ଭୁବନେଶ୍ୱର : ଶିଳ୍ପାୟନ ଓ ସହରୀ ସଭ୍ୟତା ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ନଦୀର ଜଳ ଉତ୍ସ ପ୍ରଦୂଷିତ ହୋଇ ସାରିଲାଣି । ଏହି ଧାରା ଅବ୍ୟାହତ ରହିଲେ ଆଗକୁ ସମସ୍ୟା ଅଧିକ ଗୁରୁତର ହୋଇପାରେ ବୋଲି ପରିବେଶବିତ୍ମାନେ ବାରମ୍ବାର ଚେତାବନୀ ଦେଉଛନ୍ତି ।
ରାଜଧାନୀ ଭୁବନେଶ୍ୱର ହେଉ କିମ୍ବା ପୁରୁଣା ରାଜଧାନୀ କଟକ ହେଉ, ଅଥବା ରାଉରକେଲା, ଝାରସୁଗୁଡା, ବ୍ରଜରାଜନଗର, ତାଳଚେର, କଳିଙ୍ଗନଗର, ନାଲକୋନଗର ସମେତ ରାଜ୍ୟର ପ୍ରାୟ ସମସ୍ତ ଖଣି ଖାଦାନ, ଶିଳ୍ପାଞ୍ଚଳ ଓ ସହରାଞ୍ଚଳର ବର୍ଜ୍ୟ ଯୋଗୁଁ ନିକଟରେ ପ୍ରବାହିତ ସମସ୍ତ ନଦୀ ନାଳର ଜଳ ବିଷାକ୍ତ ହେଉଛି । ଏମିତିକି ଏହି ବିଷାକ୍ତ ଜଳ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଚିଲିକା ଓ ବଙ୍ଗୋପସାଗରରେ ମିଶି ମଧ୍ୟ ସେଠାରେ ଜଳ ପ୍ରଦୂଷଣ ବଢାଉଛି । କେବଳ ସେତିକି ନୁହେଁ, ପ୍ରଦୂଷିତ ଜଳ ଯୋଗୁ ଭୂତଳ ଜଳସ୍ତର ବି କ୍ରମଶଃ ବିଷାକ୍ତ ହେବାରେ ଲାଗିଛି ।
ପରିବେଶବିତ୍ମାନେ କହୁଛନ୍ତି ଯେ ଚାଷଜମିରେ ମାତ୍ରାଧିକ ପରିମାଣର ରସାୟନିକ ସାର ଓ କୀଟନାଶକ ପ୍ରୟୋଗ କରାଯିବା ଫଳରେ ତାହା ଖାଦ୍ୟଶସ୍ୟ, ପନିପରିବା, ଫଳ ଆଦିକୁ କିଛି ମାତ୍ରାରେ ବିଷାକ୍ତ କରିବା ସହ ମାଟିର ଉର୍ବରତା ମଧ୍ୟ ନଷ୍ଟ କରୁଛି । ଏହି ମାଟି ଧୋଇହେବା ଫଳରେ ସେଥିରେ ଥିବା କୀଟନାଶକ ଓ ରସାୟନିକ ସାରର ଅଂଶବିଶେଷ ମଧ୍ୟ ଜଳ ଉତ୍ସକୁ ଖରାପ କରୁଛି ।
ରାଜ୍ୟର କେତେକ ଅଞ୍ଚଳରେ କର୍କଟରୋଗ ସମେତ କିଡ୍ନୀ, ଲିଭର ଆଦି ରୋଗ ବଢିବାରେ ଲାଗିଛି । ପ୍ରଦୂଷିତ ବାତାବରଣ ଯୋଗୁଁ ବିିଭିନ୍ନ କିସମର ରୋଗ ବ୍ୟାଧି ବଢୁଥିବା ବୈଜ୍ଞାନିକମାନେ ବି ସ୍ୱୀକାର କରୁଛନ୍ତି । ଏବେ ପୁରୀ ଜିଲ୍ଲାର କଣାସ ଠାରୁ ଆରମ୍ଭ କରି କଟକର ବାଙ୍କି ଅଞ୍ଚଳରେ ହଇଜା ଭଳି ମହାମାରୀ ବ୍ୟାପିବା ପଛରେ ପ୍ରଦୂଷିତ ଜଳର ପ୍ରମୁଖ କାରଣ ରହିଛି ବୋଲି ଚିକିତ୍ସା ବିଜ୍ଞାନୀମାନେ ବି ସୂଚାଉଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ଦୈନିକ ଯେତେ ତରଳ ଓ କଠିନ ବର୍ଜ୍ୟବସ୍ତୁ ବାହାରୁଛି ସେଗୁଡିକ ଯୋଗୁଁ ଜଳ,ବାୟୁ ପ୍ରଦୂଷଣ ମାତ୍ରା ବଢୁଛି । ସୈନିକସ୍କୁଲ ପଛରେ ଥିବା ଆବର୍ଜନାସ୍ଥଳୀ ଟିଟିପିଏସ୍ରୁ ବାହାରୁଥିବା ଦୁର୍ଗନ୍ଧ ଅନେକ ସମୟରେ ୧୦କିଲୋମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳରେ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଉଛି । ସେହିଭଳି ରାଜଧାନୀର ପାଇଖାନା ପାଣି ସିଧାସଳଖ କୁଆଖାଇ, ଦୟା, ଗଙ୍ଗୁଆ, ଭାର୍ଗବୀ ଆଦିର ନଦୀଜଳକୁ ମଧ୍ୟ ବ୍ୟବହାର ଅନୁପଯୋଗୀ କରିଦେଲାଣି ।
ସହରାଞ୍ଚଳରେ କର୍ମନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେଉଥିବାରୁ ଲୋକେ ଗାଁ ଗଣ୍ଡା ଛାଡି ସହରମୁହାଁ ହେଉଛନ୍ତି । ଗ୍ରାମାଞ୍ଚଳରେ ସୁସ୍ଥ ପରିବେଶ ସହ ରୋଜଗାରର ବାତାବରଣକୁ ସମୃଦ୍ଧ କରାଯାଇପାରିଲେ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସେବା ଠିକଣା ଭାବେ ଉପଲବ୍ଧ ହେଲେ ଲୋକେ ଭିଟାମାଟି ଛାଡି ସହରମୁହାଁ ହୁଅନ୍ତେ ନାହିଁ । କିନ୍ତୁ ସରକାରୀ ଓ ସାମାଜିକ ଯୋଜନାରେ ଏ ସଂକ୍ରାନ୍ତରେ ବିଶେଷ ଧ୍ୟାନ ଦିଆନଯାଇ ଶିଳ୍ପାୟନ ଓ ସହର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ଜଳବାୟୁ ପରିବର୍ତ୍ତନ ସହିତ ପରିବେଶ ପ୍ରଦୂଷଣ ବଢୁଛି ଏବଂ ତାପମାତ୍ରାରେ ଅସ୍ଥିରତା ବୃଦ୍ଧି ପାଇ ଜନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । (ତଥ୍ୟ)