ଭୁବନେଶ୍ୱର : ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାୟ ୭୫ ହଜାର ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଅଣଶିକ୍ଷକ ପଦବୀକୁ ମିଶାଇ ଏହି ସଂଖ୍ୟା ଢେର ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।
ସରକାରଙ୍କ ସର୍ବଶେଷ ତଥ୍ୟ ମୁତାବକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ୧୮ ହଜାରରୁ ଅଧିକ ପ୍ରଧାନ ଶିକ୍ଷକଙ୍କ ସମେତ ୪୯ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ପାଖାପାଖି ୬୫୦୦ ଶିକ୍ଷକ ପଦବୀ ମଧ୍ୟ ଖାଲି । କେଉଁଠି କ୍ରୀଡ଼ା ଶିକ୍ଷକ ବିଜ୍ଞାନ ପଢ଼ାଉଛନ୍ତି ତ ଆଉ କେଉଁଠି ହିନ୍ଦୀ ଶିକ୍ଷକଙ୍କୁ ଇଂରାଜୀ ପଢ଼ାଇବାକୁ ପଡୁଛି । ସ୍ଥିତି ଏଭଳି ଗୁରୁତର ହୋଇଛି ଯେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରାୟ ୬୦ ପ୍ରତିଶତ ଛାତ୍ରଛାତ୍ରୀ ସାଧାରଣ ହରଣ ମଧ୍ୟ କରିପାରୁ ନଥିବା ଘେନି ସରକାରଙ୍କ ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି ।
ରାଜ୍ୟ ସରକାର ଓ ବିଭିନ୍ନ ସଂଗଠନମାନେ ଓଡ଼ିଆ ଅସ୍ମିତା ଉଠାଇବା ସଂଗେ ସଂଗେ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ମତ ରଖିବା ସ୍ୱାଗତଯୋଗ୍ୟ । କିନ୍ତୁ ପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀଙ୍କ ଓଡ଼ିଆ ଭାଷା, ସାହିତ୍ୟ ଜ୍ଞାନ ଦୁର୍ବଳ ହୋଇପଡୁଥିବାରୁ ହାଇସ୍କୁଲ ସ୍ତରରେ ଏହା ସାଙ୍ଘାତିକ ରୂପ ନେଉଛି । ଓଡ଼ିଆ ଭାଷାରେ ପିଲାମାନେ ଦୁର୍ବଳ ହେଉଥିବା ବେଳେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାପାଇଁ ଓଡ଼ିଆରେ ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ଉଦ୍ୟମ କରାଯାଉଛି । ଏମିତିକି ଦୁର୍ବଳ ଭାଷା ଜ୍ଞାନ ଯୋଗୁ ସରକାରୀ ଚାକିରିରେ ଥିବା ଅଧିକାରୀମାନଙ୍କୁ ସରକାରୀ ଖର୍ଚ୍ଚରେ ଓଡ଼ିଆ ଭାଷା ଶିକ୍ଷା ଦିଆଯିବାର ବ୍ୟବସ୍ଥା ହେଉଛି ।
ଯୁକ୍ତଦୁଇ ଏବଂ ଅନୁଦାନପ୍ରାପ୍ତ ଯୁକ୍ତ ତିନି କଲେଜ୍ଗୁଡ଼ିକରୁ ଅଧିକାଂଶରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଯୁକ୍ତଦୁଇ ବିଜ୍ଞାନ କ୍ଷେତ୍ରରେ ଶିକ୍ଷକ ଅଭାବ ଭବିଷ୍ୟତର ବୈଷୟିକ ଶିକ୍ଷା ପାଇଁ ସମସ୍ୟା ସୃଷ୍ଟି କରୁଥିବା ଘେନି ଭାଷା ବିଜ୍ଞାନୀମାନେ ବାରମ୍ବାର ଚେତାବନୀ ଦେଉଛନ୍ତି । ଏହା ସତ୍ତ୍ୱେ ବି ସରକାରୀ କଲେଜ୍ ହେଉ ବା ଅନୁଦାନପ୍ରାପ୍ତ କଲେଜ୍ ହେଉ ଚାରିଆଡ଼େ ମାଳମାଳ ଶିକ୍ଷକ ପଦୀବ ଖାଲି ।
ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ, ସଂସ୍କୃତି ବିଭାଗ, ଦକ୍ଷତା ବିକାଶ, କୃଷି ବିଭାଗ ଆଦି ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁରବସ୍ଥା ବର୍ଷବର୍ଷ ଧରି ଲାଗି ରହିଥିବାବେଳେ ପ୍ରାୟ ୬୦ ପ୍ରତିଶତ ଶିକ୍ଷକ ପଦବୀ ଓ ୭୦ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଛି । ଏଥିଯୋଗୁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଉନ୍ନତମାନର ନ୍ୟାକ୍ ଗ୍ରେଡିଂ ପାଇବାରୁ ବଞ୍ôଚତ ହେଉଛନ୍ତି । ନିମ୍ନମାନର ନ୍ୟାକ୍ ଗ୍ରେଡିଂଯୋଗୁ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ଯେତେ ପରିମାଣରେ କେନ୍ଦ୍ରୀୟ ଅନୁଦାନ ପାଇବା କଥା ତାହା ବି ପାଉନାହାନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକର ବହୁ ବିଭାଗରେ ପ୍ରଫେସର ଓ ସହଯୋଗୀ ପ୍ରଫେସର ପଦବୀ ଖାଲି ପଡିଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହିତ ଗବେଷଣା କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ଓଡ଼ିଶାର ଅଧ ଡଜନରୁ ଅଧିକ ବିଶ୍ୱବିଦ୍ୟାଳୟରେ କୁଳପତି ବି ନାହାନ୍ତି ।
ମେଡିକାଲ କଲେଜ୍, ହୋମିଓପ୍ୟାଥିକ କଲେଜ୍ ଓ ଆୟୁର୍ବେଦିକ କଲେଜ୍ଗୁଡ଼ିକରେ ଡାକ୍ତରୀ ଶିକ୍ଷକ ସମେତ ଅନ୍ୟାନ୍ୟ ପଦବୀ ମଧ୍ୟରୁ ଅନେକ ବର୍ଷବର୍ଷ ଧରି ଖାଲି ପଡିଛି । ପ୍ରାୟ ୪୦ ପ୍ରତିଶତ ଡାକ୍ତର ପଦବୀ ଓଡ଼ିଶାରେ ଖାଲି ପଡିଥିବା କୁହାଯାଉଛି । ମେଡିକାଲ କଲେଜ ସମେତ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ କଲେଜ୍ରେ ଶିକ୍ଷକ ମରୁଡ଼ି ଯୋଗୁ ମେଡିକାଲ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ଗବେଷଣା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହେଉଛି । ବିଭିନ୍ନ ବିଭାଗର ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାୟ ୭୫ ହଜାର ପଦବୀ ଖାଲି ପଡିଥିବାବେଳେ ଏସବୁ କେବେ ସୁଦ୍ଧା ପୂରଣ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁନଥିଲେ ମଧ୍ୟ ଆର୍ଥିକ ଦୁରବସ୍ଥା ଓ ଆଇନ୍ଗତ ପ୍ରତିବନ୍ଧକକୁ ଏଥିଲାଗି ଦାୟୀ କରାଯାଉଛି । (ତଥ୍ୟ)