ଭୁବନେଶ୍ୱର : ନୈସର୍ଗିକ ଶୋଭାର ଭଣ୍ଡାର ଶିମିଳିପାଳ ଜୈବ ମଣ୍ଡଳ । ୨୭୫୦ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ଶିମିଳିପାଳ କେବଳ ଦେଶର ସର୍ବବୃହତ ବିଶୁବ ମଣ୍ଡଳୀୟ ଜଙ୍ଗଲ ନୁହେଁ, ଏହା ଏସିଆ ମହାଦେଶରେ ଦ୍ୱିତୀୟ ବୃହତମ ଅମ୍ଳଜାନ କେନ୍ଦ୍ର । ଏକାଧାରରେ ପ୍ରସ୍ତାବିତ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବରେ ପରିଚିତ ଉକ୍ତ ଅଭୟାରଣ୍ୟକୁ ୟୁନିସ୍କୋ ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା ।
ସାଧାରଣତଃ ବିଶ୍ୱର ଯେ କୌଣସି ପର୍ଯ୍ୟଟନ ସ୍ଥଳୀ ନିଦ୍ଦିଷ୍ଟ ଏକ ବିଶେଷତାକୁ ନେଇ ପ୍ରସିଦ୍ଧି ଲାଭ କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ରହିଛି ଅସୁମାରି ବିଶେଷତା । ବିସ୍ତୃତ ସବୁଜ ବନାନୀ, ଥାକଥାକ ନଭଶ୍ଚୁମ୍ବୀ ପର୍ବତ, ଭାସମାନ ମେଘମାଳା ଓ କଳକଳ ନାଦିନୀ ଝରଣା ଆଦି ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ସମୁଦ୍ର ପତନ ଠାରୁ ପ୍ରାୟ ୧୧୬୫ମିଟର ଉଚ୍ଚରେ ଅବସ୍ଥିତ ଶିମିଳିପାଳ ଜୈବ ମଣ୍ଡଳର ସର୍ବୋଚ୍ଚ ଗିରିଶୃଙ୍ଗ ମେଘାସନୀ ପର୍ବତ ।
ମେଘାସନୀ ଉପରକୁ ଚାହିଁଦେଲେ ଲାଗେ, ସତେ ଯେମିତି ଆକାଶ ଏଠି କଥା କହୁଛି ପୃଥିବୀ କାନରେ ଏବଂ ଖଣ୍ଡ ଖଣ୍ଡ ଭସା ବାଦଲ ସବୁ ଧଳା ଫୁଲ ପରି ଶୋଭା ପାଉଛି ପ୍ରକୃତିରାଣୀର ଗଭାରେ । ଗିରି କନ୍ଦର ବୁକୁ ଚିରି ସର୍ପିଳ ଗତିରେ ବହି ଯାଉଛି ବଳାଙ୍ଗୀ,ସୋନ, ଗଙ୍ଗାହାର, ଦେଓ, ଭଣ୍ଡନ, ପଳପଳା,ଖଡଖାଇ ଓ ଖଇରି ଆଦି କେତେ ସାନବଡ଼ ନଦୀ ଝରଣା । ଘଂଚ ଅରଣ୍ୟ ମଧ୍ୟରେ ଛିଡା ହୋଇଥିବା ସୁଉଚ୍ଚ ପାହାଡ ମଥାନରୁ କ୍ଷିପ୍ର ଗତିରେ ଝରିପଡୁଛି ବରେହିପାଣି ଓ ଯୋରନ୍ଦା ଆଦି ମନୋରମା ଜଳପ୍ରପାତ ।
ଜୈବ ବିବିଧତାର ଅସୁମାରୀ ଭଣ୍ଡାର ଶିମିଳିପାଳରେ ରହିଛି ଶାଳ, ପିଆଶାଳ, ଶିଶୁ, ଅସନ, ଶିମିଳି ଓ ଚମ୍ପା ଆଦି ୧୦୭୬ ପ୍ରକାର ବୃକ୍ଷଲତା ଓ ୯୬ ପ୍ରକାରେ ଅର୍ଚିଡ ପ୍ରଜାତିର(ଚିତ୍ର ଜାତୀୟ) ଫୁଲ । ଏଠାରେ ଏମିତି ୫୫ ପ୍ରକାର ବିରଳ ବୃକ୍ଷ ଅଛି, ଯାହା ଦେଖିବାକୁ ମିଳେନି ବିଶ୍ୱର ଅନ୍ୟ କୌଣସି ସ୍ଥାନରେ । ଜୈବ ମଣ୍ଡଳର ବଡ଼ ଆକର୍ଷଣ ହେଉଛି ଏଠାରେ ଥିବା ୫୫ଜାତିର ପଶୁ, ୬୨ପ୍ରକାର ସରୀସୃପ ଓ ୩୦୪ ପ୍ରଜାତିର ପକ୍ଷୀ । ପ୍ରଚଣ୍ଡ ଶୀତ, ସୁଖଦଃ ଗ୍ରୀଷ୍ମ ଓ ମୂଷଳ ବର୍ଷାର ଅନୁଭବ ମଧ୍ୟରେ ଜଳବାୟୁର ବିସ୍ମୟକର ବିବିଧତା ହିଁ ଶିମିଳିପାଳ ଜୈବ ମଣ୍ଡଳର ଅନନ୍ୟ ବିଶେଷତା ।
ବନଭୂମିର ରଙ୍ଗ, ଶବ୍ଦ ଓ ଆଲୋକର ମହୋତ୍ସରେ ଗୁଞ୍ଜରିତ ହୁଏ ଜୀବନର ନୂଆ ଛନ୍ଦ । କବି, କଳାକାର, ଭାବୁକ, ଦାର୍ଶନିକ ଓ ପ୍ରକୃତିପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରେ ତାର ଶାନ୍ତ, ସ୍ନିଗ୍ଧ ପରିବେଶ । ଶିମିଳିପାଳ କେବଳ ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର ନୁହେଁ, ଏହା ଆମ ଜୀବନ ଜୀବିକାର ଆଧାର । ଶିମିଳିପାଳ ପାଦଦେଶରେ ବାସ କରୁଥିବା ଜନଜାତିର ଲୋକଙ୍କ ଆୟର ସିଂହଭାଗ ନିର୍ଭର କରେ ଏହି ଅଭୟାରଣ୍ୟ ଉପରେ ।
ଶିମିଳିପାଳ ନଥିଲେ ଶସ୍ୟ ଶ୍ୟାମଲା ନୁହେଁ, ଏକ ମରୁ ଅଂଚଳରେ ପରିଣତ ହୋଇଥାନ୍ତା ଓଡିଶା । ଏହି ଦୃଷ୍ଟିରୁ ବିଚାର କଲେ ଶିମିଳିପାଳ ହେଉଛି ମାନବ ଜାତି ପ୍ରତି ପ୍ରକୃତିର ଏକ ମହାର୍ଘ ଦାନ । ଅଥଚ ପ୍ରକୃତିର ଏ ଅବଦାନ ପ୍ରତି ବଢିଚାଲିଛି ସ୍ୱାର୍ଥାନ୍ଧ ମଣିଷର ଅବମାନନା । ଏହି ଅପରିଣାମଦର୍ଶିତା ପାଇଁ କ୍ରମଶଃ ସଙ୍କଟ ଭିତରକୁ ଟାଣି ହୋଇଯାଉଛି ଶୋଭାମୟୀ ଶିମିଳିପାଳ । ଆଇନକୁ ଆଖି ଠାର ମାରି କେଉଁଠି ଜଙ୍ଗଲ ତସ୍କର ମୂଲ୍ୟବାନ ଗଛ କାଟି ନେଉଛି ତ କେଉଁଠି ଶିକାରୀ ହାତରେ ଯାଉଛି ବନ୍ୟପ୍ରାଣୀ ଓ ବନରକ୍ଷୀଙ୍କ ଜୀବନ ।
ଏମାନଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ଅଭିବୃଦ୍ଧି ନିମନ୍ତେ ସରକାରଙ୍କ ପଦକ୍ଷେପ ବୈମାତୃକ । ଫଳରେ ଶିମିଳିପାଳ ଅଭୟାରଣ୍ୟ ଅସୁରକ୍ଷିତ ଓ ରକ୍ତରଞ୍ଜିତ । ଜିଲାର କୋହିନୂର ହୀରା ବୋଲାଉଥିବା ଶିମିଳିପାଳ ଅଭୟାରଣ୍ୟ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ଅଣାରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବାରମ୍ବାର ପ୍ରୟାସ ଜାରି ରହିଛି । ମାତ୍ର ନିଦାବିଷ୍ଣୁ ସାଜିଥିବା ବିଧାୟକ, ସାଂସଦ ଓ ପ୍ରତିନିଧି ମାନେ ମାଆ ମାଟିକୁ ଭୁଲି ଯାଇ ନିଜ ସ୍ୱାର୍ଥ୍ୟରେ ନିୟୋଜିତ ରହିଛନ୍ତି । ମନୁଷ୍ୟ ସମାଜର ସ୍ଥିତି ତଥଶ ବିକାଶ ପାଇଁ ଜଙ୍ଗଲ ତଥା ବନ୍ୟଜନ୍ତୁଙ୍କୁ ସ୍ଥିତି, ସୁରକ୍ଷା, ସଂରକ୍ଷଣ ଏବଂ ସମୃଦ୍ଧି ବିକାଶର ଏକାନ୍ତ ଆବାଶ୍ୟକତା ହୃଦୟଙ୍ଗମ କରି ଭଞ୍ଜସେନା ପକ୍ଷରୁ ୧୦ଟି ଦାବି ଉପସ୍ଥାପନା କରୁଛି ।
ମହାବଳ ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଭାଗ ଓ ରାଜ୍ୟର ବିଶିଷ୍ଟ ପରିବେଶବିତମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଉ । ଯୁଦ୍ଧକାଳୀନ ଭିତିରେ ଶିମିଳିପାଳ ଅଭୟାରଣ୍ୟରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି କରିବାରେ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ।
୩-ବାଘଙ୍କ ଗତିବିଧିକୁ ଟ୍ରାକିଂ କରିବା ନିମନ୍ତେ(ଜିପିଏସ:ଗ୍ଳୋବାଲ ପଜିସନିଙ୍ଗ ସିଷ୍ଟମ), ମନିଟରିଙ୍ଗ ସିଷ୍ଟମ ଫର ଟାଇଗର ଏବଂ ଭିଏଚଏଫ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ବାଘଙ୍କ ଗତିବିଧିର ନୀରିକ୍ଷଣ କରିଯାଉ ।
ଅବାଧ ଶିକାରକୁ ରୋକିବା ନିମନ୍ତେ ସରକାରୀ ସ୍ତରରେ ଶିମିଳିପାଳ ସ୍ପୋଶାଲ ସ୍କ୍ୱାର୍ଡ ଗଠନ କରି କଡାକଡି ନିୟମ ଓ ଦଣ୍ଡବିଧାନ ପ୍ରଣୟନ କରାଯାଉ । ବିନବିଭାଗ ସହିତ ସ୍ୱତନ୍ତ୍ର ଆରକ୍ଷୀ, ପ୍ରତିରକ୍ଷା ବାହିନୀକୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ପ୍ରଦାନ କରାଯାଉ ।
ଜୈବ ବିବର୍ତନ ପାଇଁ ସମଗ୍ର ବିଶ୍ୱରେ ବିରଳ ପ୍ରଜାତିର କଳା ମହାବଳ ବାଘ ଦେଖାଯାଉଥିବା ଶିମିଳିପାଳରେ ବାଘ ପ୍ରଜନନ, ସଂଖ୍ୟାବୃଦ୍ଧି, ବାସସ୍ଥାନ, ଖାଦ୍ୟଶୃଙ୍ଖଳ, ଗତିବିଧି, ପରିବେଶ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଉ ।
ଶିମିଳିପାଳ କୋର ଓ ବୋଫର ଅଂଚଳରେ ଅବସ୍ଥିତ ଗାଁ ଗୁଡିକ ବିସ୍ଥାପିତ କରାଯାଇ ଶିମିଳିପାଳକୁ ସମ୍ପୂର୍ଣ୍ଣ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ପ୍ରଦାନ କରାଯାଉ । ଏହା ସହିତ ବିସ୍ଥାପିତଙ୍କୁ ସରକାରୀ ଜମି,ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟ, ରୋଜଗାର, ବାସଗୃହ ଯୋଗାଇବା ସହିତ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉ । କେବଳ ଆଦିବାସୀଙ୍କ ଧାର୍ମିକ ଉପାସନା ଓ ବାର୍ଷିକ ପୂଜାର୍ଚ୍ଚନା ପାଇଁ ଶିମିଳିପାଳକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଉ ।
ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଶିମିଳିପାଳ ସୀମାନ୍ତ ଓ ଆଭ୍ୟନ୍ତରୀଣ ଅଂଚଳରେ ଲୋକମାନଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଉ । ଫଳରେ ବନ୍ୟଜୀବ ପର୍ଯ୍ୟଟନ ମାଧ୍ୟମରେ ଲୋକେ ରୋଜଗାରକ୍ଷମ ହୋଇପାରିବେ । ସେଥି ନିମନ୍ତେ ସରକାରଙ୍କ ପକ୍ଷରୁ ଇକୋ ଟୁରିଜିମ ପ୍ରତି ଗୁରୁତ୍ୱ ପ୍ରଦାନ କରନ୍ତୁ ।
ଶିମିଳିପାଳର ସୁରକ୍ଷା ନିମନ୍ତେ ଖାଲି ପଡିଥିବା ୪୦ପ୍ରତିଶତ କର୍ମଚାରୀଙ୍କ ପଦବୀ ପୂରଣ କରାଯାଉ । ଅଭୟାରଣ୍ୟ ମଧ୍ୟରେ ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ତୁରନ୍ତ ବାତିଲ କରାଯାଉ ।
୧୦-ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ସହିତ କାର୍ଯ୍ୟକାରୀ କରାଯାଉ । ନବ ରୂପାନ୍ତର ପ୍ରକ୍ରିୟାରେ ଜିଲାର ଅଧିଷ୍ଠାତ୍ରୀ ଦେବୀ ମାଆ କୀଚକେଶ୍ୱରୀଙ୍କ ମନ୍ଦିର, ମାଆ ଅମ୍ବିକା ମନ୍ଦିର, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିର ଓ ମାଣତ୍ରୀ ସ୍ଥିତ ବାବ କଖାରୁଆ ବୈଦ୍ୟନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ ।
ଉପରୋକ୍ତ ଦାବୀ ଗୁଡିକୁ ନେଇ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଏକ ଵିଶାଳ ଗଣଧାରଣା ଅନୁଷ୍ଠିତ ହୋଇଥିଲା |ଉକ୍ତ ଗଣ ଧାରଣାରେ ଭଞ୍ଜସେନା ଅଧକ୍ଷ ଶୁଭେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟସ୍ୱରୂପ ଦାଶ, ଉପାଧ୍ୟକ୍ଷ ଜିତେନ୍ଦ୍ର ହେମ୍ବ୍ରମ ପ୍ରମୁଖଙ୍କ ସହିତ ପାଖାପାଖି ଏକ ହଜାର ଭଞ୍ଜସେନା କର୍ମୀ ଯୋଗଦାନ କରିଥିଲେ |
ଉପରୋକ୍ତ ଦାବି ପୂରଣ ନହେଲେ ଭୁବନେଶ୍ୱର ପରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଧାରଣା ପୂର୍ବକ ଆନ୍ଦୋଳନ କରାଯିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରକାଶ କରିଛନ୍ତି ।