Home General ଶିଶୁ ଚାଲାଣ ବଡିଛି ୪ଗୁଣ

ଶିଶୁ ଚାଲାଣ ବଡିଛି ୪ଗୁଣ

ଭୁବନେଶ୍ୱର : ଓଡିଶାରୁ ଗତ ୫ବର୍ଷ ମଧ୍ୟରେ ୧୮ବର୍ଷରୁ କମ୍‍ ବୟ ବୟସର ପିଲାଙ୍କ ଚାଲାଣ ୪ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୭ ମସିହାରେ ରାଜ୍ୟରୁ ୧୧୭ଜଣ ଶିଶୁ ଚାଲାଣ ରେକର୍ଡ ହୋଇଥିବାବେଳେ ୨୦୨୧ରେ ତାହା ୪୯୭କୁ ବୃଦ୍ଧି ପାଇଛି ।

ଦେଶରେ ଶିଶୁ ଚାଲାଣ ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟ ସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି । ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ୨୦୧୭ରେ ସମଗ୍ର ଦେଶରେ ୩୫୩୫ ଶିଶୁ ଚାଲାଣ ହୋଇଥିବାବେଳେ ସେହିବର୍ଷ ଓଡିଶାରୁ ଏହି ତାଲିକାରେ ୧୧୭ଜଣ ଶିଶୁ ଥିଲେ । ଏହା ପରଠାରୁ ଦେଶରେ ଶିଶୁ ଚାଲାଣ ସଂଖ୍ୟା କମିଥିଲା । ୨୦୧୮ ରେ ଦେଶରେ ୨୭୭୨ ଶିଶୁ ଚାଲାଣ ରିପୋର୍ଟ ହୋଇଥିବାବେଳେ ୨୦୧୯ରେ ୨୮୬୩, ୨୦୨୦ ରେ ୨୨୨୨ ଓ ୨୦୨୧ରେ ୨୮୭୭ ରହିଥିଲା ।

ତେବେ ଓଡିଶାରେ ଶିଶୁ ଚାଲାଣ ସଂଖ୍ୟା ବଢି ବଢି ଚାଲିଥିଲା । ୨୦୧୮ରେ ରାଜ୍ୟରୁ ୧୩୧ ଶିଶୁ ଚାଲାଣ ହୋଇଥିବା ସରକାରୀ ଭାବେ କୁହାଯାଇଥିବାବେଳେ ୨୦୧୯ରେ ୨୦୨, ୨୦୨୦ରେ ୧୫୯ ଓ ୨୦୨୧ ରେ ୪୯୭ ଜଣ ଶିଶୁ ଚାଲାଣ ହୋଇଥିଲେ । କରୋନା କାଳରେ ହଠାତ ଶିଶୁ ଚାଲାଣ ସଂଖ୍ୟା ରାଜ୍ୟରେ ଢେର ବଢି ଯାଇଥିବା ଲକ୍ଷ୍ୟ କରାଯାଇଛି ।

ଓଡିଶାରେ ଶିଶୁ ଚାଲାଣ ସଂଖ୍ୟା ବଢିଥିବାବେଳେ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ପଡୋଶୀ ରାଜ୍ୟଗୁଡିକରେ କିନ୍ତୁ ଏହା କମ୍‍ ରହିଛି । ଆନ୍ଧ୍ରପ୍ରଦେଶରେ ଏହା ଦୁଇ ଅଙ୍କରେ ସୀମିତ ଅଛି । ୨୦୧୭ରେ ଆନ୍ଧ୍ରପ୍ରଦେଶରୁ ୨୬ଜଣ ଶିଶୁ ଚାଲାଣ ହୋଇଥିବାବେଳେ ପରବର୍ତ୍ତୀ ତିନିବର୍ଷ ଏହି ସଂଖ୍ୟା ୨୫ ତଳେ ରହିଥିଲା । ତେବେ ୨୦୨୧ରେ ହଠାତ୍‍ ଏହା ୫୮କୁ ବୃଦ୍ଧି ପାଇଥିଲା । ସେହିଭଳି ଛତିଶଗଡରେ ଏହା ହ୍ରାସ ପାଇ ୨୦୨୧ରେ ୪୩ ଥିବାବେଳେ ଝାଡଖଣ୍ଡରେ ୨୦୧୭ରେ ୩୩୧ ରୁ ୨୦୨୧ରେ ୧୪୬କୁ ହ୍ରାସ ପାଇଛି । ସେହିଭଳି ପଶ୍ଚିମବଙ୍ଗରେ ୨୦୧୭ରେ ୩୧୯ ରୁ ୨୦୨୧ରେ ୫୦କୁ ହ୍ରାସ ପାଇଛି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଚାଲାଣ ଶିଶୁମାନଙ୍କୁ ଥଇଥାନ ସହିତ ଅନ୍ୟ ଯେଉଁ ଶିଶୁମାନେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ପାଇଁ ମିଶନ ବାତ୍ସଲ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏଭଳି ଶିଶୁମାନଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟର ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଭଳି ଶିଶୁଙ୍କ ସୁରକ୍ଷା ପାଇଁ ମାନବ ଚାଲାଣ ନିରୋଧି ୟୁନିଟ୍‍ ଗଠନ ଲାଗି ନିର୍ଭୟା ପାଣ୍ଠିରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୨୫୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।

ସେହିଭଳି ମାନବ ଚାଲାଣ ରୋକିବାପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ରାଜ୍ୟ, ଜିଲ୍ଲା ଓ ଥାନା ସ୍ତରରେ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)