ଭୁବନେଶ୍ୱର : ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ବ୍ୟାପକ ଚଢଉ ସହିତ ଦୋଷୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଉଥିବାବେଳେ ଦଣ୍ଡ ବିଧାନ କିନ୍ତୁ ହୋଇପାରୁ ନାହିଁ । ମାମଲା ଫଏସଲାରେ ବିଳମ୍ବ ଯୋଗୁଁ ଦଣ୍ଡ ହାର ଅତ୍ୟନ୍ତ ନଗଣ୍ୟ ରହିଛି ।
ଶିଶୁ ଓ କିଶୋର ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ଆଇନ୍ ୧୯୮୬ ଅନୁଯାୟୀ ଶିଶୁ ଶ୍ରମିକ ବିଲୋପ ପାଇଁ ଚଢଉ ସହିତ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଉଛି । ଏହି ଚଢଉ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସ୍କ୍ୱାଡ୍ ଗଠନ ହୋଇଛି । ଶିଶୁମାନଙ୍କୁ ବିଭିନ୍ନ ବିପଦଜନକ କାର୍ଯ୍ୟରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ପାଇଁ ଜେଲ୍ ଓ ଜୋରିମାନା ଦଣ୍ଡ ରହିଛି ।
ତେବେ ଗତ ଛଅବର୍ଷ ଧରି ଏ ନେଇ ଯେତେ ମାମଲା ରୁଜୁ ହେଉଛି ତାହାର ୧୦ ପ୍ରତିଶତ ବି ଫଏସଲା ହୋଇପାରୁ ନାହିଁ । ୨୦୧୫ ମସିହାରେ ଏ ନେଇ ୨୫୦ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ମାତ୍ର ୧୭ଟି ଫଏସଲା ହୋଇପାରିଥିଲା । ଏହା ପରବର୍ଷ ଅର୍ଥାତ୍ ୨୦୧୬ରେ ୧୩୧ଟି ମାମଲାରୁ ଫଏସଲା ହୋଇଛି ମାତ୍ର ଗୋଟିଏ ।
୨୦୧୭ ମସିହାରେ ରୁଜୁ ହୋଇଥିବା ୧୨୩ ମାମଲାରୁ ୧୮ଟି ଫଏସଲା ହୋଇଥିବାବେଳେ ଏହା ପରବର୍ଷ ରୁଜୁ ୫୪ଟି ମାମଲାରୁ ଗୋଟିଏ ବି ଫଏସଲା ହୋଇପାରିନଥିଲା । ସେହିଭଳି ୨୦୧୯ରେ ସର୍ବାଧିକ ୩୯ଟି ମାମଲା ଫଏସଲା ହୋଇଥିବାବେଳେ ସେହିଭଳି ମାତ୍ର ୨୬ଟି ମାମଲା ରୁଜୁ ହୋଇଥିଲା । ୨୦୨୦ ରେ ସବୁଠାରୁ କମ୍ ୧୧ଟି ମାମଲା ରୁଜୁ ହୋଇଥିବାବେଳେ ଗୋଟିଏ ବି ମାମଲାରେ ଦଣ୍ଡବିଧାନ ହୋଇପାରି ନାହିଁ ।
କମ୍ ପରିମାଣରେ ମାମଲା ଫଏସଲା ଯୋଗୁଁ ବର୍ତ୍ତମାନ ସୁଦ୍ଧା ବାକିଆ ମାମଲା ଗଡି ଗଡି ୧୩ଶହକୁ ଟପିଗଲାଣି । ଏଥିଯୋଗୁଁ ଯେଉଁ ଲକ୍ଷ୍ୟ ନେଇ ଚଢଉ ଓ ମାମଲା ରୁଜୁ ହେଉଥିଲା ତାହା ପୂରଣ ହୋଇପାରୁ ନାହିଁ । ଦୋଷୀଙ୍କର ବି ଭୟ ରହୁନାହିଁ । ଫଳରେ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ଲାଗିଛି ।
ଶିଶୁ ଶ୍ରମିକ ନେଇ ହୋଇଥିବା ସର୍ଭେରୁ ଜଣାଯାଇଛି ଯେ କଳାହାଣ୍ଡି ଜିଲ୍ଲାରେ ୨୦୧୮ ମସିହାରେ ୨୫୩୬ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ଭିତରେ ୧୨୭୮ଜଣ ଝିଅ ଥିଲେ । ସେହିଭଳି କଟକ ଜିଲ୍ଲାରେ ୮୯୦ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିବାବେଳେ ଗଜପତିରେ ୯୯୯, ଅନୁଗୁଳରେ ୮୪୯, କେନ୍ଦୁଝରରେ ୮୬୫, ଯାଜପୁରରେ ୮୧୬ ଶିଶୁଶ୍ରମିକ ଚିହ୍ନଟ ହୋଇଛନ୍ତି ।
ତେବେ ଚିହ୍ନଟ ହୋଇଥିବା ଶିଶୁଶ୍ରମିକଙ୍କ ତୁଳନାରେ ବାସ୍ତବ ସଂଖ୍ୟା ଢେର ଅଧିକ ବୋଲି ଶିଶୁ ଶ୍ରମ ଉଚ୍ଛେଦ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଇଛନ୍ତି । ସେମାନଙ୍କ ମତରେ ଯେତିକି ମାମଲା ରୁଜୁ ହେଉଛି ତାହାର ତୁରନ୍ତ ଫଏସଲା ସହିତ ଦଣ୍ଡ ବିଧାନ କରାଗଲେ ଶିଶୁମାନଙ୍କୁ ଶ୍ରମିକ ଭାବେ ନିଯୁକ୍ତ କରିବାକୁ ଲୋକେ ଭୟ କରିବେ । ତେଣୁ ଏ କ୍ଷେତ୍ରରେ ସରକାର ଓ ଅଦାଲତ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । (ତଥ୍ୟ)