Home Agriculture ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ

ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ଓ ଏହାର କାର୍ଯ୍ୟକ୍ଷମ ନିମନ୍ତେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟରେ କୃଷି ଭିତ୍ତିଭୂମି ସୁଦୃଢ଼ ହେଲେ ହିଁ କୃଷକମାନେ ସଶକ୍ତ ହେବେ, ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ରାଜ୍ୟରେ ଶୀତଳ ଭଣ୍ଡାର ଏବଂ ଗୋଦାମର ବହୁତ ଆବଶ୍ୟକ ଥିବାରୁ ଏହାକୁ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରତି ସବ୍ ଡିଭିଜନରେ ଅତିକମରେ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଅନୁମୋଦନ ପ୍ରାପ୍ତ କରିଛନ୍ତି । ଏଥି ନିମନ୍ତେ ବହୁ ସଂସ୍ଥା ଆବେଦନ ମଧ୍ୟ କରିଛନ୍ତି । ବର୍ତ୍ତମାନ ଏସବୁ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯଥାଶୀଘ୍ର ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଏଥିସହିତ ସାର ଯୋଗାଣର ସ୍ଥିତିକୁ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରି କଳାବଜାରୀ ହ୍ରାସ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାବ୍ୟତୀତ ବିଭାଗର ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କୁଲାଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।