Home News in Odia ଶୀତଳଭଣ୍ଡାରରେ ପ୍ରି ପେଡ୍‍ ପରିବହନ

ଶୀତଳଭଣ୍ଡାରରେ ପ୍ରି ପେଡ୍‍ ପରିବହନ

ଭୁବନେଶ୍ୱର : ରାଜଧାନୀରେ ଯାତ୍ରୀ ପରିବହନକୁ ନେଇ ଅଟୋ ଚାଳକ ଓ ଓଲା, ଉବେର ଭଳି ସଂସ୍ଥା ବାରମ୍ବାର ମୁହାଁମୁହିଁ ହେଉଥିବାବେଳେ ପୁଲିସ୍‍ ସହାୟତାରେ ରେଳଷ୍ଟେସନ କିମ୍ବା ବିମାନବନ୍ଦରରୁ ପ୍ରି ପେଡ୍‍ ପରିବହନ ବ୍ୟବସ୍ଥା ହୋଇପାରିଲା ନାହିଁ । ଫଳରେ ଯାତ୍ରୀମାନେ କେତେବେଳେ ଅଟୋଚାଳକଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି ତ ଆଉ କେତେବେଳେ ଅନ୍‍ଲାଇନ୍‍ ପରିବହନ ସଂସ୍ଥାର ।

କମିଶନରେଟ ପୁଲିସ୍‍ ସହାୟତାରେ ରେଳଷ୍ଟେସନରୁ ଯାତ୍ରୀପରିବହନ ପାଇଁ ଯୋଜନା ହୋଇଥିଲା । ହେଲେ ଏହା ଏବେ ଶୀତଳଭଣ୍ଡାରରେ । ଏହି ବ୍ୟବସ୍ଥା ହୋଇଥିଲେ ଜଣେ ଯାତ୍ରୀ ରାତି ଅଧରେ ବି ନିରାପଦରେ ଉଚିତ୍‍ ମୂଲ୍ୟ ଦେଇ ନିଜ ଘରେ ପହଞ୍ଚି ପାରିଥାନ୍ତା । ଏହି ଯୋଜନା କାର୍ଯ୍ୟକାରୀ ନହେବା ଫଳରେ ଅଟୋଚାଳକମାନେ ମନଇଚ୍ଛା ଦର କଷୁଥିବାବେଳେ ଅନ୍‍ଲାଇନ୍‍ ପରିବହନକାରୀ ସଂସ୍ଥାମାନେ ବିଳମ୍ବିତ ରାତିରେ ଅଧିକ ଦର ନେବା ସହିତ ଷ୍ଟେସନ ଠାରୁ ଟିକେ ଦୂରସ୍ଥାନ ହେଲେ ବାରମ୍ବାର ବୁକିଂ ବାତିଲ କରିବା ନିତିଦିନିଆ ଘଟଣା ହୋଇଗଲାଣି ।

ସେହିଭଳି ଷ୍ଟେସନରୁ ଯାତ୍ରୀମାନଙ୍କୁ ପରିବହନ କରୁଥିବା ଯାନ ଉପରେ ପୁଲିସ୍‍ର କୌଣସି ନିୟନ୍ତ୍ରଣ ନଥିବାରୁ ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ବିଭିନ୍ନ ସମୟରେ ଗାଡିଚାଳକମାନେ ଯାତ୍ରୀଙ୍କୁ ଅଧା ରାସ୍ତାରେ ହଇରାଣ ହରକତ କରିବାର ବହୁ ନଜିର ମଧ୍ୟ ରହିଛି । ତେବେ ଦିନବେଳା ଯେଉଁମାନେ ଅନ୍‍ଲାଇନ୍‍ ପରିବହନ ବ୍ୟବସ୍ଥା ଯାନ ଜରିଆରେ ଯାଉଛନ୍ତି ସେମାନେ ନିରାପଦରେ ଘରେ ପହଞ୍ଚି ପାରୁଛନ୍ତି ।

ଅନୁରୂପ ଅବସ୍ଥା ବିମାନବନ୍ଦରରେ ମଧ୍ୟ ପରିଲକ୍ଷିତ ହୋଇଛି । ସେଠାରେ ମଧ୍ୟ ଅନ୍ୟ ରାଜ୍ୟ ଭଳି ପୁଲିସ୍‍ ସହାୟତାରେ ପ୍ରି ପେଡ୍‍ ପରିବହନ ବ୍ୟବସ୍ଥା ନାହିଁ । ଫଳରେ ଯେଉଁ ଯାନଗୁଡିକ ସେଠାରେ ଉପଲବ୍ଧ ହେଉଛନ୍ତି ମନଇଚ୍ଛା ଦର କଷିବାରେ ଲାଗିଛନ୍ତି । ରେଳଷ୍ଟେସନ କିମ୍ବା ବିମାନ ବନ୍ଦରରୁ ସହରର କେଉଁ ସ୍ଥାନକୁ ଗଲେ କେତେ ଅର୍ଥ ଲାଗିବ ତାହାର କୌଣସି ନିର୍ଦ୍ଦିଷ୍ଟ ଭଡା ଧାର୍ଯ୍ୟ ହେଉନାହିଁ ।

ସେହିଭଳି ରାଜଧାନୀରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ପିଙ୍କ୍‍ ଅଟୋ ବ୍ୟବସ୍ଥାର ମଧ୍ୟ ଅପମୃତ୍ୟୁ ହୋଇଛି । ପିଙ୍କ୍‍ ଅଟୋରେ ଯାତ୍ରୀ ନହେବାରୁ ଯେଉଁମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଥିଲେ ସେମାନେ ଏଥିରୁ ଓହରି ଯାଇଛନ୍ତି । ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନାଟି ଲଘୁକ୍ରିୟାରେ ପରିଣତ ହୋଇଛି ।

ସହର ଭିତରେ ଚଳାଚଳ କରୁଥିବା ତିନି ଚକିଆ ଓ ଚାରିଚକିଆ ଯାନଗୁଡିକ ମିଟର ବ୍ୟବହାର କରୁନାହାନ୍ତି । ତିନି ଚକିଆ ଯାନ ପଞ୍ଜିକରଣ ସମୟରେ ମିଟର ଲଗାଇବା ବାଧ୍ୟତାମୂଳକ ହୋଇଥିବାବେଳେ କେବଳ ତାହାକୁ କିଣି ପରିବହନ ଅଧିକାରୀଙ୍କୁ ଦେଖାଇ ଗାଡି ପଞ୍ଜିକରଣ କରୁଛନ୍ତି ଓ ପରେ ତାହାକୁ ଖୋଲି ରଖି ଦେଉଛନ୍ତି । ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଲୋକେ ସଠିକ୍‍ ଭଡା ଦେଇ ଯାତାୟତ କରିପାରନ୍ତେ । ହେଲେ ପରିବହନ କିମ୍ବା ପୁଲିସ୍‍ ଏଥିପ୍ରତି କେହି ହେଲେ ଦୃଷ୍ଟି ଦେଉନାହାନ୍ତି । ଯେଉଁମାନଙ୍କ ଗାଡିରେ ବି ମିଟର ଲାଗିଛି ତାହା ଅକାମୀ ।

ରାଜଧାନୀରେ ଏବେ ଲୋକେ ଅନ୍‍ଲାଇନ୍‍ ଦୁଇ ଚକିଆ ଯାନରେ ଯିବାପାଇଁ ଲୋକେ ଆଗ୍ରହୀ । କାରଣ ଏହା ଶସ୍ତା ହେବା ସହିତ କମ୍‍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଦେଇ ପାରୁଛି । ତେବେ ତିନି ଚକିଆ ଓ ଦୁଇ ଚକିଆଙ୍କ ବିବାଦ ଭିତରେ ରାଜଧାନୀବାସୀ ହଲାପଟା ହେଉଥିବାବେଳେ ପରିବହନ ବିଭାଗ କିମ୍ବା କମିଶନରେଟ ପୁଲିସ୍‍ ତୁରନ୍ତ ଏହା ଉପରେ ସ୍ପଷ୍ଟ ନୀତି ଘୋଷଣା କରିବାକୁ ଦାବି ହେଉଛି । (ତଥ୍ୟ)