Home Forest ଶୀତଳଭଣ୍ଡାରରେ କଳାବାଘ ସଫାରି

ଶୀତଳଭଣ୍ଡାରରେ କଳାବାଘ ସଫାରି

ଭୁବନେଶ୍ୱର : ବିରଳ କଳାବାଘଙ୍କୁ ନେଇ ଶିମିଳିପାଳରେ ପ୍ରସ୍ତାବିତ ବାଘ୍ର‌୍ୟ ସଫାରୀ କାର୍ଯ୍ୟ ଆଗେଇ ପାରୁନାହିଁ । ଇତି ମଧ୍ୟରେ ଏହାର ଘୋଷଣାକୁ ଦେଢବର୍ଷ ପୂରିଗଲାଣି । ଶିମିଳିପାଳରେ କଳାବାଘ ଆର୍ନ୍ତଜାତୀୟ ଆକର୍ଷଣର ବିଷୟବସ୍ତୁ ହୋଇଛି । ଏହି ପ୍ରଜାତିର ବାଘ ଦେଶର ଅନ୍ୟ କୌଣସି ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି ନାହିଁ । ସେଥିପାଇଁ ରାଜ୍ୟ ସରକାର ଏହି ଧରଣର ସଫାରି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ବାରିପଦା ନିକଟରେ ଏବଂ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଏହି ସ‘ାରି ପ୍ରାୟ ୨୦୦ ହେକ୍ଟରରୁ ଅଧିକ ଅଞ୍ଚଳରେ ହେବାର ଥିଲା । ଏଥିମ୍ମରୁ ୧୦୦ ହେକ୍ଟର ଅଞ୍ଚଳ ପ୍ରଦର୍ଶନୀ କ୍ଷେତ୍ର ପାଇଁ ଥିବାବେଳେ ଅବଶିଷ୍ଟ ଅଞ୍ଚଳକୁ ପଶୁ ଚିକିତ୍ସା ସେବା ସୁବିଧା, କର୍ମଚାରୀ ଭିତ୍ତିଭୂମି, ପରିଦର୍ଶକ ସୁବିଧା ଏବଂ ଏକ ଉଦ୍ଧାର କେନ୍ଦ୍ରର ବିକାଶ ପାଇଁ ବ୍ୟବହାର କରାଯିବାର ପ୍ରସ୍ତାବ ଥିଲା ।

ଏହି ସଫାରି କଳାବାଘ ଭଳି ବିରଳ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଶାର ଅନନ୍ୟ ଜୈବ ବିବିଧତାର ସଂରକ୍ଷଣ ଏବଂ ପ୍ରଦର୍ଶନ ପାଇଁ ରାଜ୍ୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥାନ୍ତା । ପ୍ରକଳ୍ପ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ବୈଧାନିକ ମଞ୍ଜୁରୀ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଦ୍ୱାରା ଚୂଡ଼ାନ୍ତ ସ୍ଥାନର ସମ୍ଭାବ୍ୟ ଅଧ୍ୟୟନ ଏବଂ ଆରମ୍ଭ ପୂର୍ବରୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ମିଳିବାର ଥିଲା ।

ଉଲ୍ଲେଖନୀୟ ଯେ ଶିିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏହାର ବିସ୍ତୀର୍ଣ୍ଣ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ୧୨ଟି ନଦୀ ସହିତ ଏକ ଜୈବ ବିବିଧତା ରହିଛି । ଏହା ୫୦ ରୁ ଅଧିକ ସ୍ତନ୍ୟପାୟୀ ପ୍ରଜାତି, ୩୦୦ ରୁ ଅଧିକ ପକ୍ଷୀ ପ୍ରଜାତି ଏବଂ ୬୦ ରୁ ଅଧିକ ସରୀସୃପ ପ୍ରଜାତିର ବାସସ୍ଥାନ ଅଟେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଂରକ୍ଷଣ ହେଉଛି ସମୃଦ୍ଧ ଜୈବ ବିବିଧତାର ଏକ ଅଭୟାରଣ୍ୟ । ବିରଳ ପ୍ରଜାତିର ବାଘ ସଫାରି ପରିଦର୍ଶକମାନଙ୍କ ପାଇଁ ଅନନ୍ୟ ଆକର୍ଷଣୀୟ ହେବାକୁ ଥିବାବେଳେ ଏଥିପାଇଁ ଯେଉଁ ଉଦ୍ୟମ ଆବଶ୍ୟକ ତାହା ପରିଲକ୍ଷିତ ହେଉନାହିଁ ।

ଆଗାମୀ ଦିନରେ ବାଘ୍ର‌୍ୟ ସଫାରି ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିବାର ସୁଯୋଗ ରହିଥିଲା । ସେଥିପାଇଁ ସର୍ବୋଚ୍ଚ ସ୍ତରରେ ଏଭଳି ଉଦ୍ୟମ କରାଯାଇଥିଲା । ତେବେ ଅମଲାତାନ୍ତ୍ରିକ ଉଦାସୀନତା ଯୋଗୁଁ ଏହି ପ୍ରକଳ୍ପ ଆଗେଇ ପାରୁନଥିବା ଅଭିଯୋଗ ହେଉଛି । ଯାହାଫଳରେ କି ଏହି ବିରଳ କଳାବାଘ ସଫାରି ପ୍ରସ୍ତାବ ଶୀତଳଭଣ୍ଡାରେ ରହିଯାଇଛି । (ତଥ୍ୟ)