Home General ଶୀତଳଭଣ୍ଡାରରେ ଭେଣ୍ଡିଂ ଜୋନ୍‍ ସ୍ଥାନାନ୍ତର

ଶୀତଳଭଣ୍ଡାରରେ ଭେଣ୍ଡିଂ ଜୋନ୍‍ ସ୍ଥାନାନ୍ତର

ଭୁବନେଶ୍ୱର : ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନର ରାସ୍ତାକଡରେ ଥିବା ଭେଣ୍ଡିଂଜୋନ୍‍ଗୁଡିକୁ ସ୍ଥାନନ୍ତର ପାଇଁ ବିଏମ୍‍ସିର ଯୋଜନା ଏବେ ଶୀତଳଭଣ୍ଡାରରେ । ବିଭିନ୍ନ ସ୍ଥାନରେ ଏଗୁଡିକୁ ହଟାଇବା ବଦଳରେ ନୂଆ ନୂଆ ଭେଣ୍ଡିଜୋନ୍‍ ଗଢି ଉଠୁଥିବାରୁ ରାଜଧାନୀବାସୀ ହନ୍ତସନ୍ତ ହେଉଛନ୍ତି ।

ରାସ୍ତାକଡ ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ କରିବାପାଇଁ ବିଏମସି କର୍ତ୍ତୃପକ୍ଷ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂଜୋନ୍‍ କରିଛନ୍ତି । ଏହାକୁ ବସାଇବାବେଳେ ଟ୍ରାଫିକ କିମ୍ବା ପାର୍କିଂ ଆଦିକୁ ଦୃଷ୍ଟି ଦିଆଗଲା ନାହିଁ । ଏଗୁଡିକୁ ମୁଖ୍ୟତଃ ପ୍ରମୁଖ ରାସ୍ତା ପାଶ୍ୱର୍ରେ ଗଢି ଉଠିଛି ଏବଂ ଏଥି ମଧ୍ୟରେ ଅଧିକାଂଶ ହେଉଛି ଖାଦ୍ୟ ସାମଗ୍ରୀ ବିକୁଥିବା ଦୋକାନ । ଫଳରେ ସକାଳୁ ସଞ୍ଜଯାଏ ଲୋକେ ଏଠାକୁ ଯିବା ସମୟରେ ନିଜ ନିଜ ଗାଡିଗୁଡିକୁ ରାସ୍ତାଉପରେ ରଖି ଯିବାକୁ ବାଧ୍ୟ ହେଉଛନ୍ତି ।

ଭେଣ୍ଡିଂଜୋନ୍‍ ଯୋଗୁଁ ପଥଚାରୀମାନେ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ତାହା କେବଳ ସିଆରପି ଛକରୁ ଡିଏଭି ସ୍କୁଲ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଦୁଇ ପାଶ୍ୱର୍କୁ ଦେଖିଲେ ଯେ କେହି ଜାଣିପାରିବ । ଏହି ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ଭେଣ୍ଡିଂଜୋନ୍‍ରେ ଅଧାରୁ ଅଧିକ ହେଉଛି ଖାଇବା ଦୋକାନ । ଏଠାରେ ପାର୍କିଂ ପାଇଁ ସ୍ଥାନଟିକେ ନଥିବାରୁ ଲୋକେ ନିଜର ଦୁଇ ଚକିଆ ଓ ଚାରିଚକିଆ ଯାନକୁ ରାସ୍ତାଉପରେ ରଖି ଖାଦ୍ୟ ସାମଗ୍ରୀ, ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ସାମଗ୍ରୀ ଖରିଦ ପାଇଁ ଯାଉଛନ୍ତି ।

ରାଜଧାନୀର କେବଳ ଏହି ଗୋଟିଏ ରାସ୍ତା ନୁହେଁ, ଯେଉଁସବୁ ସ୍ଥାନରେ ଭେଣ୍ଡିଂ ଜୋନ୍‍ ତିଆରି ହୋଇଛି ସେଠାରେ ପ୍ରାୟତଃ ଏଭଳି ସମସ୍ୟା । ଭେଣ୍ଡିଂଜୋନରେ ଥିବା ଦୋକାନୀମାନେ ସାମ୍ନାରେ ଥିବା ଫୁଟଫାଥ୍‍କୁ ଦଖଲକୁ ନେଇଥିବାବେଳେ ଲୋକେ ବି ରାସ୍ତାଦଖଲ କରି ଗାଡିମୋଟର ରଖୁଛନ୍ତି । ବିଦ୍ୟାଳୟ ପାଚେରୀକୁ ଲାଗି ଗଢି ଉଠିଥିବା ଭେଣ୍ଡି ଜୋନରେ ସ୍ଥତି ଆହୁରି ସଙ୍ଗୀନ୍‍ । ଏଠାରେ ପାଠପଢା ସମୟରେ ହୋ ହଲ୍ଲାରେ କାନ ଫାଟି ପଡୁଛି ।

ଭେଣ୍ଡିଂ ଜୋନ୍‍ ଯୋଗୁଁ ବିଭିନ୍ନ ସ୍ଥାନରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ଯୋଗୁଁ ଏହାକୁ ସ୍ଥାନାନ୍ତର ପାଇଁ ବିଏମ୍‍ସି ପଦକ୍ଷେପ ଗ୍ରହଣ କରିଥିଲା । ନିକଟରେ ଥିବା ଖୋଲା ସ୍ଥାନକୁ କେତେକ ଭେଣ୍ଡିଂ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ କୌଣସି କାରଣରୁ ବିଏମସିର ଏହି ନିଷ୍ପତ୍ତି ଏବେ ଶୀତଳଭଣ୍ଡାରେ ରହିଯାଇଛି ।

ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ବିଏମ୍‍ସି ଭେଣ୍ଡିଂ ଜୋନ୍‍ ଆବଣ୍ଟନ କରିଥିଲା ତାହାର କୁଫଳ ଏବେ ସହରବାସୀ ଭୋଗୁଛନ୍ତି । ସଂଧ୍ୟାସମୟରେ ଭେଣ୍ଡିଂଜୋନ୍‍ ସାମ୍ନା ରାସ୍ତା ଅତିକ୍ରମ କରିବା କଷ୍ଟକର ହୋଇପଡୁଛି । ନିକଟରେ ପାର୍କିଂ ପାଇଁ ସ୍ଥାନ ନଥିବାରୁ ପୁଲିସ୍‍ ଚାହିଁଲେ ବି ରାସ୍ତାଉପରୁ ଗାଡିମୋଟର ହଟାଇ ପାରୁନାହିଁ । ଏଥିପାଇଁ ଅନେକ ସମୟରେ ଲୋକେ ପୁଲିସ୍‍ କର୍ମଚାରୀଙ୍କ ସହିତ ଉଚ୍ଚବାଚ କରୁଛନ୍ତି । ତେଣୁ ଶୀତଳଭଣ୍ଡାରରେ ପଡିଥିବା ଭେଣ୍ଡିଂ ଜୋନ୍‍ ସ୍ଥାନାନ୍ତର କାର୍ଯ୍ୟ ତୁରନ୍ତ କରିବାପାଇଁ ସାଧାରଣରେ ଦାବି ହେଉଛି । (ତଥ୍ୟ)