Home Education ଶିକ୍ଷାନୁଷ୍ଠାନ ପରିସର ନିଶାଡିଙ୍କ ଆଡ୍ଡାସ୍ଥଳୀ

ଶିକ୍ଷାନୁଷ୍ଠାନ ପରିସର ନିଶାଡିଙ୍କ ଆଡ୍ଡାସ୍ଥଳୀ

ଭୁବନେଶ୍ୱର : ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ବିଦ୍ୟାଳୟ ପରିସର ଏବେ ନିଶାଡି ଓ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପୂଜା ଛୁଟିରେ ବିଦ୍ୟାଳୟ ପରିସର ଖାଲିପଡିବା ଓ ସେଠାରେ ସୁରକ୍ଷାକର୍ମୀ ନଥିବାରୁ ନିଶାଡିମାନେ ସେଠାରେ ଆଡ୍ଡା ଜମାଇବା ଆରମ୍ଭ କରିଛନ୍ତି ।

ସହର ଠାରୁ ଗାଁ ପର୍ଯ୍ୟନ୍ତ ଥିବା ଶିକ୍ଷାନୁଷ୍ଠାନରେ ସମାନ ଅବସ୍ଥା । ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ନାହିଁ । ହାଇସ୍କୁଲ ଓ କଲେଜରେ ବି ସମାନ ଅବସ୍ଥା କହିଲେ ଚଳେ । କାରଣ ସେଠାରେ ଯେଉଁ ସୁରକ୍ଷାକର୍ମୀ ଅଛନ୍ତି ତାଙ୍କୁ କେହି ଖାତିର କରୁନାହାନ୍ତି ।

ରାଜଧାନୀର ପ୍ରାଥମିକ ବିଦ୍ୟାଳୟ ପରିସର ଏବେ ପୂଜା ଛୁଟିରେ ସମ୍ପୂର୍ଣ୍ଣ ଫାଙ୍କା । ଏହି ସମୟରେ ସେଠାରେ ନିଶାଡିମାନେ ମେଳି ହେବାରେ ଲାଗିଛନ୍ତି । ଦିନବେଳା ଏଠାରେ ବସି ବିଡି, ସିଗାରେଟ, ଗଞ୍ଜେଇ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମାଦକଦ୍ରବ୍ୟ ସେବନ କରୁଥିବାବେଳେ ସଞ୍ଜ ନଇଁଲେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ଯୋଜନା କରୁଛନ୍ତି । ବିଦ୍ୟାଳୟ ପରିସରରେ ଶୌଚାଳୟ ଠାରୁ ଆରମ୍ଭ କରି ପାନୀୟଜଳ ଆଦିର ସୁବିଧା ଥିବାରୁ ଏଠାରେ ଯୁବକମାନେ ଆଡ୍ଡା ଜମାଉଛନ୍ତି ।

ସହରାଞ୍ଚଳରେ ଥିବା ମହାବିଦ୍ୟାଳୟଗୁଡିକରେ ବି ସମାନ ଅବସ୍ଥା । ଖୋଦ ରାଜଧାନୀରେ ଥିବା ବିଜେବି ଓ ରାଜଧାନୀ କଲେଜ ପରିସରକୁ ଗଲେ ଯେ କେହି ଏହା ଲକ୍ଷ୍ୟ କରିପାରିବ । ରାଜଧାନୀ କଲେଜ ପରିସରରେ ମାଳ ମାଳ ମଦ ବୋତଲ ଗଡୁଛି । ସାଇକେଲ ଷ୍ଟାଣ୍ଡଟି ଏବେ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସଞ୍ଜ ନଇଁଲେ ଦଳ ଦଳ ହୋଇ ନିଶାଡିମାନେ ଏଠାରେ ଆସି ବସିବା ସହିତ ନିଶାଦ୍ରବ୍ୟ ସେବନ କରୁଛନ୍ତି । ଏତେବଡ କଲେଜକୁ ଜଗୁଥିବା ମାତ୍ର ଜଣେ ସୁରକ୍ଷାକର୍ମୀଙ୍କୁ ଏମାନେ ଖାତିର କରୁନାହାନ୍ତି । ସୁରକ୍ଷାକର୍ମୀ ଏମାନଙ୍କ ଭୟରେ ଥାନାକୁ ଖବର ଦେଉନଥିବାବେଳେ ନିକଟରେ ଥିବା ଖଣ୍ଡଗିରି ପୁଲିସ୍‍ ବି ନିଜଆଡୁ ଏଠାରେ କେବେ ଅତର୍କିତ ଚଢଉ କରିବାର ନଜିର ନାହିଁ । ବିଜେବି କଲେଜରେ ବି ସମାନ ଅବସ୍ଥା । ଏଠାରେ ବହୁ ସମୟରେ ଛାତ୍ର ଅଣଛାତ୍ର ସଂଘର୍ଷ ଘଟିବାରେ ଲାଗିଛି ।

ତେବେ ସବୁଠାରୁ ଗୁରୁତର ସମସ୍ୟା ଦେଖା ଦେଇଛି ଗାଁ ଗହଳରେ ବନ୍ଦହୋଇ ପଡିଥିବା ବିଦ୍ୟାଳୟଗୁଡିକରେ । ଛାତ୍ରାଭାବର କାରଣ ଦର୍ଶାଇ ସରକାର ଏଠାକାର ପିଲାମାନଙ୍କ ନିକଟସ୍ଥ ବିଦ୍ୟାଳୟକୁ ପଠାଇ ଦେଇଥିବାବେଳେ ବ୍ୟାପକ ଅର୍ଥ ବ୍ୟୟରେ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟଗୁଡିକ ସଂକ୍ରାନ୍ତରେ ଚିନ୍ତା କରିନାହାନ୍ତି । ଫଳରେ ଏଗୁଡିକ ଏବେ ଭୂତକୋଠି ପାଲଟିବା ସହିତ ଗାଁ ଗହଳରେ ଥିବା ନିଶାଡିମାନଙ୍କ ବୈଠକସ୍ଥଳୀରେ ପରିଣତ ହୋଇଛି । ସରକାରୀ ସମ୍ପତ୍ତି ହୋଇଥିବାରୁ ଓ ନିଶାଡିମାନେ ବସୁଥିବାରୁ ଗାଁ ଲୋକେ ବି ଭୟରେ ଏମାନଙ୍କୁ କିଛି କହୁନାହାନ୍ତି ।

ବର୍ତ୍ତମାନ କେବଳ ୫-ଟି ବିଦ୍ୟାଳୟରେ ଜଗୁଆଳି ରହୁଥିବାବେଳେ ଅନ୍ୟ ବିଦ୍ୟାଳୟଗୁଡିକୁ ବସ୍ତୁତଃ ନିଶାଡି ଓ ଅସାମାଜିକମାନଙ୍କ ହାତରେ ଛାଡି ଦିଆଯାଉଛି । ତେଣୁ ନୂଆ ସରକାର ବିଦ୍ୟାଳୟରେ ପାଠପଢାର ମାନ ସହିତ ଏହାର ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)