Home Education ଶିଶୁସଦନ ବନ୍ଦ ଆଶଙ୍କା

ଶିଶୁସଦନ ବନ୍ଦ ଆଶଙ୍କା

କଟକ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପରିଚାଳିତ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ପ୍ରବର୍ତ୍ତିତ ନୂତନ ନିୟମ ଅନୁସାରେ ୭୪ଟି ଶିଶୁସଦନ ବା ଅନାଥାଶ୍ରମ ଖୁବ୍‍ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏହା ଫଳରେ ପ୍ରାୟ ୨୫୦୦ କୁନି କୁନି ପିଲା (ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ)ଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି ।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୮ଟି ଶିଶୁ ସଦନରେ ୮,୮୨୪ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଲାଳନପାଳନ କରାଯାଉଛି । ଅନୁମୋଦିତ ପିଲାଙ୍କ ସଂଖ୍ୟା ୧୦,୨୪୧ । ଏହି ସଦନଗୁଡ଼ିକ ମଧ୍ୟରୁ ବହୁ ଅନୁଷ୍ଠାନ ସରକାରୀ ଅନୁଦାନ ଗ୍ରହଣ କରନ୍ତି ନାହିଁ । ବଦାନ୍ୟ ବ୍ୟକ୍ତିମାନଙ୍କ ଆର୍ଥିକ ସହାୟତାରେ ଏହି ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଚାଲିଛି । ଅନ୍ତେବାସୀମାନଙ୍କୁ ଖାଦ୍ୟପେୟ, ଔଷଧପତ୍ର ଓ ପୋଷାକ ପ୍ରଭୃତି ଯୋଗାଇ ଦିଆଯାଇଥାଏ । ନୂଆ ନିୟମ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ୧୪ଟି ଉତ୍କଳ ବାଳାଶ୍ରମ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବେ ।

ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି (ଓଏସ୍‍ସିପିଏସ୍‍)ର ଅତିରିକ୍ତ ନିର୍ଦ୍ଦେଶକ ଗତ ୭ତାରିଖରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁମୋଦିତ କ୍ଷମତାଠାରୁ ଶତକଡ଼ା ୭୫ ଭାଗରୁ କମ୍‍ ପିଲା ଥିବା ଶିଶୁସଦନଗୁଡ଼ିକ ସମ୍ପର୍କରେ ସମୀକ୍ଷା କରି ୧୦ଦିନ ମଧ୍ୟରେ ସେଗୁଡ଼ିକୁ ବନ୍ଦ କରିଦେବା ପାଇଁ ଅନୁରୋଧ କରାଯାଇଛି । ଏ ସଂକ୍ରାନ୍ତରେ କୌଣସି ବିଧିବଦ୍ଧ ନିୟମ ନ ଥିଲେ ମଧ୍ୟ ଜେଜେ (ସି ଆଣ୍ଡ୍‍ ପିସି) ଆଇନ-୨୦୧୪ ନିୟମ ଅନୁଯାୟୀ ଶିଶୁସଦନଗୁଡ଼ିକୁ ବନ୍ଦ କରିଦେବା ପାଇଁ କୁହାଯାଇଛି ।

ଏ ପ୍ରକାର ନିର୍ଦ୍ଦେଶନାମା ଫଳରେ ବନ୍ଦ ହେବାକୁ ଯାଉଥିବା ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ସେମାନଙ୍କ ଅନୁଷ୍ଠାନଗୁଡ଼ିକରେ ଲାଳନପାଳନ ହେଉଥିବା ଏହି ଶିଶୁମାନଙ୍କୁ କେଉଁଠି ଥଇଥାନ କରାଯିବ ସେଥିନେଇ ଅନିଶ୍ଚିତତା ପ୍ରକାଶ ପାଇଛି । ଜିଲ୍ଲା ଶିଶୁ କଲ୍ୟାଣ ସମିତି ଦ୍ୱାରା ବାପା ମା’ ନଥିବା ଅସହାୟ ଶିଶୁମାନଙ୍କୁ ନିଜ ନିଜ ଜିଲ୍ଲାରେ ଥିବା ଶିଶୁସଦନଗୁଡ଼ିକରେ ରଖାଯିବାର ବ୍ୟବସ୍ଥା ରହିଛି । କିଶୋରୀ ମା’ମାନଙ୍କର ପିଲାମାନଙ୍କୁ ମଧ୍ୟ ଜିଲ୍ଲା ଶିଶୁ କଲ୍ୟାଣ ସମିତି ଜରିଆରେ ଶିଶୁସଦନରେ ଛଡ଼ାଯାଇଥାଏ ।

ଯଦି ୭୫ଭାଗରୁ କମ୍‍ ପିଲା ଥିବା ଅନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଏ, ତେବେ ସେମାନେ ଯିବେ କୁଆଡ଼େ । ଯେଉଁସବୁ ଅନୁଷ୍ଠାନରେ ଶତକଡ଼ା ଶହେ ଭାଗ ପିଲା ରହୁଛନ୍ତି ସେଠାରେ ଏହି ପିଲାମାନଙ୍କୁ ଥଇଥାନ କରାଯିବା ଆଦୌ ସମ୍ଭବପର ହେବ ନାହିଁ । କାରଣ ସେଠାରେ ଅନୁଷ୍ଠାନିକ ସୁବିଧା ସୁଯୋଗ ମିଳିବ ନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ସବୁ ଶିଶୁସଦନର କର୍ମକର୍ତ୍ତାଙ୍କର ଜରୁରୀ ବୈଠକ ଡକାଇ ଆଲୋଚନା କରିବାକୁ ‘ହୋପ୍‍ଏଜ୍‍’ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ସତ୍ୟ ରାୟ ଅନୁରୋଧ କରିଛନ୍ତି ।

ସେହିପରି ଅସହାୟ ଶିଶୁମାନଙ୍କୁ ଠାବ କରି ଶିଶୁସଦନ ବା ସେମାନଙ୍କର ବାପା-ମା’ଙ୍କ ଜିମା ଦେଉଥିବା ‘ଚାଇଲ୍‍ଡ ଲାଇନ୍‍’ ସଂଗଠନକୁ କେନ୍ଦ୍ର ସରକାର ଇତିମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏହା ୨୪ ଘଣ୍ଟା ଖୋଲା ରହୁଥିଲା । ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ଚାକିରି ହରାଇ ବେକାର ହୋଇ ବସିଛନ୍ତି । ଏ ସଂକ୍ରାନ୍ତ ମାମଲା ଏବେ ଓଡ଼ିଶା ହାଇକୋର୍ଟଙ୍କ ବିଚାରାଧୀନ ରହିଛି ।