ଭୁବନେଶ୍ୱର : ନିଶାଡିଙ୍କ ବିରୁଦ୍ଧରେ କମିଶନରେଟ ପୁଲିସ୍ ଅଭିଯାନ ଆରମ୍ଭ କରିଥିବାବେଳେ ରାଜଧାନୀରେ ଶିକ୍ଷାନୁଷ୍ଠାନ ପରିସର ଏବେ ନିଶା ସେବନର ପେଣ୍ଠସ୍ଥଳ ପାଲଟିଛି । ସଞ୍ଚ ନଇଁଲେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି କଲେଜ ପରିସରକୁ ନିଶାଡିମାନେ ଛୁଟୁଛନ୍ତି ଓ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସେଠାରେ ନିଶା ସେବନ କରୁଛନ୍ତି ।
ସହରର ଅଧିକାଂଶ ବିଦ୍ୟାଳୟରେ ରାତ୍ର ଜଗୁଆଳି ବ୍ୟବସ୍ଥା ନାହିଁ । ତେଣୁ ବିଦ୍ୟାଳୟ ଛୁଟି ପରେ ସେଠାକୁ କିଏ ଯା ଆସ କରୁଛି ତାହାର ହିସାବ କାହାରି ପାଖରେ ନାହିଁ । ପ୍ରାୟ ସମସ୍ତ ବିଦ୍ୟାଳୟ ପାଚେରୀ ଦ୍ୱାରା ଆବଦ୍ଧ ହୋଇଥିବାରୁ ନିଶାଡିମାନେ ତାହା ଭିତରକୁ ଯିବାପରେ ସେମାନଙ୍କୁ ଆଉ କେହି ଦେଖିପାରୁ ନାହାନ୍ତି । ତେଣୁ ନିଶାଖୋରମାନେ ସଞ୍ଜ ନଇଁଲେ ପାଚେରୀ ଡେଇ ହେଉ କିମ୍ବା ଯେଉଁ ଠାରେ ଫାଟକନାହିଁ ସେଠାରେ ସିଧାସଳଖ ପ୍ରବେଶ କରୁଛନ୍ତି । ନିଶା ସେବନ ସହିତ ଏଠାରେ ନିଶା ବେପାର ବି ବେଧଡକ ଭାବେ ଚାଲୁଛି ।
ଯଦିଓ ସ୍ଥାନୀୟ ଲୋକେ ଏସବୁ ଦେଖୁଛନ୍ତି କିନ୍ତୁ ସେମାନଙ୍କୁ ରୋକିବାକୁ ସାହସ କୁଳାଇ ପାରୁନାହାନ୍ତି । କାରଣ ଏହି ନିଶାଡିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅପରାଧି ଶ୍ରେଣୀର । ତେଣୁ ଲୋକେ ସବୁ ଦେଖି ଏକ ପ୍ରକାର ନିରବ ରହୁଛନ୍ତି । ତେବେ ସବୁଠାରୁ ବଡକଥା ହେଲା ସହରରେ ପଇଁତରା ମାରୁଥିବା ପିସିଆର ଗାଡି ରାତିରେ ସ୍କୁଲ ପରିସର ଭିତରକୁ ଦୃଷ୍ଟି ପକାଉ ନାହିଁ ।
କଲେଜ ପରିସରର ସ୍ଥିତି ଅତ୍ୟନ୍ତ ଜଟିଳ । ଏହାର ଏକ ଉଦାହରଣ ହେଉଛି ରାଜଧାନୀ ମହାବିଦ୍ୟାଳୟ । ସଞ୍ଜ ନଇଁଲେ କଲେଜ ପରିସରରେ ଥିବା ଦୁଇ ଚକିଆ ଯାନ ରହଣିସ୍ଥଳ ନିଶାଡିଙ୍କ ଆଡାସ୍ଥଳୀ ପାଲଟୁଛି । ମଦ, ଗଞ୍ଜେଇ ଠାରୁ ଆରମ୍ଭକରି ବ୍ରାଉନସୁଗାର ପର୍ଯ୍ୟନ୍ତ ସବୁକିଛି ସେବନ କରୁଛନ୍ତି । ଯଦିଓ କଲେଜ ଫାଟକରେ ସୁରକ୍ଷା ବ୍ୟବସ୍ଥା ରହିଛି କିନ୍ତୁ ନିଶାଡିମାନେ ସେଠାରେ କିଛି ମାନିବାକୁ ପ୍ରସ୍ତୁତ ନୁହନ୍ତି । ନିଶାଡିଙ୍କୁ ଧରିବାକୁ କିଛିଦିନ ତଳେ କଲେଜ କର୍ତ୍ତୃପକ୍ଷ ଆଖପାଖରେ ସିସିଟିଭି ଲଗାଇଥିଲେ । ଏହାଦ୍ୱାରା ନିଶାଡିଙ୍କ ସହିତ ଅଣଛାତ୍ର ପ୍ରବେଶ ଉପରେ ରୋକ୍ ଲାଗିଥାନ୍ତା । ହେଲେ ନିଶାଡିମାନେ ଏହି ସିସିଟିଭିକୁ ଚୋରିକରି ନେଇଗଲେ ।
କଲେଜ ପରିସରରେ ପଡୁଥିବା ମଦ ବୋତଲ ସହିତ ଅନ୍ୟାନ୍ୟ ନିଶାସାମଗ୍ରୀର ପ୍ୟାକେଟ ଦର୍ଶାଉଛି ଯେ ଏହି ସରକାରୀ କଲେଜ ପରିସରରେ କିଭଳି ନିଶାଡିମାନେ ଆସ୍ଥାନ ଜମାଇଛନ୍ତି । କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ରହିଥିବାବେଳେ ନିଶାଡିଙ୍କ ଭୟରେ ସଞ୍ଜ ହେଲେ ପିଲାଏ ହଷ୍ଟେଲରୁ ବାହାରୁ ନାହାନ୍ତି । ନିକଟରେ ଖଣ୍ଡଗିରି ଥାନା ରହିଥିଲେ ମଧ୍ୟ ସଞ୍ଜ କିମ୍ବା ରାତ୍ରୀ ସମୟରେ ପିସିଆର ଏଠାକୁ ଆସୁନଥିବା ଅଭିଯୋଗ ହେଉଛି ।
ସେହିଭଳି ବିଜେବି କଲେଜ ପରିସରରେ ମଝିରେ ମଝିରେ ନିଶା ସେବନକୁ ନେଇ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ ହେଉଛି । ତେଣୁ ରାଜଧାନୀରେ ଥିବା ସ୍କୁଲ, ହାଇସ୍କୁଲ, କଲେଜ ପରିସର ଉପରେ କମିଶନରେଟ ପୁଲିସ୍ ସ୍ୱତନ୍ତ୍ର ଭାବେ ନଜର ଦେବା ସହିତ ଏଠାରେ ନିୟମିତ ଧରପଗଡ କଲେ ଶିକ୍ଷାନୁଷ୍ଠାନ ପରିସରରୁ କେବଳ ନିଶାଡି ହଟନ୍ତେ ନାହିଁ ଅନେକ ଅପରାଧି ବି ଧରାପଡନ୍ତେ ବୋଲି କୁହାଯାଉଛି । (ତଥ୍ୟ)