Home Industry ଶିଳ୍ପ ବିକାଶ ଓ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ନୂଆ ରୋଡ୍‌ମ୍ୟାପ୍‌

ଶିଳ୍ପ ବିକାଶ ଓ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ନୂଆ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର : ସିଆଇଆଇ – ଇଷ୍ଟର୍ଣ୍ଣ ରିଜିଓନାଲ କାଉନସିଲ  ବୈଠକ ୨୦୨୬ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଶିଳ୍ପ ବିକାଶ ଓ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ଏକ ନୂଆ ରୋଡ୍‌ମ୍ୟାପ୍‌ ଉପସ୍ଥାପନ କରିଛନ୍ତି 

ଓଡ଼ିଶା ସହିତ ସମଗ୍ର ପୂର୍ବ ଭାରତର ରାଜ୍ୟ ଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଏକ ଯୁଗାନ୍ତକାରୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି।

ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପ ଗୋଷ୍ଠୀଗୁଡ଼ିକ ତାଙ୍କ ନିଜ ରାଜ୍ୟରେ ତାଙ୍କର ଇଣ୍ଡଷ୍ଟ୍ରିଆଲ୍ ବେସ୍ ଓ ମାର୍କେଟ୍‌କୁ ସୁରକ୍ଷିତ ରଖି ଓଡ଼ିଶାରେ ନିବେଶ କରିବାକୁ ବ୍ୟାପକ ସୁଯୋଗ ପାଇବେ। ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ଏକ ବ୍ୟାପକ ସ୍ତରରେ ପହଞ୍ଚିଥିବା ବେଳେ ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶା ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ଏହି ସ୍ୱତନ୍ତ୍ର ନୀତି ଅଧୀନରେ ରାଜ୍ୟରେ ଏକ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ, ଯାହା ସମସ୍ତ ନିବେଶ ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ’ ମଧ୍ୟରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍‍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିକୁ ରିଏଲ୍ ଟାଇମ୍‌ (ତତ୍କାଳ) ମନିଟରିଂ ଓ ଟ୍ରାକିଂ କରିବା ପାଇଁ ଏକ ସ୍ୱତନ୍ତ୍ର ଗୋ ସ୍ବିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 ଏହି ପଦକ୍ଷେପ ଫଳରେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ପୁଞ୍ଜି ନିବେଶ ହେବା ସହ ସେଠାରେ ଅନେକ ନୂଆ ଇଣ୍ଡଷ୍ଟ୍ରିଆଲ୍ ଗ୍ରୋଥ ସେଣ୍ଟର (ଶିଳ୍ପ ବିକାଶ କେନ୍ଦ୍ର) ଗଢ଼ି ଉଠିବ, ଯାହା ସ୍ଥାନୀୟ ଅଞ୍ଚଳର ରୂପରେଖ ବଦଳାଇବ।

ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପ ନୀତି ରିଜୋଲ୍ୟୁସନ୍-୨୦୨୨ ରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏହି ସଂଶୋଧନ ଦ୍ୱାରା ରାଜ୍ୟର ଆର୍ଥିକ ଅନଗ୍ରସର ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଭଳି ୧୫ ଟି ପ୍ରମୁଖ ଜିଲ୍ଲାରେ ଅଣ-ଖଣିଜ ଦ୍ରବ୍ୟ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହି ଜିଲ୍ଲାଗୁଡ଼ିକୁ ଅଗ୍ରାଧିକାର ଶ୍ରେଣୀରେ ସାମିଲ କରାଯିବ, ଯାହା ଦ୍ୱାରା ରାଜ୍ୟରେ ସନ୍ତୁଳିତ ଆଞ୍ଚଳିକ ବିକାଶ ସମ୍ଭବ ହୋଇପାରିବ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସମସ୍ତ ଶିଳ୍ପଦ୍ୟୋଗୀ ମାନଙ୍କୁ  କହିଥିଲେ ଯେ, ବିଗତ କିଛି ଦଶନ୍ଧି ଧରି ଭାରତର ଅର୍ଥନୈତିକ ଅଭିବୃଦ୍ଧି ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ କରିଡର ଉପରେ ନିର୍ଭର କରୁଥିଲା। ମାତ୍ର ବର୍ତ୍ତମାନ ଭାରତର ବିକାଶ କାହାଣୀର ପରବର୍ତ୍ତୀ ବଡ଼ ଅଧ୍ୟାୟ ପୂର୍ବ ଭାରତରେ ଲେଖାଯାଉଛି। ପ୍ରଚୁର ଖନିଜ ସଂସାଧନ, ବ୍ୟାପକ କୃଷି ସମ୍ଭାବନା, ଦୀର୍ଘ ତଟରେଖା ଏବଂ ଏକ ଯୁବ ତଥା ଆଶାବାଦୀ କାର୍ଯ୍ୟବଳ ଯୋଗୁଁ ଏହି ଅଞ୍ଚଳ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆମର ଲକ୍ଷ୍ୟ ହେଉଛି ‘ସମୃଦ୍ଧ ଓଡ଼ିଶା ୨୦୩୬’ ଭିଜନକୁ ‘ବିକଶିତ ଭାରତ ୨୦୪୭’ ସହିତ ଯୋଡ଼ି ରାଜ୍ୟକୁ ପୂର୍ବ ଭାରତର ସବୁଠାରୁ ନିବେଶକ-ଅନୁକୂଳ ସ୍ଥାନ ଭାବେ ଗଢ଼ିତୋଳିବା। ଏହି ରୂପାନ୍ତରଣ ଯାତ୍ରାରେ ଓଡ଼ିଶା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ପ୍ରକାଶ କରିଥିଲେ।

ଓଡ଼ିଶା ଏବେ କେବଳ ଖଣିଜ-ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍, ଆଲୁମିନିୟମ, କେମିକାଲ୍ସ, ପେଟ୍ରୋକେମିକାଲ୍ସ (ପାରାଦୀପ ହବ୍) ସହ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଭଳି ଭବିଷ୍ୟତର ଉଦ୍ୟୋଗ ଉପରେ ଫୋକସ୍ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିଜ ଅଭିଭାଷଣରେ ରାଜ୍ୟର ଯୁବ ଶକ୍ତି ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ଶିଳ୍ପ ଅନୁକୂଳ ନୀତି ସହିତ ଏକ ବଡ଼ ଏବଂ ଆଶାବାଦୀ ଯୁବ କାର୍ଯ୍ୟବଳ ରହିଛନ୍ତି। ସରକାର ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ଯୁବକଯୁବତୀମାନଙ୍କୁ ଆଧୁନିକ ଜ୍ଞାନକୌଶଳରେ ଦକ୍ଷତା ସମ୍ପନ୍ନ କରୁଛନ୍ତି, ଯାହାଫଳରେ ନିବେଶକାରୀମାନଙ୍କୁ ସହଜରେ କୁଶଳୀ ଶ୍ରମିକ ମିଳିପାରିବେ। ନୂତନ ଯୋଜନା ସୀମାବର୍ତ୍ତୀ ଓ ପଛୁଆ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା  ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଓ ନିବେଶର ସଫଳ ଚିତ୍ର ସିଆଇଆଇ ସଦସ୍ୟମାନଙ୍କ ସାମ୍ନାରେ ରଖିଥିଲେ। ସେ ଦର୍ଶାଇଥିଲେ ଓଡ଼ିଶା କିପରି ବିଗତ ଦିନମାନଙ୍କରେ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମକୁ ସୁଦୃଢ଼ କରି ନିବେଶ ପ୍ରକଳ୍ପଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ଦେଶରେ ରେକର୍ଡ ସୃଷ୍ଟି କରିଛି। ଆମର ଶିଳ୍ପ ଭିତ୍ତିଭୂମି, ଉନ୍ନତ ବିମାନ ତଥା ବନ୍ଦର ସଂଯୋଗୀକରଣ ଯୋଗୁଁ ଓଡ଼ିଶା ଏବେ କେବଳ ପୂର୍ବ ଭାରତ ନୁହେଁ, ବରଂ ସମଗ୍ର ଦେଶ ପାଇଁ ମାନୁଫାକ୍ଚରିଂର ପ୍ରମୁଖ ଗେଟ୍‌ୱେ ସାଜିଛି ବୋଲି ସେ ନିଜ ପ୍ରେଜେଣ୍ଟେସନରେ ସ୍ପଷ୍ଟ କରିଥିଲେ।

ସମ୍ମିଳନୀ ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପ ଗୋଷ୍ଠୀକୁ ଓଡ଼ିଶାର ପ୍ରଗତିରେ ସହଭାଗୀ ହେବାକୁ ଆହ୍ୱାନ ଦେଇ ‘ବିକଶିତ ଭାରତ ୨୦୪୭’ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

ଏହି ସମ୍ମିଳନୀରେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମତ ପ୍ରଧାନ, ଇପିକଲ ର ପରିଚାଳନା ନିର୍ଦ୍ଦେଶିକା  ଆବୋଲି  ସୁନୀଲ ନରଭାଣେ, ସିଆଇଆଇ ପୂର୍ବ ଆଞ୍ଚଳିକ ଉପାଧ୍ୟକ୍ଷ ରୁଦ୍ର ଚାଟାର୍ଜୀ, ଓଡ଼ିଶା କାଉନସିଲ୍ ଅଧ୍ୟକ୍ଷ ଅନିଲ କୁମାର ସିଂହଙ୍କ ସମେତ ବହୁ ବିଶିଷ୍ଟ ଶିଳ୍ପପତି ଉପସ୍ଥିତ ଥିଲେ।