Home Health ଶିଶୁର ଜୀବନ ରକ୍ଷାକଲା ଏଣ୍ଡୋସ୍କୋପି ଚିକିତ୍ସା

ଶିଶୁର ଜୀବନ ରକ୍ଷାକଲା ଏଣ୍ଡୋସ୍କୋପି ଚିକିତ୍ସା

ବ୍ରହ୍ମପୁର : ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ରେ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଜଟିଳ ଆଡେନୋଟନ୍‌ସିଲେକ୍ଟୋମି ମାଧ୍ୟମରେ ନିଃଶ୍ୱାସ ନେବା ନିମନ୍ତେ ସଂଘର୍ଷ କରୁଥିବା ଜଣେ ୫ ବର୍ଷର ଶିଶୁପୁତ୍ରର ଜୀବନ ରକ୍ଷା କରାଯାଇଛି ।

ଏହି ଅଭିନବ ପ୍ରକ୍ରିୟାଟି ଦକ୍ଷିଣ ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରୟୋଗ କରାଯାଇଥିବା ବେଳେ ଏହି ପଦ୍ଧତିଟିକୁ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା ବିଭାଗର ମୁଖ୍ୟ ଡାକ୍ତର ପ୍ରୀୟଜିତ ପାଣିଗ୍ରାହୀ ସମ୍ପାଦନ କରିଛନ୍ତି ।

ଏହି ଶିଶୁ ପୁତ୍ରଟି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ପାଟି ବାଟେ ନିଃଶ୍ୱାସ ନେଉଥିଲା ଏବଂ ତା’ର ପରିସ୍ଥିତି ଜଟିଳ ହେବାରୁ ତାକୁ ହସ୍ପିଟାଲ୍‌କୁ ଅଣାଯାଇଥିଲା ।

ପରୀକ୍ଷା ନିରୀକ୍ଷା ପରେ ତା’ ଶରୀରରେ ଗ୍ରେଡ୍ ୪ ଟନ୍‌ସିଲ୍ ଓ ଗ୍ରେଡ୍ ୩ ଆଡେନଏଡ୍ସ ସମସ୍ୟା ଥିବାର ଜଣାପଡ଼ିଥିଲା ଯାହାକି ତା’ର ଶ୍ୱାସନଳୀକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରୁଥିଲା । ଅନେକ ଶିଶୁରୋଗ ବିଭାଗର ଡାକ୍ତର ଓ ଦୀର୍ଘ ସମୟ ଧରି ଚିକିତ୍ସା ପରେ ମଧ୍ୟ ତା’ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା ।

ତା’ ସ୍ୱାସ୍ଥ୍ୟାବସ୍ଥା ଦେଖି ଡାକ୍ତର ପାଣିଗ୍ରାହୀ ତୁରନ୍ତ ଏଣ୍ଡୋସ୍କୋପିକ ପଦ୍ଧତିରେ ସାଧାରଣ ନିଶ୍ଚେତକ ବ୍ୟବହାରରେ ଆଡେନୋଡେକ୍ଟୋମି ସହିତ ହାର୍ମୋନିକ୍ ଟନ୍ସିଲେକ୍ଟୋମି ପ୍ରକ୍ରିୟା କରିବା ନିମନ୍ତେ ନିଷ୍ପତି ନେଇଥିଲେ । ଏହି ଅସ୍ତ୍ରୋପଚାର ଦ୍ୱାରା ଏଣ୍ଡୋସ୍କୋପିକ ପଦ୍ଧତି ମାଧ୍ୟମରେ ଆଡେନଏଡ୍ ଟିସ୍ୟୁକୁ ସମ୍ପୂର୍ଣ୍ଣ ମାତ୍ରାରେ ବାହାର କରାଯାଇଥାଏ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି ।

ଡେବ୍ରିଡରର ବ୍ୟବହାର ଏବଂ ଏଣ୍ଡୋସ୍କୋପିକ୍ ଦ୍ୱାରା ରୋଗୀର ଶରୀରରେ ଉନ୍ନତି ଘଟିଥାଏ ବୋଲି ସେ କହିଛନ୍ତି । ଏହି ଅସ୍ତ୍ରୋପଚାର ଏକ ବଡ଼ ସଫଳତା ଏବଂ ରୋଗୀଟି ବର୍ତମାନ ସୁସ୍ଥ ଅଛି ଏବଂ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁନାହିଁ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ।

ରୋଗୀ ସେବା ନିମନ୍ତେ ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରକ୍ରିୟା ଆପଣାଇବା ନେଇ ହସ୍ପିଟାଲ ପ୍ରସ୍ତୁତ ବୋଲି ସେ କହିଛନ୍ତି । ନ୍ୟୁରୋସର୍ଜରୀ ଅଥବା ଅଙ୍କୋଲୋଜି କିମ୍ବା ବର୍ତମାନର ଇଏନ୍‌ଟି ପ୍ରକ୍ରିୟା ସବୁ ଜଟିଳ ସମସ୍ୟା କ୍ଷେତ୍ରରେ ରୋଗୀଙ୍କୁ ସେବା ପ୍ରଦାନ ନିମନ୍ତେ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ ବଦ୍ଧପରିକର ବୋଲି ସେ କହିଛନ୍ତି ।