ଭୁବନେଶ୍ୱର : ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସ୍ଡିପି) ପରିମାଣ ବଢି ଚାଲିଥିବାବେଳେ ଏଥିରୁ ଶିକ୍ଷା କ୍ଷେତ୍ରରେ ବ୍ୟୟ ପରିମାଣର ହାର କିନ୍ତୁ କମିବାରେ ଲାଗିଛି । ଗତ ୫ଟି ଆର୍ଥିକ ବର୍ଷ ମଧ୍ୟରୁ କୌଣସିଟିରେ ହେଲେ ଜାତୀୟ ଶିକ୍ଷା ନୀତି ଦ୍ୱାରା ଧାର୍ଯ୍ୟ ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ ।
ଭାରତର ମହା ଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଏହା ଜଣାପଡିଛି । ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ୧୯୮୬ ଶିକ୍ଷା କ୍ଷେତ୍ରରେ ଜିଡିପର ଅତି କମ୍ରେ ୬ ପ୍ରତିଶତ ଖଚ୍ର୍ଚ କରିବାକୁ ସୁପାରିଶ୍ କରିଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ରେ ମଧ୍ୟ ତୁରନ୍ତ ଶିକ୍ଷା କ୍ଷେତ୍ରରେ ବ୍ୟୟ ପରିମାଣକୁ ୬ ପ୍ରତିଶତକୁ ବଢାଇବାକୁ କହିଛନ୍ତି ।
ତେବେ ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ଜଣାପଡିଛି ଯେ ଓଡିଶା ସରକାରଙ୍କ ଜିଏସ୍ଡିପି ୨୦୧୮-୧୯ ବର୍ଷରେ ପାଖାପାଖି ୫ଲକ୍ଷ କୋଟି ଟଙ୍କା ଥିବାବେଳେ ଏଥିରୁ ୩.୫୦ ୍ରଅର୍ଥାତ୍ ୧୭,୪୭୧ କୋଟି ଟଙ୍କା ଶିକ୍ଷାପାଇଁ ଖର୍ଚ୍ଚ ହୋଇଥିଲା । ଏହା ପରିବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷରେ ଜିଏସ୍ଡିପିର ପରିମାଣ ୫ଲକ୍ଷ ୪୬ ହଜାର କୋଟି ଟଙ୍କାକୁ ଟପିଥିବାବେଳେ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚର ପରିମାଣ କିନ୍ତୁ ୩.୩୮ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୨୦-୨୧ ବର୍ଷରେ ରାଜ୍ୟର ଡିଏସ୍ଡିପି ୫ଲକ୍ଷ ୪୨ ହଜାର କୋଟି ଟଙ୍କାକୁ ହ୍ରାସ ପାଇଥିବାବେଳେ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ପରିମାଣ ସେହିବର୍ଷ ୩.୪୪ ପ୍ରତିଶତ ରହିଥିଲା । ସେହିବର୍ଷ ରାଜ୍ୟରେ କରୋନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।
୨୦୨୧-୨୨ ବର୍ଷରେ ରାଜ୍ୟର ଜିଏସ୍ଡପି ୬ଲକ୍ଷ ୩୮ ହଜାର କୋଟି ଟଙ୍କାକୁ ଟପି ଯାଇଥିଲା । ଉକ୍ତ ବର୍ଷ ଶିକ୍ଷା କ୍ଷେତ୍ରରେ ବ୍ୟୟ ପରିମାଣ ଯଦିଓ ପାଖପାଖି ୨୧ ହଜାର କୋଟି ଟଙ୍କା ଥିଲା କିନ୍ତୁ ହାରାହାରି ବ୍ୟୟ ପରିମାଣ ୩.୨୮ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୨୨-୨୩ ବର୍ଷରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା । ସେହିବର୍ଷ ରାଜ୍ୟର ଜିଏସ୍ଡିପିର ପରିମାଣ ୭ଲକ୍ଷ ୭୪ହଜାର କୋଟି ଟଙ୍କାକୁ ଟପିଯାଇଥିଲା । ଯଦିଓ ସେହିବର୍ଷ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚର ପରିମାଣ ପରିମାଣ ୨୫ହଜାର କୋଟି ଟଙ୍କାକୁ ଟପିଥିଲା, କିନ୍ତୁ ହାରାହାରି ବ୍ୟୟ ପରିମାଣ ୩.୨୭ ପ୍ରତିଶତକୁ ହ୍ରାସ ପାଇଥିଲା ।
ରାଜ୍ୟ ବଜେଟ୍ରେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଂଶ ହ୍ରାସ ପାଇଥିବା ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ୨୦୧୮-୧୯ ବର୍ଷରେ ମୋଟ୍ ବଜେଟ୍ରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୧.୬୧ ପ୍ରତିଶତ ଅର୍ଥ ପାଇଥିବାବେଳେ ୨୦୨୨-୨୩ ବର୍ଷରେ ଏହା କ୍ରମାଗତ ଭାବେ ହ୍ରାସ ପାଇ ୯.୬୪ ପ୍ରତିଶତରେ ପହଞ୍ଚିଥିଲା ।
ସିଏଜି ଆହୁରି ଦର୍ଶାଇଛନ୍ତି ଯେ ସମଗ୍ର ଶିକ୍ଷା ଅଧିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦:୪୦ ଅନୁପାତରେ ପାଣ୍ଠି ବଣ୍ଟନ ହେଉଥିଲା । ତେବେ ଅଡିଟ୍ରୁ ଜଣାପଡିଛି ଯେ ୨୦୧୮ ରୁ ୨୦୨୩ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଉପଲବ୍ଧ ପାଣ୍ଠିରୁ ୪୪ ରୁ ୫୦ ପ୍ରତିଶତ ଉପଯୋଗ ହୋଇଥିଲା । (ତଥ୍ୟ)

