Home Banking ଶିକ୍ଷା, ଗୃହ ଋଣ ଦେବାକୁ ଅମଙ୍ଗ

ଶିକ୍ଷା, ଗୃହ ଋଣ ଦେବାକୁ ଅମଙ୍ଗ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶାରେ ଥିବା ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ଶିକ୍ଷା ଓ ଗୃହ ଋଣ ପ୍ରଦାନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ଜୁନ୍ ଶେଷ ସୁଦ୍ଧା ଏହି ବ୍ୟାଙ୍କଗୁଡ଼ିକ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଧାର୍ଯ୍ୟ କରାଯାଇଥିବା ମୋଟ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟର ମାତ୍ର ୯ ପ୍ରତିଶତ ମଧ୍ୟରେ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ବାର୍ଷିକ ୧୧୫୩.୩୫ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ୍ ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ଗରିବ ଛାତ୍ରଛାତ୍ରୀଙ୍କୁ ମାତ୍ର ୧୦୨.୩୬ କୋଟି ଟଙ୍କା (୮.୮୮%) ଶିକ୍ଷା ଋଣ ପ୍ରଦାନ କରିଛନ୍ତି । ତେବେ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ଏହି ସଫଳତା ୧୨.୭୯% ରହିଥିଲା ।

ସେହିପରି ଗୃହ ଋଣ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ବାର୍ଷିକ ୬୬୧୪.୫୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଜୁନ୍ ଶେଷ ସୁଦ୍ଧା ଗ୍ରାହକଙ୍କୁ ୫୯୨.୪୨ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ଅର୍ଥାତ ଗତବର୍ଷର ୮.୭୨% ସଫଳତା ତୁଳନାରେ ଚଳିତବର୍ଷର ସଫଳତା ୮.୯୬% ରହିଛି ।

ଗତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍ୱିସି) ବୈଠକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବ୍ୟାଙ୍କଗୁଡ଼ିକର ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରମୁଖ ସାମାଜିକ କ୍ଷେତ୍ରକୁ ଋଣ ପ୍ରଦାନ ଉପରେ ଅଧିକ ଧ୍ୟାନ ଦେବାକୁ ସେ ସମସ୍ତ ବ୍ୟାଙ୍କକୁ ଅନୁରୋଧ କରିଥିଲେ ।

ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ବଢୁଥିବା ଋଣ ଚାହିଦାକୁ ଦୃଷ୍ଟିରେ ରଖି ବାର୍ଷିକ ଋଣ ଯୋଜନା (ଏସିପି) ଅଧୀନରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଉପରେ ସେ ଆଲୋକପାତ କରିଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଏସିପି ଲକ୍ଷ୍ୟ ୧.୬୦ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା କି ପୂର୍ବ ବର୍ଷର ୧.୩୪ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ତୁଳନାରେ ୧୯.୦୨% ଅଧିକ ।

ଜୁନ୍ ୨୦୨୩ ସୁଦ୍ଧା, ବ୍ୟାଙ୍କଗୁଡ଼ିକ ଏସିପି ଲକ୍ଷ୍ୟର ୨୮.୭୦% ହାସଲ କରିଛନ୍ତି ଏବଂ ସେ ଏହି ଗତି ବଜାୟ ରଖିବାକୁ ଏବଂ ପୂର୍ବ ବର୍ଷ ପରି ଚଳିତ ବର୍ଷ ଏସିପି ଲକ୍ଷ୍ୟର ୧୦୦% ହାସଲ କରିବାକୁ ଅନୁରୋଧ କରିଛନ୍ତି ।

ଶ୍ରୀ ଆରୁଖ ଉଲ୍ଲେଖ କରିଛନ୍ତି ଯେ ୨୦୨୩ ଜୁନ୍ ୩୦ ସୁଦ୍ଧା କ୍ରେଡିଟ୍ ଡିପୋଜିଟ୍ ରେସିଓ (ସିଡି ଅନୁପାତ) ୮୧.୪୪% କୁ ବୃଦ୍ଧି ପାଇଛି, ଯାହା ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୮୦.୭୭% ଥିଲା । ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ସମସ୍ତ ବ୍ୟାଙ୍କ ଉଦ୍ୟମ ଜାରି ରଖିବାକୁ ସେ କହିଥିଲେ ।

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଥିଲେ ଯେ ୬୭୯୮ ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫% ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ ।

ଏହାର ସମାଧାନ ପାଇଁ ରାଜ୍ୟ ସରକାର ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହଯୋଗରେ ସିଏସପି ପ୍ଲସ୍ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ମାଧ୍ୟମରେ ସମସ୍ତ ଅଣବ୍ୟାଙ୍କିଂ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗସେବା ପ୍ରଦାନ କରିବା । ଏହି ପଦକ୍ଷେପ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ଏବଂ ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ମାନଙ୍କର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ସେମାନଙ୍କୁ ଏସ୍‌ଏଚଜିରୁ ଏସ୍‌ଏମ୍‌ଇରେ ପରିଣତ କରିବା ପାଇଁ ସେମାନଙ୍କୁ ସଠିକ୍ ସମୟରେ ପର୍ଯ୍ୟାପ୍ତ ଋଣ ପ୍ରଦାନର ଆବଶ୍ୟକତା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । (ତଥ୍ୟ)