Home Health ଶିଶୁ ମୃତ୍ୟୁହାର ଏବେ ବି ଉଦବେଗଜନକ

ଶିଶୁ ମୃତ୍ୟୁହାର ଏବେ ବି ଉଦବେଗଜନକ

ଭୁବନେଶ୍ୱର : ଓଡିଶାରେ ଶିଶୁ ମୃତ୍ୟୁହାର କମିଥିଲେ ମଧ୍ୟ ଏବେ ବି ଶିଶୁମାନଙ୍କ ଅବସ୍ଥା ଉଦବେଗଜନକ ସ୍ଥିତିରେ ରହିଛି । ଅବଶ୍ୟ ଉତ୍ତରପ୍ରଦେଶ, ଛତିଶଗଡ, ବିହାରଭଳି କେତେକ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ତୁଳନାତ୍ମକ ଭାବେ ଭଲ ଅଛି ।

ସଂସଦରେ ଉପସ୍ଥାପନ କରାଯାଇଥିବା ୨୦୨୪-୨୫ ବର୍ଷର ଆର୍ଥିକ ସର୍ଭେ ପରିସଂଖ୍ୟାନରୁ ଏହି ତଥ୍ୟ ପୁଣିଥରେ ବାରିହୋଇ ଯାଉଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୧ କରାଯାଇଥିଲା ୧୯୯୨-୯୩ ମସିହାରେ । ସେତେବେଳେ ଓଡିଶାରେ ପ୍ରତି ୧୦୦୦ ରେ ୧୧୨ ଜଣ ନବଜାତକଙ୍କ ମୃତ୍ୟୁ ହେଉଥିବାବେଳେ ଏହି ସର୍ଭେର ପଞ୍ଚମ ସଂସ୍କରଣ ରିପୋର୍ଟରେ ଏହି ହାର ୩୬କୁ ହ୍ରାସ ପାଇଥିବା ଦର୍ଶାଯାଇଛି । ଏଠାରେ ଉଲ୍ଲେଖନୀୟ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟ ୨୦୧୯-୨୧ ର ଅନୁଧ୍ୟାନକୁ ଆଧାର କରି ପ୍ରସ୍ତୁତ ହୋଇଥିବାବେଳେ ଏଯାବତ୍‍ ଏହି ସର୍ଭେର ଷଷ୍ଠ ସଂସ୍କରଣ ଆରମ୍ଭ ହୋଇନାହିଁ ।

ଆର୍ଥିକ ସର୍ଭେ ରିପୋର୍ଟରେ ପୁଣି ଉଲ୍ଲେଖ କରାଯାଇଛି ଯେ ଏନଏଫ୍‍ଏଚଏସ୍‍-୧ ବେଳକୁ ୫ବର୍ଷରୁ କମ୍‍ ବୟସର ଶିଶୁଙ୍କ ଭିତରୁ ପ୍ରତି ହଜାରେ ଜଣରେ ଓଡିଶାରେ ୧୩୧ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଏହି ରିପୋର୍ଟର ପଞ୍ଚମ ସଂସ୍କରଣରେ ଶିଶୁ ମୃତ୍ୟୁହାର ୪୧କୁ ହ୍ରାସ ପାଇଛି ।

ବୟସ ତୁଳନାରେ ଉଚ୍ଚତା ଏବେ ବି ଓଡିଶାର ୩୧ ପ୍ରତିଶତ ଶିଶୁଙ୍କର କମ୍‍ ରହୁଛି । ଓଡିଶା ପାଇଁ ଆଶ୍ୱାସନାର କଥା ହେଉଛି ଯେ ଏ କ୍ଷେତ୍ରରେ ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ବିହାର ଓ ଆସାମ ଆଦି ରାଜ୍ୟର ସ୍ଥିତି ଓଡିଶା ଠାରୁ ଢେର ଖରାପ । ସେହିଭଳି ଆର୍ଥିକ ସର୍ଭେ ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ ଏନଏଫ୍‍ଏଚଏସ୍‍-୫ ଅନୁଯାୟୀ ଓଡିଶାରେ ୫ବର୍ଷରୁ କମ୍‍ ବୟସର ଶିଶୁଙ୍କ ଭିତରେ ଅନ୍ୟୁନ ୧୮ ପ୍ରତିଶତଙ୍କ ଓଜନ ଉଚ୍ଚତା ତୁଳନାରେ ଢେର କମ୍‍ ।

ସେହିଭଳି ଏହି ବର୍ଗର ଶିଶୁମାନଙ୍କ ମଧ୍ୟରୁ ବୟସ ତୁଳନାରେ ୨୬ ପ୍ରତିଶତରୁ ଅଧିକ ଶିଶୁଙ୍କ ଓଜନ ଓଡିଶାରେ କମ୍‍ ରହୁଛି । ରାଜ୍ୟରେ ଶିଶୁ ଜନ୍ମ ହାର ମଧ୍ୟ କମିବାରେ ଲାଗିଛି । ଏନଏଫ୍‍ଏଚ୍‍ଏସ୍‍ ପ୍ରଥମ ସଂସ୍କରଣ ରିପୋର୍ଟରେ ଗର୍ଭଧାରଣ କରୁଥିବା ମହିଳା ହାରାହାରି ୨.୯ ଜଣ ଶିଶୁ ଜନ୍ମ କରୁଥିବାବେଳେ ପଞ୍ଚମ ସଂସ୍କରଣ ରିପୋର୍ଟରେ ଏହା ୧.୮କୁ ହ୍ରାସ ପାଇଛି । ଅର୍ଥାତ୍‍ ୩୦ବର୍ଷ ଭିତରେ ଓଡିଶାରେ ଶିଶୁ ଜନ୍ମହାର କମୁଛି ।

ଶିଶୁ ଓ ମହିଳାମାନଙ୍କ ବିକାଶକୁ ଆଖିଆଗରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ଓଡିଶାରେ ବହୁ ଯୋଜନା ଚାଲୁଛି । ଗର୍ଭବତୀମାନଙ୍କୁ ପୁଷ୍ଟିକର ଖାଦ୍ୟ ସହ ଅନ୍ୟାନ୍ୟ ଔଷଧପତ୍ର ମାଗଣାରେ ଯୋଗାଇ ଦିଆଯିବା ସହ ଡାକ୍ତରଖାନାରେ ସେମାନେ ଯେଭଳି ସନ୍ତାନ ପ୍ରସବ କରିବେ ସେ ଦିଗରେ ବି ଆଶାକର୍ମୀମାନଙ୍କ ମାଧ୍ୟମରେ ଧ୍ୟାନ ଦିଆଯାଉଛି । ଏହାଛଡା ଅଙ୍ଗନବାଡି କର୍ମୀମାନେ ବି ମା’ ଓ ଶିଶୁ କଲ୍ୟାଣପାଇଁ କାର୍ଯ୍ୟ କରୁଛନ୍ତି । ବାଲବାଡି ମାଧ୍ୟମରେ ଛୋଟ ଛୋଟ ପିଲାମାନଙ୍କ ଲାଗି ପୌଷ୍ଟିକ ଖାଦ୍ୟ ବ୍ୟବସ୍ଥା କରାଯାଇଥିବାବେଳେ ମାଗଣାରେ ଟୀକାକରଣ ଉପରେ ବି ଗୁରୁତ୍ୱ ଦିଆଯାଉଛି ।

ଏହାଛଡା ବିଦ୍ୟାଳୟଗୁଡିକରେ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ମଧ୍ୟାହ୍ନଭୋଜନ ଦିଆଯିବା ସହିତ କିଶୋରୀମାନଙ୍କ ସ୍ୱାସ୍ଥ୍ୟକୁ ଆଖିଆଗରେ ରଖି ମଧ୍ୟ ଔଷଧ ଓ ପୌଷ୍ଟିକ ଖାଦ୍ୟ ଯୋଗାଣର ସରକାରୀ ବ୍ୟବସ୍ଥା ରହିଛି । ଏଥିଯୋଗୁଁ ଶିଶୁମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛିଟା ସୁଧାର ଆସୁଥିଲେ ବି ଏବେ ଆହୁରି ଅନେକ କିଛି ଲକ୍ଷ୍ୟ ହାସଲ କରିବାକୁ ବାକି ରହିଥିବା କୁହାଯାଉଛି । (ତଥ୍ୟ)