Home News in Odia ଶିଳାନ୍ୟାସରେ ରହିଗଲା ଫୁଟ୍‍ ଓଭରବ୍ରିଜ୍‍

ଶିଳାନ୍ୟାସରେ ରହିଗଲା ଫୁଟ୍‍ ଓଭରବ୍ରିଜ୍‍

ଭୁବନେଶ୍ୱର : ୧୪ ବର୍ଷ ତଳେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୫ଜଣ ମନ୍ତ୍ରୀ, ବିଧାୟକ, ସାଂସଦ, ମେୟର, ଡେପୁଟି ମେୟର ଓ ୩ଜଣ କର୍ପୋରେଟରଙ୍କୁ ମିଶାଇ ୧୨ଜଣ ନେତା ଓ ନେତ୍ରୀ ରମାଦେବୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଯେଉଁ ଶିଳାନ୍ୟାସ କରିଥିଲେ ତାହା ଏବେ ପାଷାଣୀ ଅହଲ୍ୟା ପରି କେଉଁ ରାମଚନ୍ଦ୍ରଙ୍କ ପଦସ୍ପର୍ଶ ଲାଗି ଅପେକ୍ଷା କରି ରହିଛି । ଏଠାରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ହେବା ତ ଦୂରର କଥା, କେବଳ ଶିଳାନ୍ୟାସ ଫଳକ ସ୍ଥାପନ ଛଡ଼ା ଅନ୍ୟ କୌଣସି ନିର୍ମାଣ କାମ ଏଯାବତ୍‍ ହୋଇନାହିଁ ।

୨୦୧୧ ବର୍ଷରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସେତେବେଳର ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଧୁମ୍‍ଧାମ୍‍ରେ କରାଯାଇଥିଲା । ସେ ସମୟରେ ଛାତ୍ରୀ, ଅଧ୍ୟାପିକା, ଅଭିଭାବକ ଓ ସ୍ଥାନୀୟ ଲୋକେ ଏଥିଘେନି ଆନନ୍ଦ ପ୍ରକାଶ କରିଥିଲେ । ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣାମାନ ଘଟୁଥିବାରୁ ରମାଦେବୀର ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀମାନେ ରାସ୍ତା ପାର ବେଳେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି । ଫୁଟ୍‍ ଓଭରବ୍ରିଜ୍‍ ନିର୍ମିତ ହେଲେ ଏହି ସମସ୍ୟା ଦୂରୀଭୂତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ନେତାମାନେ ଫଳକ ପୋତି ଛାତ୍ରୀମାନଙ୍କୁ ଠକି ଦେଇ ଚାଲିଗଲେ । ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଏହି ଓଭରବ୍ରିଜ୍‍ ନାମ ଶୁଣିଲେ ନାକ ଟେକିଲେ । ଇତିମଧ୍ୟରେ ରମାଦେବୀ କଲେଜ୍‍ଠାରୁ ପ୍ରାୟ ୧କିମି ଦୂରରେ ଭୁବନେଶ୍ୱର ମହାନଗର ନିଗମର ସୁଉଚ୍ଚ ଅଟ୍ଟାଳିକା ନିର୍ମିତ ହୋଇଗଲା । କିନ୍ତୁ ଫୁଟ୍‍ ଓଭରବ୍ରିଜ୍‍ କଥା ସମସ୍ତେ ଭୁଲିଗଲେ ।

ରମାଦେବୀ ମହିଳା କଲେଜ୍‍ ପ୍ରତିଷ୍ଠାର ୬୦ବର୍ଷ ପୂରଣ ହୋଇଗଲାଣି । ଏହାଛଡ଼ା ଭୁବନେଶ୍ୱରର ଏହି ପ୍ରଥମ ମହିଳା ଶିକ୍ଷାନୁଷ୍ଠାନ ପ୍ରାୟ ୧୦ବର୍ଷ ତଳୁ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ପାଇଛି । ବିଶ୍ୱବିଦ୍ୟାଳୟ ହେବା ପରେ ଏଥିସହ ଅନୁବନ୍ଧିତ ୪୮ଟି କଲେଜ୍‍ର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଅଭିଭାବକମାନେ ବିଭିନ୍ନ କାମରେ ଏଠାକୁ ଆସିବାକୁ ବାଧ୍ୟ ହେଉଛନ୍ତି । ଏହାଛଡ଼ା ବିଶ୍ୱବିଦ୍ୟାଳୟ ପାଇଁ ବର୍ଷ ତମାମ ଉତ୍ସବ ଅନୁଷ୍ଠାନ ବି ଚାଲୁଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ରାସ୍ତା ଡିଭାଇଡର ଉପରେ ଜରାଜୀର୍ଣ୍ଣ ଅବସ୍ଥାରେ ଏବେ ବି ୧୪ବର୍ଷ ତଳର ଫଳକଟି ରହିଛି ଏବଂ ଯିଏ ଦେଖୁଛି ସିଏ ବ୍ୟବସ୍ଥାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି ।

ସେତେବେଳର ମେୟର ଏବେ ଭୁବନେଶ୍ୱର ମଧ୍ୟ ବିଧାୟକ । ଇତିମଧ୍ୟରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ପ୍ରତିନିଧିତ୍ୱ ଜଣେ ମହିଳା କରୁଥିବା ବେଳେ ଆଉ ଜଣେ ମହିଳା ଭୁବନେଶ୍ୱର ମହାନଗର ନିଗମର ମେୟର ଅଛନ୍ତି । ସ୍ଥାନୀୟ କର୍ପୋରେଟର ବି ମହିଳା । ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରଭାତି ପରିଡ଼ା ଏକାଧିକ ବାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏହି ବିଶ୍ୱବିଦ୍ୟାଳୟକୁ ଆସିଲେଣି । ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏକଦା ଏହି ଶିକ୍ଷାନୁଷ୍ଠାନର ଛାତ୍ରୀ ଥିଲେ । ଏସବୁ ସତ୍ତ୍ୱେ ମା’ରମାଦେବୀଙ୍କ ନାମରେ ନାମିତ ଏହି ଗୌରବାବହ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ଜାକଜକମରେ ଉତ୍ସବ କରି ଛାତ୍ରୀମାନଙ୍କ କରତାଳି ଲାଭ କରିଥିବା ନେତାମାନେ କେଉଁ ଶିଳାନ୍ୟାସ ଫଳକ ପାଖରେ ଫଟୋ ଉଠାଇ ୧୪ବର୍ଷ ତଳେ ଗଣମାଧ୍ୟମରେ ନିଜକୁ ବିଜ୍ଞାପିତ କଲେ ସେମାନେ ଏହାର ନିର୍ମାଣ ଉପରେ ଧ୍ୟାନ ଦେଲେ ନାହିଁ । ୨୦୨୫ର ସ୍ୱାୟତ୍ତ ଶାସନ ଦିବସ ପାଳନ ପୂର୍ବରୁ ରମାଦେବୀ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରୀ ପୁଣି ଏ ପ୍ରସଂଗ ଉଠାଇ ବର୍ତ୍ତମାନର ସରକାର ୬ମାସ ଭିତରେ ଏହି ଫୁଟ୍‍ ଓଭରବ୍ରିଜ୍‍ର ନିର୍ମାଣ କାର୍ଯ୍ୟ ସାରି ମୁଖ୍ୟମନ୍ତ୍ରୀଙ୍କ ହାତରେ ତାହାର ଉଦ୍‍ଘାଟନ କରିବା ପାଇଁ ଦଳମତ ନିର୍ବିଶେଷରେ ଦାବି ରଖିଛନ୍ତି । (ତଥ୍ୟ)