ଭୁବନେଶ୍ୱର : ରାଜଧାନୀରେ ଅଭିନୟ ଉପାୟରେ ଯାତ୍ରୀଙ୍କୁ ଲୁଟ୍ । ଅଣଓଡିଆ ମହିଳାମାନେ ମେଳି ହୋଇ ଯାତ୍ରୀ ବେଶରେ ଅଟୋରେ ଆସୁଥିବା ମହିଳାଙ୍କୁ ଟାର୍ଗେଟ କରିବା ସହିତ ସେମାନଙ୍କ ପର୍ସ ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀକୁ ଆଖି ପିଛୁଳାକେ ଲୁଟି ନେଉଛନ୍ତି ।
ଆଜି ଏଭଳି ଲୁଟ୍ର ଶିକାର ହୋଇଛନ୍ତି ସ୍ଥାନୀୟ ଛଅ ନମ୍ବର ବାଳିକା ବିଦ୍ୟାଳୟର ଶିକ୍ଷୟତ୍ରୀ କଲ୍ୟାଣି ମହାନ୍ତି । ଫାୟାରଷ୍ଟେସନ ଛକରୁ ଗଙ୍ଗନଗର ପର୍ଯ୍ୟନ୍ତ ଅଟୋରେ ଆସିବା ସମୟରେ ଦୁଇ ଜଣ ଅଣଓଡିଆ ମହିଳା ତାଙ୍କର ପର୍ସ ସହିତ ଏଟିଏମ୍କାର୍ଡ, ପାନ୍କାର୍ଡ, ଆଧାରକାର୍ଡ, ଭୋଟର ପରିଚୟପତ୍ର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ନଗଦ ଅର୍ଥ ଲୁଟି ନେଇଛନ୍ତି । ଏ ନେଇ ଶ୍ରୀମତୀ ମହାନ୍ତି କ୍ୟାପିଟାଲ ଥାନାରେ ଅଭିଯୋଗ କରିବାପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।
ଶ୍ରୀମତୀ ମହାନ୍ତିଙ୍କ ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ କଟକରୁ ମୋ ବସ୍ ଯୋଗେ ଆସି ଫାୟାରଷ୍ଟେସନ ଛକରେ ଓହ୍ଲାଇଥିଲେ । ସେଠାରୁ ଗଙ୍ଗନଗର ଆସିବାପାଇଁ ଅଟୋ ଧରିଥିଲେ । ତେବେ ସେ ଅଟୋ ପଛ ସିଟ୍ରେ ବସିବା ସମୟରେ ପଛ ସିଟ୍ରେ ଜଣେ ଯୁବକ ବସିଥିଲେ । ଏତିକିବେଳେ ଆଉ ଦୁଇ ଜଣ ମହିଳା ଅଟୋରେ ବସିବାକୁ ଚାହିଁବାରୁ ଯୁବକ ଜଣଙ୍କ ଅଟୋ ଆଗ ସିଟ୍କୁ ଯାଇଥିଲେ । ତେବେ ଦୁଇଜଣ ମହିଳା ଅଟୋର ଦୁଇପଟୁ ଉଠିବା ସହିତ ଶ୍ରୀମତୀ ମହାନ୍ତିଙ୍କୁ ମଝିରେ ବସିବାକୁ କହିଥିଲେ । ଦୁଇ ମହିଳାଙ୍କ ଅନୁରୋଧ ରଖି ଶ୍ରୀମତୀ ମହାନ୍ତି ମଝିରେ ବସିଥିଲେ ।
ଦୁଇଜଣ ମହିଳା ହିନ୍ଦିରେ କଥାବାର୍ତ୍ତା ହେଉଥିବାବେଳେ ହାତରେ ଜରି ଭଳି କିଛି ସାମଗ୍ରୀ ଧରିଥିଲେ । ରାସ୍ତାରେ ସେମାନେ ପରସ୍ପର ସହିତ କଥା ହେଉଥିବାବେଳେ ସମୟ ଜାଣିବାପାଇଁ ଶ୍ରୀମତୀ ମହାନ୍ତିଙ୍କୁ କେତେଟା ବାଜିଛି ବୋଲି ପଚାରିଥିଲେ । ଶ୍ରୀମତୀ ମହାନ୍ତି ସେମାନଙ୍କୁ ସମୟ କହିବା ସହିତ ଗଙ୍ଗନଗର ପୂର୍ବରୁ ଅଟୋବାଲାକୁ ବଡ ପର୍ସରୁ ଭଡା ଟଙ୍କା ବାହାର କରି ଦେଇଥିଲେ । ଏହା ପରେ ଗଙ୍ଗନଗର ଆସିବାରୁ ସେ ଅଟୋରୁ ଓହ୍ଲାଇ ଯାଇଥିଲେ ।
ଅଟୋରୁ ଓହ୍ଲାଇ ଦେଖିଥିଲେ ଯେ ବଡ ପର୍ସ ମଧ୍ୟରେ ଏଟିଏମ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଜପତ୍ରପତ୍ର ଓ ଟଙ୍କା ଥିବା ଛୋଟ ପର୍ସଟି ନାହିଁ । ସମୟ ପଚାରିବା ବାହାନାରେ ଦୁଇ ମହିଳା ତାଙ୍କ ପର୍ସ ହଡପ କରିଥିବା ଜାଣିବାପରେ ସେ ତୁରନ୍ତ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସମାନ ଧରଣର ଚୋରି ଅଭିଯୋଗରେ ମଧ୍ୟ ଆଉ କିଛି ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ବାହାରର ଏହି ମହିଳା ଚୋରମାନେ ଏବେ ବିଭିନ୍ନ ଅଟୋଷ୍ଟାଣ୍ଡରେ ଛିଡା ହେବା ସହିତ ବସ୍ରୁ ଓହ୍ଲାଉଥିବା ମହିଳା ଯାତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ସେମାନେ ଅଟୋର ଦୁଇପଟୁ ଉଠିବା ସହିତ ଯାତ୍ରୀଙ୍କୁ ମଝିରେ ବସିବାକୁ ବାଧ୍ୟ କରୁଛନ୍ତି ଏବଂ ସୁବିଧା ଦେଖି ଲୁଟି ନେଉଛନ୍ତି । ତେବେ ଲୁଟ୍ର ଶିକାର ହୋଇଥିବା ଶିକ୍ଷୟତ୍ରୀଜଣଙ୍କ ଥାନାର ଦ୍ୱାରସ୍ଥ ହେବାପରେ ଏଭଳି ଅଭିନବ ଚୋରି କାରନାମା ପଦାକୁ ଆସିଛି । (ତଥ୍ୟ)