Home Finance ଶିକ୍ଷା ଋଣରେ ୧୮୪୭କୋଟି ଅନାଦେୟ

ଶିକ୍ଷା ଋଣରେ ୧୮୪୭କୋଟି ଅନାଦେୟ

ଭୁବନେଶ୍ୱର : ଶିକ୍ଷା ଋଣ ନେଇଥିବା ଛାତ୍ରଛାତ୍ରୀମାନେ ଏହାକୁ ପରିଶୋଧ କରୁନଥିବାରୁ ଏ ବାବଦରେ ୧୮୪୭କୋଟି ଟଙ୍କାରୁ ଅଧିକ ଅନାଦେୟ ହୋଇ ରହିଛି । ଅନ୍ୟ ପଟେ ଅଧିକାଂଶ ବ୍ୟାଙ୍କ୍‍ ବି ଏଭଳି ଋଣ ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଗତ ଆର୍ଥିକ ବର୍ଷରେ ବ୍ୟବସାୟିକ ୧୦,୩୦୪ଜଣଙ୍କୁ ଶିକ୍ଷାଋଣ ବାବଦରେ ୨୪୧କୋଟି ୭୬ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ତେ ଏହି ଋଣ ପରିମାଣ ପୂର୍ବବର୍ଷ ତୁଳନାରେ ହ୍ରାସ ପାଇବାରେ ଲାଗିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଶିକ୍ଷାଋଣ ବାବଦରେ ୩୩୧.୩୭କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦୧୭-୧୮ ବର୍ଷରେ ଏହା ୪୦୮.୪୪କୋଟି ଟଙ୍କା ଥିଲା । ତେବେ ୨୦୧୮-୧୯ ବର୍ଷରେ ସର୍ବାଧିକ ୬୧୮.୧୭କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।

ଏହିବର୍ଷ ୨୬ହଜାରରୁ ଅଧିକ ଛାତ୍ରଛାତ୍ରୀ ଋଣ ନେଇଥିଲେ । ଏହା ପରଠାରୁ ରାଜ୍ୟରେ ଶିକ୍ଷାଋଣ ପ୍ରଦାନ ହ୍ରାସ ପାଇବାରେ ଲାଗିଛି । ୨୦୧୯-୨୦ ରେ ବର୍ଷରେ ୩୨୯.୭୬ କୋଟି ଟଙ୍କାର ଋଣ ଦିଆଯାଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ପ୍ରାୟ ୯୦ କୋଟି ଟଙ୍କା କମିଯାଇଛି । ତେବେ ଏହିବର୍ଷ ସବୁଠାରୁ କମ୍‍ ମାତ୍ର ୧୦,୩୦୪ଜଣଙ୍କୁ ଶିକ୍ଷାଋଣ ମିଳିଥିଲା ।

ତେବେ ଲଗାତାର ଦୁଇବର୍ଷ ଧରି ଶିକ୍ଷାଋଣର ଅନାଦେୟ ବୋଝ ବ୍ୟାଙ୍କ୍‍ଗୁଡିକ ଉପରେ ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ଏ ବାବଦରେ ୧୬୬୧.୮୫କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷରେ ଏହା ବୃଦ୍ଧିପାଇ ୧୮୪୭.୩୮କୋଟି ଟଙ୍କାରେ ପହଞ୍ଚିଛି ।

ରାଜ୍ୟରେ ଥିବା ବ୍ୟାଙ୍କ୍‍ଗୁଡିକ ମଧ୍ୟରୁ ୧୨ଟି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ୨୦୨୦-୨୧ ବର୍ଷରେ ୯୮୪୪ ଜଣଙ୍କୁ ୨୩୦.୧୩ କୋଟି ଟଙ୍କାର ଶିକ୍ଷାଋଣ ଦେଇଥିବାବେଳେ ୮ଟି ଘରୋଇ ବ୍ୟାଙ୍କ୍‍ ୪୩୪ ଜଣଙ୍କୁ ୧୧.୦୭କୋଟି ଟଙ୍କାର ଋଣ ଦେଇଛନ୍ତି । ରାଜ୍ୟରେ ଏକାଧିକ ଘରୋଇ ବ୍ୟାଙ୍କ୍‍ କୋଟି କୋଟି ଟଙ୍କାର ଜମା ସଂଗ୍ରହ କରୁଥିବାବେଳେ ଶିକ୍ଷାଋଣ ପ୍ରଦାନ କ୍ଷେତ୍ରରେ କିନ୍ତୁ ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ ଥିବା ଦୁଇ ଗ୍ରାମ୍ୟବ୍ୟାଙ୍କ୍‍ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‍ ୨୬ଜଣଙ୍କୁ ୫୬ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଛନ୍ତି । ତେବେ ସମବାୟ ବ୍ୟାଙ୍କ୍‍ଗୁଡିକ କୌଣସି ଋଣ ପ୍ରଦାନ କରିନଥିବା ଜଣାଯାଇଛି । ଏହି ବର୍ଷ ରାଜ୍ୟର ୯୮୩ ଜଣ ବାଳିକାଙ୍କୁ ବ୍ୟାଙ୍କମାନେ ଶିକ୍ଷାଋଣ ଯୋଗାଇଛନ୍ତି । (ତଥ୍ୟ)