ଭୁବନେଶ୍ୱର : ଯାନବାହାନ ସଂଖ୍ୟା ବୃଦ୍ଧି ଯୋଗୁଁ ରାଜଧାନୀରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବାବେଳେ ରାଜଧାନୀର ରାସ୍ତାପାଶ୍ୱର୍ରେ ଥିବା ଭେଣ୍ଡିଂ ଜୋନ୍ର ସ୍ଥାନାନ୍ତର ଯୋଜନା ଏବେ ଶୀତଳଭଣ୍ଡାରରେ । ଏହିସବୁ ଭେଣ୍ଡିଂଜୋନ୍ ଯୋଗୁଁ କେବଳ ଟ୍ରାଫିକ ସମସ୍ୟା ଉପୁଜୁନାହିଁ, ଦୁର୍ଘଟଣା ବି ବଢିବାରେ ଲାଗିଛି ।
ରାଜଧାନୀର ବିଭିନ୍ନ ସ୍ଥାନରେ ରାସ୍ତାପାଶ୍ୱର୍ରେ ବିଏମ୍ସି ପକ୍ଷରୁ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଛି । ଏହିସବୁ ଭେଣ୍ଡିଂ ଜୋନ୍ରେ ବେକାର ଯୁବକ ଯୁବତୀମାନଙ୍କୁ ବ୍ୟବସାୟର ସୁଯୋଗ ଯୋଗାଇବାର ଲକ୍ଷ୍ୟରଖି ଏହା ହୋଇଥିଲା । ତେବେ କର୍ତ୍ତୃପକ୍ଷ ଭେଣ୍ଡିଂ ଜୋନ୍ ନିର୍ମାଣ ସମୟରେ ଏଠାକୁ ଆସୁଥିବା ଗ୍ରାହକମାନେ କେଉଁଠାରେ ନିଜ ନିଜ ଯାନବାହାନ ରଖିବେ ସେଥିପ୍ରତି ଚିନ୍ତା କଲେ ନାହିଁ । ଫଳରେ ଯେଉଁସବୁ ସ୍ଥାନରେ ରାସ୍ତାପାଶ୍ୱର୍ରେ ଭେଣ୍ଡିଂ ଜୋନ୍ ରହିଛି ସେଠାରେ ଏବେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।
ରାଜମହଲରୁ ଏଜି, ସିଆରପି, ଗୋପବନ୍ଧୁଛକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଭେଣ୍ଡିଂ ଜୋନ୍ ଟ୍ରାଫିକ ବ୍ୟବସ୍ଥାକୁ ବିଗାଡିବାରେ ଲାଗିଛି । ଏଠାରେ ଥିବା ଭେଣ୍ଡିଂ ଜୋନ୍ରେ ଖାଇବା ଦୋକାନ ଠାରୁ ଆରମ୍ଭକରି ଫଳ, ଫାଷ୍ଟଫୁଡ୍, ବହିଦୋକାନଆଦି ରହିଛି । ରାତି ପାହିଲେ ଏହିସବୁ ଦୋକାନକୁ ଲୋକେ ଯାଉଛନ୍ତି । ତେବେ ଭେଣ୍ଡିଜୋନ୍ ଓ ରାସ୍ତା ମଧ୍ୟରେ କୌଣସି ଫାଙ୍କାସ୍ଥାନ ନଥିବାରୁ ଗ୍ରାହକମାନେ ସିଧାସଳଖ ନିଜ ନିଜ ଯାନକୁ ରାସ୍ତାଉପରେ ରଖି ଦେଉଛନ୍ତି ।
ଏହାକୁ ନେଇ ବିଭିନ୍ନ ସମୟରେ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ଟ୍ରାଫିକ ପୁଲିସ୍ ଓ ଗ୍ରାହକଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହେଉଥିବାବେଳେ ପାର୍କିଂ ପାଇଁ ସ୍ଥାନ ନଥିବାରୁ ଗାଡିମୋଡର କେଉଁ ରଖିବୁ ବୋଲି ଗ୍ରାହକଙ୍କ ପ୍ରଶ୍ନରେ ମୁହଁ ଲୁଚାଇ ପଳାଉଛନ୍ତି ପୁଲିସ୍ କର୍ତ୍ତୃପକ୍ଷ ।
ତେବେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ସମୟରେ ରାସ୍ତାପାଶ୍ୱର୍ରେ ଥିବା ଭେଣ୍ଡିଂ ଜୋନ୍ଗୁଡିକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା । ବିଶେଷକରି ନିକଟରେ ଥିବା ଯେଉଁସବୁ ସ୍ଥାନରେ ପାର୍କିଂ ସୁବିଧା ପାଇଁ ସ୍ଥାନ ଥିବ ସେଠାକୁ ଭେଣ୍ଡିଂଜୋନଗୁଡିକ ଉଠାଇ ନିଆଯିବ । ଏଥିପାଇଁ ବିଏମ୍ସି ପ୍ରକ୍ରିୟା ଆରମ୍ଭ କରିବା ସହିତ ସ୍ଥାନ ଚିହ୍ନଟ କରିଥିଲା । ତେବେ ଏହାରି ଭିତରେ ରାଜ୍ୟରେ ନୂଆ ସରକାର ଆସିଯିବାରୁ ବିଏମ୍ସିର ଏହି ଯୋଜନାଟି ଶୀତଳଭଣ୍ଡାରରେ ରହିଗଲା ।
ବର୍ତ୍ତମାନ ରାସ୍ତାପାଶ୍ୱର୍ ଭେଣ୍ଡିଂଜୋନ୍କୁ ଉଠାଇବା ବଦଳରେ ଗୋପବନ୍ଧୁ ଛକ ନିକଟରେ ଥିବା ଛୋଟିଆ ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଛି । ଏଠାରେ ଖୋଲିଥିବା ଦୋକାନକୁ ଯାଉଥିବା ଗ୍ରାହକ ସିଧାସଳଖ ଯାନବାହାନକୁ ରାସ୍ତା ଉପରେ ରଖିଦେଇ ଯାଉଛନ୍ତି । ତେଣୁ ଏହି ସଂଧ୍ୟାସମୟରେ ଏହିସବୁ ସ୍ଥାନରେ ଏବେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ପୂର୍ବରୁ ଟ୍ରାଫିକ ପୁଲିସ୍ ପକ୍ଷରୁ ଯେଭଳି ରାସ୍ତା ଅବରୋଧକରୁଥିବା ଯାନବାହାନକୁ ଉଠାଇ ନିଆଯାଉଥିଲା ଏବେ ତାହା ଆଉ ପ୍ରାୟତଃ ନାହିଁ । ଫଳରେ ଗୋଟିଏ ପଟରେ ଯାନବାହାନ ସଂଖ୍ୟାବୃଦ୍ଧି ଓ ଅନ୍ୟ ପଟରେ ରାସ୍ତାପାଶ୍ୱର୍ରେ ଖୋଲିଥିବା ଭେଣ୍ଡିଂ ଜୋନ୍ ଏବେ ରାଜଧାନୀବାସୀଙ୍କ ପାଇଁ ଅଣନିଶ୍ୱାସୀ ପରିସ୍ଥିତି ସୃଷ୍ଟି କଲାଣି । (ତଥ୍ୟ)