ଭୁବନେଶ୍ୱର : ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ଯୋଗୁଁ ବନ୍ଦହୋଇ ଯାଇଥିବା ବିଦ୍ୟାଳୟଗୁଡିକୁ ପୁଣିଥରେ ଖୋଲିବାପାଇଁ ଥିବା ପ୍ରସ୍ତାବ ଶୀତଳଭଣ୍ଡାରରେ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସତ୍ୱେ ଏହିସବୁ ବିଦ୍ୟାଳୟ ସବୁ ଖୋଲୁନଥିବାବେଳେ ସ୍କୁଲଘରଗୁଡିକ ଏବେ ଭୂତକୋଠି ପାଲଟିଛି ।
ଯେଉଁସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ରୁ କମ୍ ରହିଲେ ତାହାକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ ଦେବାପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ରାଜ୍ୟର ୪୬୨୦ଟି ବିଦ୍ୟାଳୟର ମିଶ୍ରଣ ହୋଇଥିଲା । ମିଶ୍ରଣ ପରେ ବନ୍ଦ ହୋଇଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ନିକଟସ୍ଥ ବିଦ୍ୟାଳୟକୁ ବଦଳି କରିଦିଆଯାଇଥିବାବେଳେ ଛାତ୍ରଛାତ୍ରୀମାନେ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହୋଇଥିଲେ । ଏହିସବୁ ବିଦ୍ୟାଳୟର ୮୬ ହଜାରରୁ ଅଧିକ ପିଲା ଅନ୍ୟ ସ୍କୁଲରେ ପାଠ ପଢିଥିଲେ ।
ତେବେ କେତେକ ସ୍ଥାନରେ ମିଶ୍ରଣ ହୋଇଥିବା ବିଦ୍ୟାଳୟଗୁଡିକ ଦୂରରେ ଥିବା ଏବଂ ରାସ୍ତାଘାଟ ପାର ହୋଇଯିବାକୁ ପଡୁଥିବାରୁ ଛାତ୍ରଛାତ୍ରୀମାନେ ନାନା ସମସ୍ୟାରେ ପଡିଥିଲେ । ତେଣୁ ଅଭିଭାବକମାନେ ବହୁ ସ୍ଥାନରେ ସେମାନଙ୍କ ଅଞ୍ଚଳରେ ଥିବା ବିଦ୍ୟାଳୟ ଖୋଲିବାକୁ ଉଦ୍ୟମ କରିଥିଲେ । ଏପରିକି ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲାଗି ସେମାନେ ପିଲା ଯୋଗାଡରେ ଲାଗି ପଡିଥିଲେ ।
ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ହେଲେ ବନ୍ଦ ହୋଇଥିବା ସ୍କୁଲ ପୁଣି ଖୋଲିବ ବୋଲି କୁହାଗଲା । ଏଥିପାଇଁ ସ୍ଥାନୀୟ ସରପଞ୍ଚ ଓ ବିଧାୟକମାନଙ୍କର ଅନୁମତି ଆବଶ୍ୟକ ଥିବା ପ୍ରଚାର ହେଲା । ଯଦିଓ ସରକାରୀ ସ୍ତରରେ ଏଭଳି କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲା ତଥାପି ଖବର ବ୍ୟାପିବାପରେ ଅଭିଭାବକମାନେ ମେଳି ହୋଇ ପିଲା ଯୋଗାଡ କରିବା ସହିତ ସେମାନଙ୍କ ନାମ, ଠିକଣା ସହିତ ଅଭିଭାବକମାନଙ୍କ ଦସ୍ତଖତ ସମ୍ବଳିତ କାଗଜ ଧରି ନିଜ ନିଜ ବିଧାୟକଙ୍କ ନିକଟକୁ ଧାଇଁଥିଲେ । କେତେକ ଅଭିଭାବକ ମେଳି ହୋଇ ରାଜଧାନୀରେ ବି ପହଞ୍ଚିଥିଲେ ।
ହେଲେ ବିଦ୍ୟାଳୟ ପୁନଃ ଖୋଲିବା ଯୋଜନାଟି ଶୀତଳଭଣ୍ଡାରରେ ରହିଗଲା । ବନ୍ଦ ହୋଇଥିବା ଗୋଟିଏ ହେଲେ ବିଦ୍ୟାଳୟ ଖୋଲିଲା ନାହିଁ । ନିର୍ବାଚନ ପରେ ନୂଆ ସରକାର ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବନ୍ଦ ହୋଇଥିବା ବିଦ୍ୟାଳୟଗୁଡିକ ଏବେ ଗାଁ ଗହଳରେ ଭୂତକୋଠି ପାଲଟିଛି । ସଞ୍ଜ ହେଲେ ନିଶାଡିମାନେ ବିଦ୍ୟାଳୟରେ ଆଡ୍ଡା ଜମାଉଥିବାବେଳେ କେତେକ ସ୍ଥାନରେ ଗାଁ ଲୋକେ ବିଦ୍ୟାଳୟକୁ କଲ୍ୟାଣମଣ୍ଡପ ଭାବେ ବ୍ୟବହାର ବି କଲେଣି ।
ସେହିଭଳି ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ଅଞ୍ଚଳରେ ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ଦୂର ଦୂରାନ୍ତରେ ଥିବା ସରକାରୀ ବିଦ୍ୟାଳୟକୁ ଛାଡିବା ବଦଳରେ ଅର୍ଥ ଖର୍ଚ୍ଚ କରି ନିକଟରେ ଥିବା ଘରୋଇ ବିଦ୍ୟାଳୟରେ ପଢାଇବାକୁ ଉଚିତ୍ ମଣୁଛନ୍ତି । ତେଣୁ ବନ୍ଦ ହୋଇପଡିଥିବା ବିଦ୍ୟାଳୟର ଭିତ୍ତିଭୂମି କେଉଁ କାର୍ଯ୍ୟରେ ଲାଗିବ ଏବଂ ଏହାର ରକ୍ଷଣା ବେକ୍ଷଣ କିଏ କରିବ ସରକାର ତାହା ସ୍ପଷ୍ଟ କରିବା ସହିତ ଯେଉଁସବୁ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେଠାରେ ବନ୍ଦ ହୋଇଥିବା ବିଦ୍ୟାଳୟକୁ ପୁନଃ ଖୋଲିବାପାଇଁ ଦାବି ହେଉଛି । (ତଥ୍ୟ)