Home Education ପରୀକ୍ଷା ବ୍ୟବସ୍ଥା ସ୍ୱଚ୍ଛ କରିବାକୁ ଟାକ୍ସଫୋର୍ସ

ପରୀକ୍ଷା ବ୍ୟବସ୍ଥା ସ୍ୱଚ୍ଛ କରିବାକୁ ଟାକ୍ସଫୋର୍ସ

ନୂଆଦିଲ୍ଲୀ: ନିଟ୍ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍ ଓ ଜାଲିଆତିକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗିରହିଥିବା ବେଳେ ଏବେ ସିଧାସଳଖ ଆକ୍ସନ ମୋଡକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏବଂ ଛାତ୍ରଛାତ୍ରୀଙ୍କ ହଜିଯାଇଥିବା ବିଶ୍ୱାସକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ତଥା ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି।

ଦେଶର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଏକ ‘ଉଚ୍ଚସ୍ତରୀୟ ଟାସ୍କଫୋର୍ସ’ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଟାସ୍କଫୋର୍ସର ନେତୃତ୍ୱ ନେବେ ଆଧାରର ରୂପକାର ତଥା ଇନଫୋସିସ୍‌ର ସହ-ପ୍ରତିଷ୍ଠାତା, ଟେକ୍ନୋକ୍ରାଟ୍ ନନ୍ଦନ ନିଲେକାନୀ। ବାରମ୍ବାର ପେପର ଲିକ୍ ଓ ହ୍ୟାକିଂ ଭଳି ଘଟଣା ସରକାରୀ ବ୍ୟବସ୍ଥାର ତ୍ରୁଟିକୁ ପଦାରେ ପକାଇଥିଲା। ତେଣୁ ପୁରୁଣା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଏହି ନୂଆ ଟାସ୍କଫୋର୍ସ ଗୁରୁତ୍ୱ ଦେବ।

ନନ୍ଦନ ନିଲେକାନୀଙ୍କ ସୁଦକ୍ଷ ନେତୃତ୍ୱରେ ଗଠିତ ଏହି କମିଟି ସମ୍ପୂର୍ଣ୍ଣ ପରୀକ୍ଷା ପ୍ରକ୍ରିୟାର ସୂକ୍ଷ୍ମ ତର୍ଜମା କରିବ। ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରର ସୁରକ୍ଷା, ଡିଜିଟାଲ୍ ମୂଲ୍ୟାୟନ ଏବଂ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ପ୍ରତିଟି ସ୍ତରରେ କିପରି ୧୦୦ ପ୍ରତିଶତ ସ୍ୱଚ୍ଛତା ବଜାୟ ରହିବ, ସେନେଇ ଏକ ନୂଆ ରୂପରେଖ ପ୍ରସ୍ତୁତ କରାଯିବ। ଆଗାମୀ ଦିନରେ ପରୀକ୍ଷା ବ୍ୟବସ୍ଥାକୁ ହ୍ୟାକ୍-ପ୍ରୁଫ୍ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ବ୍ଲକଚେନ୍ ଭଳି ଉନ୍ନତ ଟେକ୍ନୋଲୋଜିର ବିନିଯୋଗ କରାଯାଇପାରେ। ଏହି ଟାସ୍କଫୋର୍ସ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଦେଶରେ ସମସ୍ତ ବଡ଼ ପରୀକ୍ଷା ପାଇଁ ଏକ କଠୋର ଏବଂ ନୂତନ ନିୟମାବଳୀ ଲାଗୁ ହେବ।

ସେପେଟ ଆସନ୍ତାକାଲି ସଂସଦରେ କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପରୀକ୍ଷା ମାଫିଆଙ୍କୁ ରୋକିବାକୁ ଏକ ଆଇନ ଆଣିବାକୁ ଯାଉଛିନ୍ତି। ଏହି ଆଇନରେ ପରୀକ୍ଷା ବିଭ୍ରାଟକାରୀଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ୧୦ ବର୍ଷ ଜେଲ ସହ ୧୦ କୋଟି ଫାଇନ ବ୍ୟବସ୍ଥା ରହିଛି। ଏସମ୍ପର୍କିତ ଚିଠା ଆଇନକୁ ଦୁଇ ଦିନ ପୂର୍ବେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ପ୍ରଶ୍ନପତ୍ର ଲିକକୁ ନେଇ ସାରା ଦେଶରେ ଗତ ସପ୍ତାହେ ଧରି ସୃଷ୍ଟି ହୋଇଥିବା ହଙ୍ଗାମା ଓ ରାଜନୀତି କିଛିଟା ଥିମି ଥିଲେ ବି କେନ୍ଦ୍ର ସରକାର ଶିକ୍ଷା ପଦ୍ଧତିରେ ସଂସ୍କାର ଆଣିବା ପ୍ରକ୍ରିୟାରୁ ଓହରି ନାହାଁନ୍ତି।