Home Education ଶିକ୍ଷା ପୁରସ୍କାର ପାଇଁ ୭୯୫୬୫ଟି ଆବେଦନ

ଶିକ୍ଷା ପୁରସ୍କାର ପାଇଁ ୭୯୫୬୫ଟି ଆବେଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯୫୬୫ ଜଣ ଆବେଦନ କରିଛନ୍ତି । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି ବର୍ଗରେ ବିଭିନ୍ନ ସ୍ତରରେ ପୁରସ୍କାର ପାଇଁ ଶ୍ରେଷ୍ଠ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଚୟନ କରାଯିବ ।

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ମୋଟ ୫୦୨୫ଟି ବିଦ୍ୟାଳୟ ଆବେଦନ କରିଛନ୍ତି । ସେହିପରି ପ୍ରଧାନଶିକ୍ଷକ (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୪୩୦୪ ଜଣ ଓ ଶିକ୍ଷକ ପୁରସ୍କାର (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୧୪୨୬୨ ଜଣ ଶିକ୍ଷକ ଆବେଦନ କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦୦୨୩ ଟି ବିଦ୍ୟାଳୟ ଆବେଦନ କରିଥିବାବେଳେ ପ୍ରଧାନଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ପୁରସ୍କାର ପାଇଁ ୮୪୫୪ ଜଣ ଆବେଦନ କରିଛନ୍ତି । ଶିକ୍ଷକ ପୁରସ୍କାର (ପ୍ରାଥମିକ ବିଦ୍ୟାଳୟ) ନିମନ୍ତେ ସାରା ରାଜ୍ୟରୁ ୩୦୯୯୯ ଜଣ ଶିକ୍ଷକ ଆବେଦନ କରିଛନ୍ତି । ସେହିପରି ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୩୫୯୫ଟି କମିଟି ଆବେଦନ କରିଛନ୍ତି । ଏହି ସମସ୍ତ ପୁରସ୍କାର ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ, ଜିଲ୍ଲା ପୁରସ୍କାର ପାଇଁ ୨୩, ବ୍ଲକ ପୁରସ୍କାର ପାଇଁ ୧୩୮, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର ପାଇଁ ୨୪, ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର ପାଇଁ ୧୦୩, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ୩୦, ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ୧୨୧୭, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି) ପୁରସ୍କାର ପାଇଁ ୧୩୬୮ଟି ଆବେଦନ ଆସିଛି । ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିରେ ଏହି ଆବେଦନର ଯାଞ୍ଚ କରାଯାଇ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଚୟନ କରାଯିବ ।

ଉଲ୍ଲେଖଯୋଗ୍ୟ, ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ରେ ପୁରସ୍କୃତ କରାଯିବ । ରାଜ୍ୟସ୍ତରରେ ୧୯,୪୬୭ଟି ପୁରସ୍କାର ବାବଦରେ ୩୨,୧୭,୨୯,୦୦୦ ଟଙ୍କା ପ୍ରଦାନ କରାଯିବ ।

ସେହିପରି ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪,୫୮,୫୦,୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ । ବ୍ଲକ୍‌ସ୍ତରରେ ୩୪,୮୫୪ଟି ପୁରସ୍କାର ବାବଦକୁ ୫୯,୯୭,୪୦,୦୦୦ ଟଙ୍କା ପ୍ରଦାନ କରାଯିବ । ମହାନଗରନିଗମସ୍ତରରେ ୫୦ଟି ଓ ସବ୍‌ଡିଭିଜିନାଲ ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧,୬୦,୦୦୦ ପୁରସ୍କାର ରାଶି ଦିଆଯିବ ।