ଭୁବନେଶ୍ୱର : ଶିଶୁମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗତ ଆର୍ଥିକ ବର୍ଷରେ ରାଜ୍ୟକୁ ୩୭କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୨୬.୩୩ କୋଟି ଟଙ୍କା ଦେଇ ସାରିଲେଣି । ନିକଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ରଖିଥିବାରୁ ଉତ୍ତରରୁ ଏହା ଜଣାପଡିଛି ।
ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡିଶାରେ ବର୍ତ୍ତମାନ ବିଭିନ୍ନ ଅନୁଷ୍ଠାନ ଜରିଆରେ ୪୧୫୭ଜଣ ଶିଶୁଙ୍କୁ ସହାୟତା ଯୋଗାଇ ଦିଆଯାଉଥିବାବେଳେ ଅଣଅନୁଷ୍ଠାନରେ ଥିବା ୧୭୭୨ ଶିଶୁଙ୍କୁ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଉଛି । ଶିଶୁମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରମାନେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଠନ ନିଶ୍ଚିତ କରିଛନ୍ତି । ଜିଲ୍ଲାପାଳଙ୍କ ଅଧିନରେ ଏହି କମିଟି କାର୍ଯ୍ୟ କରୁଥିବାବେଳେ ଶିଶୁମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛି ।
ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଶିଶୁମାନଙ୍କ ସୁରକ୍ଷା, ଥଇଥାନ ଏବଂ ପ୍ରତିକୂଳ ପରିସ୍ଥିତିରେ ଥିବା ଶିଶୁମାନଙ୍କ ସହାୟତା ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଶନ ବାତ୍ସଲ୍ୟ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅର୍ଥ ପ୍ରଦାନ କରାଯାଉଛି । ଏହି ଅର୍ଥ ସିଧାସଳଖ ଭାବେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ନିକଟକୁ ଯାଉଛି ।
ଅର୍ଥ ମନ୍ତ୍ରଣ।।ଳୟର ମାର୍ଗ ନିର୍ଦ୍ଦେଶିକା ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅର୍ଥ ପ୍ରଦାନ କରାଯାଉଥିବାବେଳେ ଏହା କିଭଳି ବ୍ୟୟ ହେଉଛି ତାହାର ତଦାରଖ ବିଭିନ୍ନ ସ୍ତରରେ ହେଉଛି । ସିଙ୍ଗଲ ନୋଡାଲ ଏଜେନ୍ସି (ଏସଏନଏ) ଆଦାରରେ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫ୍ଏମଏସ୍) ପୋର୍ଟାଲ ଜିରଆରେ ଏହା ଉପରେ ନଜର ରଖାଯାଉଛି । ଭାରତ ସରକାର ଅର୍ଥ ଯୋଗାଣ କ୍ଷେତ୍ରରେ ଆଦୌ ବିଳମ୍ବ କରୁନଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ସେହି ଆଧାରରେ ଓଡିଶାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୩୭କୋଟି ୫୫ଲକ୍ଷ ୪୯ହଜାର ଟଙ୍କା ପ୍ରଦାନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ୧୧ ତାରିଖ ସୁଦ୍ଧା ଓଡିଶାକୁ ୨୬କୋଟି ୩୩ଲକ୍ଷ ୨୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟରେ ଏବେ ୩୦ଟି ଡିସିପିୟୁ, ୩୧ଟି ସିଡବ୍ଲୁସି, ୩୪ଟି ଜେଜେବି ଓ ୧୪୦ଟି ସିସିଆଇ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)