ଭୁବନେଶ୍ୱର : ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି । ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୁରେଇ ରଖି ହେବ ବୋଲି ମତଵ୍ୟକ୍ତ କରିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ (ପିଜିଆଇଏମଆର) ର ନିର୍ଦେଶକ ପ୍ରଫେସର ସୁରଜିତ ସିଂ ।
ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ, ଓଡିଶା ଶାଖା, ପକ୍ଷରୁ ଆୟୋଜିତ ୧୩ତମ ସମ୍ମିଳନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସିଂ ଏହି ମତ ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ବରିଷ୍ଠ ଡାକ୍ତର, ତଥା ଏସସିବି ମେଡିକାଲ କଲେଜ ର ରିଉମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟୁତ କୁମାର ଦାସ ଯୋଗଦେଇ ଶିଶୁ ମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।
ସାରା ଭାରତରେ ମାତ୍ର ୧୦ ଟି ସରକାରୀ ମେଡିକାଲ କଲେଜରେ ରିଉମାଟୋଲୋଜି ବିଭାଗ ରହିଥିବା ବେଳେ ପେଡିଆଟ୍ରିକ ରିଉମାଟୋଲୋଜି ନିମନ୍ତେ କେବଳ ପିଜିଆଇ ଚଣ୍ଡିଗଡ ରେ ଏହ। ରହିଛି । ତେଣୁ ଆଣ୍ଠୁଗଣ୍ଠି ଜନିତ ଚିକିତ୍ସା ନିମନ୍ତେ ଅଧିକ ସରକାରୀ ମେଡିକାଲ କଲେଜ ଗୁଡିକରେ ରିଉମାଟୋଲୋଜି ବିଭାଗ ଖୋଲିବାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀର ସାଇଣ୍ଟିଫିକ ଚେଆରପର୍ସନ ପ୍ରଫେସର ଦାସ କହିଥିଲେ |କୋଭିଡ ମହାମାରୀ ଏହି ରୋଗରେ ପୀଡିତ ରୋଗୀଙ୍କ କଷ୍ଟକୁ ବହୁଗୁଣିତ କରିଛି ବୋଲି ସେ କହିଥଲେ ।
ଏହି ସମ୍ମିଳନୀ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ ର ଉପକୁଳପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଡିନ ପ୍ରଫେସର ଗଙ୍ଗାଧର ସାହୁ ଆଧୁନିକ ଜୀବନଶୈଳୀ ରେ ପରିବର୍ତ୍ତନ ଦ୍ୱାରା ହିଁ ଏହି ରୋଗର ନିୟନ୍ତ୍ରଣ କରିହେବ ବୋଲି କହିଥିଲେ ।
ସେହିପରି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଇମ୍ମ୍ୟୁନୋଲଜି ଆଣ୍ଡ ରିଉମାଟୋଲୋଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀ ର ଅରଗାନାଇସିଙ୍ଗ ସେକ୍ରେଟାରୀ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ରୋଗର ପରୀକ୍ଷଣ, ଓ ଚିକିତ୍ସା ଉପରେ ଗୁରୁତ୍ବ ଦେଇଥିଲେ | ଲୋକମାନେ ଏହି ରୋଗକୁ ନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ ।
ଏହି ସମ୍ମିଳନୀ ର ଉଦଘାଟନୀ କାର୍ଯ୍ୟକ୍ରମରେ ଆଇଅରଏ ର ଓଡିଶା ଶାଖାର ସଭାପତି ଡ଼ଃ ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସଚିବ ଡାକ୍ତର ମନୋରଞ୍ଜନ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ।
ଶେଷରେ ପ୍ରଫେସର ପାତ୍ରୋ ଧନ୍ୟବାଦ ଅର୍ପଣ କରିଥିଲେ | ସାରା ଦେଶରୁ ଅନେକ ବିଶେଷଜ୍ଞ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ । ଏହି ଦୁଇ ଦିନିଆ ସମ୍ମିଳନୀ କୁ ପ୍ରଫେସର ପାତ୍ରୋ ପରିଚାଳନା କରିଥିଲେ । ଏହି ଅବସରରେ ଶୋଭେନିୟର ଏଡିଟର ପ୍ରଫେସର ରୀନା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।