Home Culture ଶୀଘ୍ର ସରିବ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ

ଶୀଘ୍ର ସରିବ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ

ଭୁବନେଶ୍ୱର : ଓଡିଶା ରାଜ୍ୟ ସଂଗ୍ରହାଳୟରେ ହେବାକୁ ଥିବା ଗାନ୍ଧୀ ଗ୍ୟାଲେରୀ ଓ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀର ର୍ନିମାଣ କାର୍ଯ୍ୟ ଚଳିତମାସ ଶେଷ ସୁଦ୍ଧା ସମାପ୍ତ କରିବାପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ସମଗ୍ର ବିଶ୍ୱରେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ରାଜ୍ୟ ସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମ୍ୟୁଜିୟମରେ ଗାନ୍ଧୀ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ ଏବଂ ଏଥିଲାଗି ଇନ୍‍ଟାକକୁ ଦାୟିତ୍ୱ ଦିଆଯାଇଥିଲା । ଇନ୍‍ଟାକ ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ଗାନ୍ଧୀ ଗ୍ୟାଲେରୀ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲା । ସେହିଭଳି ଓଡିଶାରେ ସ୍ୱାଧୀନତା ସଂଗ୍ରାମ ଶୀର୍ଷକ ଅନ୍ୟଏକ ଗ୍ୟାଲେରୀର ପ୍ରସ୍ତୁତି କାମ ମଧ୍ୟ ଇନ୍‍ଟାକ କରୁଛି ।

ଇତି ମଧ୍ୟରେ ଦୁଇଟି ଯାକ ଗ୍ୟାଲେରୀର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏଥିରେ ବହୁ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଥିଲା । ବିଶେଷଜ୍ଞମାନେ ତ୍ରୁଟି ସଂଶୋଧନ ଲାଗି ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ତେବେ ଏହି ଉଦ୍ଦେଶ୍ୟରେ ନିର୍ମିତ କେତେକ ପ୍ରତିମୂର୍ତ୍ତି ଠିକ୍‍ ନଥିବା ଏବଂ ଆଉ କେତେକ ଛବିରେ ଗୁରୁତର ତ୍ରୁଟିଥିବା ସଂକ୍ରାନ୍ତରେ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇବାପରେ ତତ୍କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ନିଜେ ଏହି ନିର୍ମାଣଧିନ ଗ୍ୟାଲେରୀ ଦୁଇଟି ପରିଦର୍ଶନ କରି ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଇତି ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟ ସଂଗ୍ରହାଳୟକୁ ଆସି ସ୍ୱଚକ୍ଷୁରେ ତ୍ରୁଟି ବିଚ୍ୟୁତିଗୁଡିକ ଦେଖିବାପରେ ତୁରନ୍ତ ଠିକଣା ଭାବେ ଏହି ଗୌରବାବହ ସ୍ମାରକୀର ନିର୍ମାଣ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ ।

ଗତକାଲି ଏ ସଂକ୍ରାନ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ବିଷୟ ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଇନ୍‍ଟାକ ଓ ରାଜ୍ୟ ସଂଗ୍ରହାଳୟ କର୍ତ୍ତୃପକ୍ଷ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ନିର୍ମାଣ କାର୍ଯ୍ୟ ଚଳିତମାସ ଶେଷ ସୁଦ୍ଧା ଚୂଡାନ୍ତ କରିବାକୁ ସ୍ଥିର ହୋଇଛି ।

ଆଜି ଏ ପ୍ରସଙ୍ଗରେ ରାଜ୍ୟ ସଂଗ୍ରହାଳୟରେ ଆଉ ଏକ ଉଚ୍ଚସ୍ତରୀୟ ବୈଠକ ବସି କେତେଗୁଡିଏ ପ୍ରତିମୂର୍ତ୍ତିର ପୁନଃ ନିର୍ମାଣ ଏବଂ ଯେଉଁସବୁ ସ୍ଥଳରେ ତଥ୍ୟଗତ ତ୍ରୁଟି ରହିଛି ସେଗୁଡିକର ଠିକଣା ସଂଶୋଧନ ଲାଗି ସ୍ଥିର ହୋଇଛି । ଏହି କାର୍ଯ୍ୟ ରାଜ୍ୟର ଖ୍ୟାତନାମା ସ୍ଥପତିମାନଙ୍କ ଦ୍ୱାରା କରାଇବା ଲାଗି ନିଷ୍ପତ୍ତି ହୋଇଛି । ଏହି ଗ୍ୟାଲେରୀଗୁଡିକରେ ପାଇକବିଦ୍ରୋହ, ଘୁମୁଷର କନ୍ଧ ମେଳି ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁ ଓ ଗୋପବନ୍ଧୁଙ୍କ ଭୂମିକା, ଅସହଯୋଗ ଆନ୍ଦୋଳନ, ଗାନ୍ଧୀଜୀଙ୍କ ଆଠଟି ଯାକ ଓଡିଶା ଗସ୍ତ, ଲବଣ ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ, ବାଜିରାଉତଙ୍କ ବଳିଦାନ, ଘେସ ଜମିଦାର ପରିବାରର ବଳିଦାନ, ଆମସୋ ସିମକୋ ଗୁଳିକାଣ୍ଡ ସହିତ ବେଜେଲଗେଟ ହତ୍ୟା, ଲକ୍ଷ୍ମଣନାୟକଙ୍କ ଫାଶୀ, ମାଥିଲି, ପାପଡାହାଣ୍ଡି, ଇରମ, କାଇପଡା କଳାମାଟିଆ, ଲୁଣିଆ ଆଦି ଗୁଳିକାଣ୍ଡର ଝଲକ ରଖାଯାଉଥିବା ଜଣାପଡିଛି । ଏହାଛଡା ଏହି ଗ୍ୟାଲେରିରେ ସ୍ୱାଧୀନତା ସଂଗ୍ରାମରେ ଉତ୍କଳନୀୟ ନାରୀମାନଙ୍କ ଭୂମିକାର ବି ଝଲକ ଦେଖିବାକୁ ମିଳିବ । (ତଥ୍ୟ)