Home General ଶିଶୁ ଶ୍ରମିକ ଉଦ୍ଧାରରେ ଦ୍ୱିତୀୟ

ଶିଶୁ ଶ୍ରମିକ ଉଦ୍ଧାରରେ ଦ୍ୱିତୀୟ

ଭୁବନେଶ୍ୱର : ମାନବ ଚାଲାଣ ଅଭିଯୋଗରେ ସାରା ଦେଶରେ ୧୮ବର୍ଷ ବୟସରୁ କମ୍‍ ବୟସର ଶିଶୁ ଉଦ୍ଧାର କ୍ଷେତ୍ରରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ଉଦ୍ଧାର ଶିଶୁ ଶ୍ରମିକଙ୍କ ସଂକ୍ରାନ୍ତରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ରାଜ୍ୟସଭାରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି ।

ମନ୍ତ୍ରୀ ଦେଇଥିବା ଉତ୍ତରରୁ ଜଣାଯାଇଛି ଯେ ୨୦୧୭ ରୁ ୨୦୨୨ ମଧ୍ୟରେ ଦେଶରେ ଯେଉଁସବୁ ରାଜ୍ୟରୁ ସର୍ବାଧିକ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି ତାହା ଭିତରେ ଆସାମ, ବିହାର, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ସିକିମ୍‍, ତେଲେଙ୍ଗାନା ଭଳି ରାଜ୍ୟ ରହିଛନ୍ତି । ଜାତୀୟ ସ୍ତରରେ ଉଦ୍ଧାର ଶିଶୁ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଓଡିଶାରେ କିନ୍ତୁ ଏହା ବୃଦ୍ଧି ପାଉଛି ।

ଶିଶୁ ଶ୍ରମିକ ଉଦ୍ଧାର କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବିହାର । ଏହି ରାଜ୍ୟରେ ୨୦୨୨ ମସିହାରେ ମାନବ ଚାଲାଣ ସମୟରେ ୧୮ବର୍ଷ ବୟସରୁ କମ୍‍ ୬୧୩ ଜଣ ଶିଶୁ ଉଦ୍ଧାର ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୫୬୪ ରହିଛି । ତେବେ ୨୦୨୦ ରେ ଓଡିଶାରେ ମାତ୍ର ୧୫୯ ଜଣ ଶିଶୁ ଉଦ୍ଧାର ହୋଇଥିବାବେଳେ ୨୦୨୧ ରେ ଏହି ସଂଖ୍ୟା ୩୯୯କୁ ବୃଦ୍ଧି ପାଇଥିଲା । ଏହି ବର୍ଷ କେରଳରୁ ୧୨୮, ଝାଡଖଣ୍ଡରୁ ୧୧୩, ରାଜସ୍ଥାନରୁ ୪୫୩, ଉତ୍ତରପ୍ରଦେଶରୁ ୭୩ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଶିଶୁଶ୍ରମିକଙ୍କ ସଂଖ୍ୟା ଏହିବର୍ଷ ୩୦୯୮ ରହିଥିଲା ।

ଏତେ ସଂଖ୍ୟାରେ ଶିଶୁ ଶ୍ରମିକ ଉଦ୍ଧାର ହେଉଥିଲେ ମଧ୍ୟ ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ସେଭଳି ମାମଲା ରୁଜୁ ହୋଇନାହିଁ । ୨୦୨୧ ରେ କେବଳ ୬ଟି ମାମଲା ରୁଜୁ ହୋଇଥିବାବେଳେ ଚାରିବର୍ଷ ମଧ୍ୟରେ ଗୋଟିଏ ହେଲେ ମାମଲା ରୁଜୁ ହୋଇନଥିଲା । ତେବେ ମାନବ ଚାଲାଣ ଆଇନ୍‍ ବଳରେ ୨୦୨୧ରେ ୧୩୬ଟି ମାମଲା ରୁଜୁ ହୋଇଥିବାବେଳେ ୨୨୮ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ୧୧୨ ଜଣଙ୍କ ବିରୁଦ୍ଧରେ କର୍ତ୍ତୃପକ୍ଷ ଚାର୍ଜସିଟ୍‍ ଦାଖଲ କରିବାରେ ସକ୍ଷମ ହୋଇଥିଲେ । ସେହିଭଳି ୨୦୨୨ରେ ୧୨୧ଟି ମାମଲା ରୁଜୁ ହୋଇଥିବାବେଳେ ୪୩୩ ଜଣ ଗିରଫ ହୋଇଥିଲେ ଓ ୧୩୮ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍‍ ଦାଖଲ କରାଯାଇଥିଲା ।

ତେବେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଶିଶୁ ଶ୍ରମିକ, ମାନବ ଚାଲାଣକୁ ରୋକିବା ସହିତ ସମ୍ବେଦନଶୀଳ ଶିଶୁମାନେ ଯେଭଳି ଶ୍ରମିକ ନସାଜିବେ କିମ୍ବା ଭିକ୍ଷାବୃତ୍ତି ନକରିବେ ସେଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମିଶନ ବାତ୍ସଲ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶିଶୁ ଯନ୍ତ୍ର ଅନୁଷ୍ଠାନ ଜରିଆରେ ୭୬ହଜାରରୁ ଅଧିକ ଶିଶୁଙ୍କୁ ଚିହ୍ନଟ ସହିତ ସହାୟତା ଯୋଗାଇ ଦିଆଯାଇଛି ।

କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥି ମଧ୍ୟରେ ଥଇଥାନ ରଣନୀତି, ମାଗଣା ଶିକ୍ଷାଦାନ ଏବଂ ସାମାଜିକ-ଆର୍ଥିକ ବିକାଶ ଆଦି ଯୋଜନା ରହିଛନ୍ତି । (ତଥ୍ୟ)