନେଶ୍ୱର : ରାଜଧାନୀରେ ହଠାତ୍ ମଶାଙ୍କ ସାନ୍ଧ୍ରତା ହୁ ହୁ ହୋଇ ବଢୁଥିବାରୁ ଲୋକେ ଶୀତ ପାଇଁ କମ୍ବଳ କିଣିବେ ନା ମଶା ଦାଉରୁ ରକ୍ଷା ପାଇବାପାଇଁ ମଶାରୀ ଖରିଦ କରିବେ ତାହା ଜାଣିପାରୁ ନାହାନ୍ତି । ଲୋକେ ମଶା କାମୁଡାରେ ଅସ୍ତ୍ୟବସ୍ତ ହେଉଥିବାବେଳେ ବିଏମ୍ସି କିନ୍ତୁ ନିଘୋଡ ନିଦରେ ଶୋଇଥିବା ଭଳି ଲକ୍ଷ୍ୟ କରାଯାଉଛି ।
ସହରରେ ଶୀତର ପ୍ରକୋପ ବଢିବା ସହିତ ହଠାତ୍ ମଶାଙ୍କ ପ୍ରକୋପ ବି ବଢି ଯାଇଛି । ତିନି ଚାରିଦିନ ମଧ୍ୟରେ ସାରା ସହରରେ ମଶା ଭଣ ଭଣ ହେଉଛନ୍ତି । ରାତିବେଳା ତ ଦୂରରକଥା ଦିନରେ ବି ଲୋକଙ୍କୁ କାମୁଡିରେ ଲାଗିଛନ୍ତି । ସଞ୍ଜ ହେଲେ ଲୋକେ ଘର ବାହାରେ ଟିକେ ଛିଡାହୋଇ ପାରୁନାହାନ୍ତି । ଘର ଝରକା କବାଟ ଖୋଲିଲା ମାତ୍ରେ ମାଶାମାନେ ଘର ଭିତରେ ପଶି କାମୁଡୁଛନ୍ତି ।
ମଶା ମାରିବାପାଇଁ ବିଏମ୍ସି ନିକଟରେ ମଶାଧୂଆଁ ଛାଡିବା ଯନ୍ତ୍ର ଠାରୁ ଆରମ୍ଭ କରି ମଶାତେଲ ସିଞ୍ଚନ ପର୍ଯ୍ୟନ୍ତ ସମସ୍ତ ସାଧନ ରହିଛି । ହେଲେ ବିଏମସି କାହିଁକି ଏହାର ସଦୁପଯୋଗ କରୁନାହିଁ ତାହା କେହି ବି ଜାଣିପାରୁ ନାହାନ୍ତି । ଓଲଟା ବିଏମ୍ସିର ବାବୁମାନେ ବି ମଶା କାମୁଡାରେ କଲବଲ ହେଉଥିଲେ ବି କାହାରିକୁ କିଛି କହିପାରୁ ନାହାନ୍ତି ।
ଅଳ୍ପଦିନ ତଳେ ରାଜଧାନୀରୁ ମଶାବଂଶ ନିପାତ ପାଇଁ ବିଏମ୍ସି ଘୋଷଣା କରିବା ସହିତ ଗମ୍ବୁସିଆ ମାଛ ଛାଡିବା ନେଇ ଘୋଷଣା କରିଥିଲା । ହେଲେ ଏବେ ଗମ୍ବୁସିଆ ମାଛ ବିଏମସି କେଉଁଠି ଛାଡିଲା ଓ ଏମାନଙ୍କ ସହାୟତାରେ ମଶା କେତେ ହ୍ରାସ ହେଲା ତାହା ସହରବାସୀ ଜାଣିପାରୁ ନାହାନ୍ତି ।
ସହରରେ ହଠାତ୍ ମଶାବଂଶ ବଢିଯିବାରୁ ଏବେ ଲୋକେ କମ୍ବଳ ବଦଳରେ ମଶାରୀ କିଣିବାରେ ଲାଗିଛନ୍ତି । ଅନେକ ଲୋକେ ମଶା ଘଉଡା ଧୂପ ସହିତ ମଶା ମରା ଇଲେକ୍ଟ୍ରିକ ର୍ୟାକେଟ ବି କିଣୁଛନ୍ତି । ସାଧାରଣତଃ ଶୀତ ଅଧିକ ଜୋରରେ ହେଲେ ମଶାଙ୍କ ସାନ୍ଧ୍ରତା ହ୍ରାସ ପାଇଥାଏ । ହେଲେ ଏଥର କିନ୍ତୁ ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ରାଜଧାନୀର ତାପମାତ୍ରା ଦୁଇ ଦଶନ୍ଧିର ରେକର୍ଡ ଭାଙ୍ଗିଥିବାବେଳେ ଶୀତଦିନେ ମଶାଙ୍କ କାମୁଡା ବି ପୂର୍ବବର୍ଷର ରେକର୍ଡ ଭାଙ୍ଗିବାରେ ଲାଗିଛି ।
ମଶା ମୁକାବିଲା ପାଇଁ ବିଏମ୍ସି ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକଥା ତାହା ପରିଲକ୍ଷିତ ହେଉନାହିଁ । ସହରର ମଶାବଂଶ ବୃଦ୍ଧିର ପ୍ରମୁଖ କାରଣ ୧୧ଟି ବଡ ବଡ ନାଳ ସହିତ ସହର ମଝିରେ ଥିବା ଗୋରୁ ଗୁହାଳଗୁଡିକ ହୋଇଥିବାବେଳେ ଏଠାରେ କିଭଳି ମଶାବଂଶ ବୃଦ୍ଧି ନପାଇବ ତାହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । ତେବେ ଶୀତଦିନେ ସହରରେ ହଠାତ୍ ଏଭଳି ମଶାଙ୍କ ବଂଶବୃଦ୍ଧି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବାବେଳେ ଖୁବ୍ଶୀଘ୍ର ସହରରେ ମଶାକାମୁଡା ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)

