Home General ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାନସଭା ଫୋରମ୍‌

ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାନସଭା ଫୋରମ୍‌

ଭୁବନେଶ୍ୱର : ଶିଶୁ ଅଧିକାର ସୁରକ୍ଷା ସହ ସେମାନଙ୍କର ଶିକ୍ଷା, ଦକ୍ଷତାର ବିକାଶ, ଶିଶୁର ମାନସିକ ବିକାଶ, ଉପଯୁକ୍ତ ବାତାବରଣ ସୃଷ୍ଟି ପାଇଁ ଓଡ଼ିଶାରେ କର୍ଣ୍ଣାଟକ ରାଜ୍ୟ ଭଳି ଆମ ରାଜ୍ୟରେ ବିଧାନସଭା ଫୋରମ୍‌ ଗଠନ ପାଇଁ ମତପ୍ରକାଶ ପାଇଛି ।

ଆଜି ବାଚସ୍ପତିଙ୍କ ପ୍ରକୋଷ୍ଠରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବାଲ୍ୟବିବାହ ନିରୋଧ, ଶିଶୁ ନିର୍ଯାତନା ବନ୍ଦ, ସେମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଉନ୍ନତିକରଣ ପ୍ରଭୃତି ଶିଶୁ ଅନୁକୂଳ ପ୍ରସଙ୍ଗ ଉପରେ ସେ୍ୱଚ୍ଛାସେବୀ ଅନୁଷ୍ଠାନ ‘ପ୍ରେମ’ ଏବଂ ଏଡୁକୋ, ସ୍ପେନ୍‌ର ପ୍ରତିନିଧିମାନଙ୍କ ସହ ଏହି ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା ।

ମାତୃଗର୍ଭରୁ ଶିଶୁମାନଙ୍କୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଉପରେ ବୈଠକରେ ଉପସ୍ଥିତ ଶିଶୁ ଅଧିକାରକର୍ମୀ ତଥା କର୍ଣ୍ଣାଟକ ବିଧାନ ପରିଷଦ ସଭ୍ୟ ଗଣେଶ କାର୍ତ୍ତିକ ମତ ଦେଇଥିଲେ । ‘ମମତା’ ଯୋଜନା ମାଧ୍ୟମରେ ଓଡ଼ିଶା ସରକାର ଶିଶୁ ମୃତୁ୍ୟ ହାର କମାଇବା ସହ ମାତୃକଲ୍ୟାଣ ଯୋଜନା ଗ୍ରହଣ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଥିଲେ ।

ଏହି ଯୋଜନା ଏକ ଦୂରଦର୍ଶୀପୂର୍ଣ୍ଣ ଯୋଜନା ହୋଇଥିବା ସେ କହିବା ସହ ଏହା ଅନ୍ୟ ରାଜ୍ୟ ପାଇଁ ଆଦର୍ଶସ୍ଥାନୀୟ ହୋଇପାରିଛି ବୋଲି ମତ ଦେଇଥିଲେ । ଓଡ଼ିଶାରେ ଶିଶୁ ଅଧିକାରର ସୁରକ୍ଷା ପାଇଁ ଦାଦନ ଶ୍ରମିକମାନଙ୍କର ସନ୍ତାନମାନଙ୍କ ଉପଯୁକ୍ତ ଶିକ୍ଷା ଓ ବିକାଶ ପାଇଁ ୩୩୭ଟି ହଷ୍ଟେଲ ଖୋଲାଯାଇଥିବା ମଧ୍ୟ ମନ୍ତ୍ରୀ ପ୍ରକାଶ କରିଥିଲେ ।

ମହିଳା ଓ ଶିଶୁ ବିକାଶ ଉପରେ ଗଠନ କରାଯାଇଥିବା ଗୃହ କମିଟି ସହ ପରବର୍ତ୍ତୀ ସମୟରେ ବୈଠକ କରି ଶିଶୁ ଅଧିକାର ଉପରେ ବ୍ୟାପକ ଆଲୋଚନା କରିବାକୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ‘ଏଡୁକୋ’ ଏବଂ ‘ପ୍ରେମ୍‌’ର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ସେ୍ୱଚ୍ଛାସେବୀ ଅନୁଷ୍ଠାନ ‘ପ୍ରେମ୍‌’ ପକ୍ଷରୁ ସ୍ପେନ୍‌ର ‘ଏଡୁକୋ’ ସହାୟତାରେ ଗଞ୍ଜାମ, କନ୍ଧମାଳ ଜିଲ୍ଲା ସମେତ ୫ଟି ଜିଲ୍ଲାରେ ଶିଶୁ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା । ଏହାକୁ ସମଗ୍ର ରାଜ୍ୟରେ ବ୍ୟାପକ କରିବା ପାଇଁ ବାଚସ୍ପତି ଡ. ପାତ୍ର ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଏଡୁକୋ ନିର୍ଦ୍ଦେଶକ ଗୁରୁପ୍ରସାଦ, ଏଡୁକୋର ପ୍ରତିଷ୍ଠାତା ସଭାପତି ଡ. ଜାକୋବ୍‌ ଥୁଣ୍ଡାଇଲ୍‌ ଶିଶୁ ଅଧିକାର ଟ୍ରଷ୍ଟ, ବାଙ୍ଗାଲୋରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବାସୁଦେବ ଶର୍ମା, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।